/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699107401.jpg)
Nepal earthquake
ଏଇ ମାସରେ ଦୁଇ ଦୁଇ ଥର ଝଟକା ଦେଇଥିଲା, ହେଲେ ତୃତୀୟ ଥର ତାଣ୍ଡବ ରଚିଛି ପ୍ରକୃତି । ନେପାଳରେ ଗତକାଲି ରାତିରେ ଘଟିଥିବା ଭୂକମ୍ପ ପ୍ରଳୟ ଆଣିଛି । ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି ୧୫୭କୁ । ଶତାଧିକ ଆହତ ହୋଇଛନ୍ତି । ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ବି ଲାଗିଛି ଭୂକମ୍ପର ଝଟକା । ବଡ଼ ଧରଣର କ୍ଷୟକ୍ଷତି ହୋଇନଥିଲେ ବି ବାରମ୍ବାର ଭୂକମ୍ପର ଝଟକା ଲୋକଙ୍କ ଚିନ୍ତା ବଢାଇଛି ।
ଶୁକ୍ରବାର ରାତି ପ୍ରାୟ ୧୧ଟା ୩୨ । ସମସ୍ତେ ଖାଇ ପିଇ ନିଶ୍ଚିନ୍ତରେ ଶୋଇଥିବା ବେଳେ ହଠାତ୍ ଯେମିତି ଚେଇଁ ଉଠିଥିଲା ପ୍ରକୃତି । ଥରି ଉଠିଥିଲା ପାହାଡି ଦେଶ ନେପାଳ । ମଧ୍ୟରାତ୍ରରେ ପ୍ରକୃତିର ତାଣ୍ଡବ । ପୁଣି ଭୂକମ୍ପର ଭୟଙ୍କର ଝଟକା । ଏଥର ତୀବ୍ରତା ଥିଲା ୬.୪। ଶକ୍ତିଶାଳୀ, ଧ୍ୱଂସକାରୀ । ସ୍ଥଳଭାଗରୁ ପ୍ରାୟ ୧୦ କିଲୋମିଟର ତଳେ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ । ଆଉ ପ୍ରକୃତିର ଯେମିତି ଟାର୍ଗେଟରେ ଥିଲା ରୁକୁମ ପଶ୍ଚିମାଂଚଳ ଓ ଜାଜରକୋଟ । ଧ୍ୱଂସସ୍ତୁପ ପାଲଟି ଯାଇଥିଲା ପୁରା ଅଂଚଳ । ସବୁଠୁ ଅଧିକ ପ୍ରଭାବିତ ଜାଜରକୋଟ ଅଂଚଳ ତ ନେପାଳ ମ୍ୟାପରୁ ଯେମିତି ନିଶ୍ଚିହ୍ନ ହୋଇଯାଇଛି ।
ଆଉ ଇଏ ସକାଳର ଚିତ୍ର । ଆଖି ଆଗରେ ଥିଲା ଉଜୁଡା ସଂସାର । ମାଟିରେ ମିଶିଯାଇଥିଲା ଘରଦ୍ୱାର । ଚିହ୍ନବର୍ଣ୍ଣ ନଥିଲା ବଡ ବଡ କୋଠାର । ଯୁଆଡେ ଦେଖିବ ଗଦା ହୋଇ ରହିଥିଲା ଇଟା ପଥର । ଭୁଶୁଡି ପଡିଥିବା ଘରର ଭଗ୍ନାଂଶ ଭିତରେ ଚାଲିଥିଲା ଜୀବନ ଖୋଜା । ଅତଡା ଭିତରେ ଚାପି ହୋଇ ରହିଥିଲେ ଅନେକ । ସବୁଠି ଆର୍ତ୍ତ ଚିତ୍କାର । ତାରି ଭିତରେ ଜାରି ରହିଥିଲା ରେସକ୍ୟୁ ଅପରେସନ । ପ୍ରଧାନମନ୍ତ୍ରୀ ପୁଷ୍ପ କୁମାର ଧମାଲ ବି ପହଁଚିଥିଲେ ପ୍ରଭାବିତ ଅଂଚଳରେ । ସାଙ୍ଗରେ ଥିଲେ ଡାକ୍ତର ଓ ଉଦ୍ଧାରକାରୀ ଟିମ୍ । ବିପନ୍ନଙ୍କୁ ଭେଟିବା ସହ ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବାକୁ ଦିଆଯାଇଥିଲା ଗୁରୁତ୍ୱ ।
ଭୂକମ୍ପର ଝଟକା ଦିଲ୍ଲୀ ଏନସିଆରରେ ବି ଲାଗିଛି । ଘର ଦ୍ୱାର ଦୋହଲି ଯାଇଥିଲା, ଫ୍ୟାନ, ଆସବାବପତ୍ର ଥରି ଉଠିଥିଲା । ଯିଏ ଯେଉଁଠିଥିଲେ ସେହି ସ୍ଥାନ ଛାଡି ଦୌଡି ଆସିଥିଲେ ଖାଲି ଜାଗାକୁ । ଆପାର୍ଟମେଣ୍ଟ ବାସିନ୍ଦା ଭୟରେ ତଳକୁ ଓହ୍ଲାଇଆସିଥିଲେ । ପୂର୍ବଥର ଅପେକ୍ଷା ଏଥର ଝଟକା ଟିକେ ଅଧିକା ଅନୁଭବ କରିଛନ୍ତି ଦିଲ୍ଲୀ ବାସିନ୍ଦା । ରାଜଧାନୀ ଦିଲ୍ଲୀ ସମେତ ନୋଏଡା, ଉତ୍ତର ପ୍ରଦେଶ, ବିହାର ଏବଂ ଉତ୍ତର ଭାରତର ଅନେକ ସ୍ଥାନରେ ଲାଗିଛି ଭୂକମ୍ପର ତୀବ୍ର ଝଟକା । ଏଠାରେ କୌଣସି ବଡ ଧରଣର କ୍ଷୟକ୍ଷତି ହୋଇନଥିଲେ ବି ଲୋକେ ଭୟଭୀତ ହୋଇପଡିଥିଲେ । କେବଳ ଏଇ ମାସରେ ତିନି ତିନି ଥର ଭୂକମ୍ପର ଝଟକା ସହିଲାଣି ନେପାଳ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)