• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଯାହାର ଦେଖାରଖା କରୁଥିଲେ, ସେ ହିଁ ନେଇଗଲା ପ୍ରାଣ । ଦିନେ ସେଇ ସିଂହର ସେ ଅତି ପ୍ରିୟ ଥିଲେ, ଖାଇବାକୁ ଦେଉଥିଲେ, ତା’ର ଯତ୍ନ ନେଉଥିଲେ । ଶେଷରେ ସେ ହିଁ ସାଜିଲା କାଳ । ଖାଇବାକୁ ଦେବା ସମୟରେ କଲା ଆକ୍ରମଣ, ଚାଲିଗଲା ପ୍ରାଣ । ଏପରି ଏକ ଘଟଣା ଘଟିଛି ନାଇଜେରିଆରେ । ପ୍ରାୟ ଏକ ଦଶନ୍ଧି ଧରି ଜଣେ ବ୍ୟକ୍ତି ସିଂହର ଯତ୍ନ ନେଉଥିଲେ । କିନ୍ତୁ ଅତି ଦୁର୍ଭାଗ୍ୟଜନକ ଭାବେ ତାଙ୍କର ଉକ୍ତ ସିଂହ ମୁହଁରେ ପ୍ରାଣ ଯାଇଛି ।

ଓଲାବଡେ ଓଲାୱୋଇ ନାମକ ଜଣେ ବ୍ୟକ୍ତି ଓବାଫେମି ଆୱୋଲୋଓ ବିଶ୍ୱବିଦ୍ୟାଳୟ (OAU) ରେ ଥିବା ପ୍ରାଣୀ ଉଦ୍ୟାନର ଦାୟିତ୍ୱରେ ଥିଲେ । ଗତ ସୋମବାର ଦିନ ସେ ସିଂହମାନଙ୍କୁ ଖାଇବାକୁ ଦେଉଥିବା ବେଳେ ତାଙ୍କୁ ଗୋଟାଏ ସିଂହ ଆକ୍ରମଣ କରିଥିଲା । ଯଦିଓ ତାଙ୍କର ସହକର୍ମୀମାନେ ବଞ୍ଚାଇବାକୁ ଚେଷ୍ଟା କରିଥିଲେ କିନ୍ତୁ କିଛି ଲାଭ ହୋଇନଥିଲା । ପରେ ସିଂହ ଦ୍ୱାରା ଗଭୀର ଭାବେ ଆହତ ହେବା ପରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ଓଲାବଡେ ଓଲାୱୋଇ ପ୍ରାୟ ୯ ବର୍ଷ ପୂର୍ବରୁ ଉକ୍ତ ପ୍ରାଣୀ ଉଦ୍ୟାନରେ ଜନ୍ମ ହୋଇଥିବା ସିଂହମାନଙ୍କର ଲାଳନପାଳନ ଦାୟିତ୍ୱ ନେଇଥିଲେ । ପୁରୁଷ ସିଂହକୁ ଖାଇବାକୁ ଦେଉଥିବା ବେଳେ ସେ ହିଁ ହଠାତ୍ ଆକ୍ରମଣ କରିଥିଲା । ତେବେ କେଉଁଥି ପାଇଁ ସେ ଆକ୍ରମଣ କଲା, ତାହା ଜଣା ପଡ଼ିନାହିଁ ବୋଲି ଜନୈକ କର୍ମଚାରୀ କହିଛନ୍ତି ।

ଏହି ଘଟଣାରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଡେବାୟୋ ସିମେନ ବାମୀର କହିଛନ୍ତି ଯେ, ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଛାତ୍ର ସଂଗଠନର ନେତା ଅବ୍ବାସ ଆକିନରେମି ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରିଛନ୍ତି । ଏହା ସହ କହିଛନ୍ତି ଯେ, ବ୍ୟକ୍ତି ଜଣକ ସିଂହମାନଙ୍କୁ ଖାଇବାକୁ ଦେବା ପରେ କବାଟ ବନ୍ଦ କରିବାକୁ ଭୁଲି ଯାଇଥିଲେ । ଫଳରେ ମାନବୀୟ ତ୍ରୁଟି ପାଇଁ ଏପରି ହୋଇଛି ।

ଉତ୍ତର ନାଇଜେରିଆରରେ ଥିବା ଏକ ପ୍ରାଣୀ ଉଦ୍ୟାନରେ ୫୦ ବର୍ଷରୁ ଅଧିକ ସମୟ ଧରି ସିଂହ ଚରାଉଥିବା ଅନ୍ୟଜଣେ ବ୍ୟକ୍ତି ମଧ୍ୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହ ପ୍ରାଣୀ ଉଦ୍ୟାନରେ ଅଧିକ ସୁରକ୍ଷା ବ୍ୟବସ୍ଥା ଆବଶ୍ୟକ ବୋଲି କହିଛନ୍ତି ।

ଭାରତରେ ମଧ୍ୟ ସିଂହ ଦ୍ୱାରା ପ୍ରାଣ ଯାଇଥିବା ଅନେକ ଉଦାହରଣ ଅଛି । ତିରୁପତିରେ ଜଣେ ବ୍ୟକ୍ତିଙ୍କୁ ସିଂହ ମାରିଦେଇଥିଲା । ଶ୍ରୀ ଭେଙ୍କଟେଶ୍ୱର ପ୍ରାଣୀ ଉଦ୍ୟାନର ଜଣେ ଅଧିକାରୀ କହିଥିଲେ, ରାଜସ୍ଥାନର ଅଲୱାରର ୩୮ ବର୍ଷୀୟ ପ୍ରହ୍ଲାଦ ଗୁଜରା ନାମକ ଜଣେ ବ୍ୟକ୍ତି ଅନଧିକୃତ ଭାବେ ଚିଡ଼ିଆଖାନାରେ ପ୍ରବେଶ କରିଥିଲେ ।

ପରେ ସେ ଏନକ୍ଲୋଜରରେ ପ୍ରବେଶ କରିଥିଲେ ଯାହା ସର୍ବସାଧାରଣଙ୍କ ପାଇଁ ଖୋଲା ନଥିଲା । ଏନକ୍ଲୋଜରକୁ ଡେଇଁ ପଡିବା ଫଳରେ ସିଂହଟି ଗୁଜରାଙ୍କୁ ମାରି ଦେଇଥିଲା ।