• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଉତ୍ତର କୋରିଆ । ଛୋଟିଆ ଦେଶଟେ । ହେଲେ ଅନ୍ୟ ଦେଶ ଅପେକ୍ଷା ଟେକ୍ନୋଲୋଜିରେ ବହୁତ ଆଗରେ । ଆଉ ସବୁବେଳେ ରହିଥାଏ ଚର୍ଚ୍ଚାରେ । ଉତ୍ତର କୋରିଆର ରାଷ୍ଟ୍ରପତି କିମ୍‌ ଜୋଙ୍ଗ ଉନ୍‌ ପୁରା ବିଶ୍ୱରେ ପରିଚିତ । ତାଙ୍କର ଆଜବ ଗଜବ ନିୟମ କାନୁନ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।

କେତେବେଳେ ଚୁଟି କଟାକୁ ନେଇ ତ କେତେବେଳେ ଡ୍ରେସ୍ ପିନ୍ଧାକୁ ନେଇ ସେ ଅଜବ ଗଜବ ନିୟମ କାନୁନ ଆଣିଥାନ୍ତି । ଯାହାକି ଉତ୍ତର କୋରିଆବାସୀ ଚାହୁଁନଥିଲେ ମଧ୍ୟ ମାନିବାକୁ ବାଧ୍ୟ ହୋଇଥାନ୍ତି ।

ତେବେ ଏହି କ୍ରମରେ ଏବେ ଆଉ ଏକ ନୂଆ ନିୟମ ଲାଗୁ କରିଛନ୍ତି କିମ୍‌ ଜୋଙ୍ଗ ଉନ୍‌ । ପୂରା ଉତ୍ତର କୋରିଆରେ ୧୧ ଦିନ ପାଇଁ ହସିବା ଏବଂ ମଦ୍ୟପାନ କରିବା ମନା । ଆଉ ଏହି ନିୟମ ଖିଲାପ କଲେ କଠୋର ଦଣ୍ଡ ମିଳିବ।

ଅଚାନକ ଏଭଳି ନିୟମ କ’ଣ ପାଇଁ ? ଏହ ପ୍ରଶ୍ନ ନିଶ୍ଚିତ ସମସ୍ତଙ୍କ ମନରେ ଆସିବ । ଆଉ ଆସିବା ବି ସ୍ୱାଭାବିକ୍‌ । ତେବେ ଏହାର ଉତ୍ତରଟି ହେଲା, ଉତ୍ତରକୋରିଆର ପୂର୍ବତନ ନେତା କିମ୍‌ ଜୋଙ୍ଗ ଇଲ୍‌ଙ୍କ ଦଶମ ଶ୍ରାଦ୍ଧା ବାର୍ଷିକୀ । ଉତ୍ତର କୋରିଆର ସରକାରୀ ଅଧିକାରୀମାନେ ଆଦେଶ ଦେଇଛନ୍ତି ଯେ, ଯେତେଦିନ ପର୍ଯ୍ୟନ୍ତ ଉତ୍ତରକୋରିଆ କିମ୍‌ ଜୋଙ୍ଗ ଲି’ଙ୍କ ପାଇଁ ଶୋକ କରୁଛି, ସେତେଦିନ ପର୍ଯ୍ୟନ୍ତ ଲୋକମାନେ କୌଣସି ଉତ୍ସବ ପାଳନ କରିପାରିବେ ନାହିଁ । ଏମିତିକି କୌଣସି ପ୍ରକାର ଖୁସି ମଧ୍ୟ ଜାହିର କରିପାରିବେ ନାହିଁ ।

କିମ୍ ଜୋଙ୍ଗ ଇଲ୍‌ ୧୯୯୪ରୁ ୨୦୧୧, ନିଜ ମୃତ୍ୟୁ ପର୍ଯ୍ୟନ୍ତ ଉତ୍ତରକୋରିଆକୁ ଶାସନ କରୁଥିଲେ । ଏହା ପରେ ତାଙ୍କର ତୃତୀୟ ଏବଂ କନିଷ୍ଠ ସନ୍ତାନ କିମ୍‌ ଜୋଙ୍ଗ ଉନ୍‌ ଶାସନଭାର ସମ୍ଭାଳିଥିଲେ ।

ଏବେ ଲି’ଙ୍କର ଦଶମ ଶ୍ରାଦ୍ଧ ବାର୍ଷିକୀରେ ଉତ୍ତର କୋରିଆବାସୀଙ୍କୁ ଜବରଦସ୍ତ ୧୧ ଦିନ ପାଇଁ ଶୋକ ପାଳିବାକୁ କୁହାଯାଉଛି । ଲୋକଙ୍କୁ ହସିବାକୁ ଏବଂ ମଦ୍ୟପାନ କରିବାକୁ ମନା କରାଯାଇଛି ।

ଆନ୍ତର୍ଜାତୀୟ ଗଣମାଧ୍ୟମ ଗୁଡ଼ିକର ରିପୋର୍ଟ ଅନୁଯାୟୀ, ଶୋକ କରିବା ସମୟରେ ଲୋକମାନେ ମଦ୍ୟପାନ କରିବା, ହସିବା ଏବଂ ମନୋରଞ୍ଜନ କାର୍ଯ୍ୟରେ ଲିପ୍ତ ରହିବା ଉଚିତ୍ ନୁହେଁ ବୋଲି ଉତ୍ତର କୋରିଆବାସୀଙ୍କୁ ତାଗିଦ୍‌ କରାଯାଇଛି । ଏମିତିକି ଡିସେମ୍ବର ୧୭ରେ ସଉଦାପତ୍ର ମଧ୍ୟ କିଣିବାକୁ ମନାକରାଯାଇଛି ।

ଲୋକଙ୍କୁ ପରିବାର ସଦସ୍ୟଙ୍କ ମୃତ୍ୟୁରେ ମଧ୍ୟ କାନ୍ଦିବାକୁ ଦିଆଯାଇନଥାଏ

ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ଶୋକ ସମୟରେ ମଦ୍ୟପାନ କିମ୍ବା ଅନ୍ୟ କୌଣସି ନିଶା କରୁଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ସହ ଅପରାଧୀଙ୍କ ଭଳି ବ୍ୟବହାର କରାଯାଇଥିଲା । ପରେ ସେମାନଙ୍କୁ ଏମିତି ଏକ ସ୍ଥାନକୁ ନିଆଯାଇଥିଲା ଯେଉଁଠାରୁ ସେମାନେ ଆଉ ଫେରି ନାହାନ୍ତି ।

ଖାଲି ସେତିକି ନୁହେଁ, ଶୋକ ପାଳନ ସମୟରେ ଯଦି କୌଣସି ପରିବାରର କେହି ମୃତ୍ୟୁ ବରଣ କରନ୍ତି, ତେବେ ପରିବାର ଲୋକ ରଡ଼ି ଛାଡ଼ି କାନ୍ଦିପାରିବେ ନାହିଁ । କାରଣ ଏଥିପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ଅନୁମତି ନାହିଁ । ସେହିଭଳି ଶୋକ ପାଳନ ସରିବା ପରେ ହିଁ ଯାଇ ମୃତକଙ୍କ ଅନ୍ତିମ ସଂସ୍କାର କରିପାରିବେ ପରିବାର ଲୋକ । କାରଣ ଶୋକ ପାଳନ ସମୟରେ ସାଧାରଣ ଲୋକଙ୍କ ଅନ୍ତିମ ସଂସ୍କାରକୁ ମଧ୍ୟ ଅନୁମତି ଦିଆଯାଇ ନାହିଁ ।

ସେହିଭଳି ଯଦି ଶୋକ ପାଳନ ସମୟରେ କାହାର ଜନ୍ମଦିନ ପଡ଼େ, ତେବେ ଏଥିପାଇଁ ସେ କୌଣସି ଉତ୍ସବ ଆୟୋଜନ କରିପାରିବ ନାହିଁ । ଏମିତିକି ସାଧାରଣ ଭାବେ ଜନ୍ମଦିନ ମଧ୍ୟ ପାଳନ କରିବାକୁ ବାରଣ କରାଯାଇଛି ।

ଏଥର ୧୧ ଦିନ ପାଇଁ ଶୋକ ପାଳନ

୧୭ ଡିସେମ୍ବର ୨୦୧୧ ରେ ୬୯ ବର୍ଷ ବୟସରେ ହୃଦଘାତ ଯୋଗୁଁ କିମ ଜୋଙ୍ଗ ଲି’ଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପୂର୍ବରୁ ଲି’ ଉତ୍ତର କୋରିଆରେ ୧୭ ବର୍ଷ ଧରି ନିଷ୍ଠୁର ଏବଂ ଦମନକାରୀ ଶାସନ ଚଳାଇଥିଲେ । ଲି’ଙ୍କ ପାଇଁ ସାଧାରଣତଃ ପ୍ରତିବର୍ଷ ୧୦ ଦିନ ପର୍ଯ୍ୟନ୍ତ ଶୋକ ପାଳନ କରାଯାଇଥାଏ । ହେଲେ ଏଥର ୧୧ ଦିନ ପାଇଁ ଶୋକ ପାଳନ କରିବାକୁ ନିଷ୍ପତି ହୋଇଛି ।