• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ୟୁକ୍ରେନ୍ ବିରୋଧରେ ଋଷିଆର ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରହିଛି । ଦୁଇ ଦେଶରେ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧର ଆଜି ଷଷ୍ଠ ଦିନ । ରୁଷ୍ ଘନଘନ ଆକ୍ରମଣ କରୁଛି କିନ୍ତୁ ୟୁକ୍ରେନ ପ୍ରତିଆକ୍ରମଣରେ ରୁଷର ୪୫୦୦ ସୈନିକ ପ୍ରାଣ ହରାଇଥିବା ଦାବି କରିଛି । ଏହାବ୍ୟତୀତ ରୁଷର ୧୫୦ ଟ୍ୟାଙ୍କ, ୨୭ ଏୟାରକ୍ରାଫ୍ଟ, ୨୬ ହେଲିକପ୍ଟର ଏବଂ ବିପୁଳ ପରିମାଣର ବନ୍ଧୁକକୁ ନଷ୍ଟ କରିଦିଆଯାଇଥିବା ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ।

ତେବେ ଶତାଧିକ ୟୁକ୍ରେନ୍ ସେନା ମଧ୍ୟ ଯୁଦ୍ଧରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଗୁରୁବାର ଠାରୁ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ରୁଷ ସେନା ବେଲାରୁଷ ସୀମାକୁ ବ୍ୟବହାର କରି ୟୁକ୍ରେନରେ ଅନୁପ୍ରବେଶ କରିଥିଲା । ୟୁକ୍ରେନ ସେନା ପକ୍ଷରୁ କୁହାଯାଇଛି ଯେ ରୁଷ ସେନା ଅନ୍ତର୍ଜାତୀୟ ମାନବାଧିକାର ଆଇନର ଉଲ୍ଲଂଘନ କରିଛି ।

ଏପଟେ ଉଭୟ ଦେଶ ମଧ୍ୟରେ ୫ ଦିନଧରି ମୁହାଁମୁହିଁ ସଂଘର୍ଷ ପରିସ୍ଥିତି ଉପୁଜିବା ପରେ ସମାଧାନ ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ଏଥିପାଇଁ ବେଲାରୁଷ ସୀମାରେ ଗତକାଲି ଉଭୟ ପକ୍ଷ ମଧ୍ୟରେ ଶାନ୍ତି ଆଲୋଚନା ହୋଇଛି । ପ୍ରାୟ ୫ ଘଣ୍ଟା ଧରି ଏହି ବୈଠକ ଚାଲିଥିଲା । ହେଲେ ଏଥିରେ କେଉଁ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ତେବେ ପୁଣି ଏକ ପର୍ଯ୍ୟାୟ ଆଲୋଚନା ହେବ ବୋଲି ସୂଚନା ମିଳିଛି । ପୋଲାଣ୍ଡ ବେଲାଋଷ ସୀମାରେ ଆଉ ଏକ ପର୍ଯ୍ୟାୟ ଆଲୋଚନା ହେବ ବୋଲି ଋଷର ସରକାରୀ ନ୍ୟୁଜ ଏଜେନ୍ସି ସ୍ପୁଟନିକ ସୂତ୍ରରୁ ଜଣାପଡିଛି । ପୂର୍ବରୁ ମସ୍କୋର ଶାନ୍ତି ଆଲୋଚନା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଇଥିଲା ୟୁକ୍ରେନ୍ । ଅନ୍ୟପକ୍ଷରେ ୟୁକ୍ରେନକୁ ୟୁରୋପୀୟ ସଂଘରେ ସାମିଲ କରିବାକୁ ଏକ ଆବେଦନରେ ସ୍ୱାକ୍ଷର କରିଛନ୍ତି ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ।