• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଶ୍ଚର୍ଯ୍ୟ ! ୧୨୦ ବର୍ଷ ପରେ ମିଳିଲା ନିଖୋଜ ଜାହାଜ । ୧୯୦୪ ମସିହାରେ ଏକ ଭୟଙ୍କର ସାମୁଦ୍ରିକ ଝଡରେ ନିଖୋଜ ହୋଇଯାଇଥିଲା ଜାହାଜ । ତେବେ ବଡ଼ କଥା ହେଉଛି କେମିତି ଏତେ ଦିନପରେ ମିଳିଲା ନିଖୋଜ ଜାହାଜ ? କିପରି ହେଲା ଠାବ ? ଆଜକୁ ୧୨୦ ବର୍ଷ ପୂର୍ବେ ନିଖୋଜ ହୋଇଥିବା ଏକ ଜାହାଜକୁ ନିକଟରେ ଅଷ୍ଟ୍ରେଲିଆରେ ଠାବ କରାଯାଇଛି ।

‘ନ୍ୟୁୟର୍କ ପୋଷ୍ଟ୍‌’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୧୯୦୪ ମସିହାରେ କୋଇଲା ବୋଝେଇ ଏସ୍‌ଏସ୍‌ ନେମେସିସ୍‌ ନାମକ ଏହି ଜାହାଜ ମେଲବୋର୍ଣ୍ଣ ଅଭିମୁଖେ ଯାତ୍ରା କରୁଥିଲା । ତେବେ ନିଉ ସାଉଥ୍‌ ୱେଲ୍‌ସ ନିକଟରେ ସାମୁଦ୍ରିକ ଝଡର ସମ୍ମୁଖୀନ ହେବାପରେ ୩୨ ନାବିକଙ୍କ ସହ ଜାହାଜଟି ବୁଡିଯାଇଥିଲା । 

ଦୁର୍ଘଟଣାର କିଛି ସପ୍ତାହ ପରେ ଏକାଧିକ ନାବିକଙ୍କ ମୃତଦେହ ଓ ଜାହାଜର କେତେକ ଯନ୍ତ୍ରାଂଶ ସମୁଦ୍ରକୂଳରେ ଲାଗିଥିଲେ ସୁଦ୍ଧା ୨୪୦ ଫୁଟ ଲମ୍ବ ଜାହାଜର ପତ୍ତା ମିଳିନଥିଲା । ୧୨୦ ବର୍ଷ ପରେ ରିମୋଟ୍‌ ସେନ୍‌ସିଂ କମ୍ପାନୀ ‘ସବ୍‌ସି ପ୍ରଫେସନାଲ ମେରାଇନ ସର୍ଭିସେସ୍‌’ ପକ୍ଷରୁ ସିଡ୍‌ନୀ ନିକଟରେ ସମୁଦ୍ର ଭିତରେ ଉକ୍ତ ଜାହାଜକୁ ଠାବ କରାଯାଇଛି । ପ୍ରାୟ ୫୨୫ ଫୁଟ ପାଣି ତଳେ ଏହାର ଧ୍ୱଂସାବଶେଷ ମିଳିଛି।

ଅଧିକ ପଢ଼ନ୍ତୁ: ରହସ୍ୟମୟ ଦ୍ୱୀପ, ଉଭାନ ହୋଇଯାଏ ଜାହାଜ

ପ୍ରଥମେ ଏହା ଏସ୍‌ଏସ୍‌ ନେମେସିସ୍‌ ଭଗ୍ନାଂଶ ବୋଲି ଅନୁମାନ କରାଯାଉଥିଲା । ତେବେ ଅଷ୍ଟ୍ରେଲୀୟ ସାମୁଦ୍ରିକ ଗବେଷଣା ସଂସ୍ଥା ସିଏସ୍‌ଆଇଆରଓ ( CSIRO ) ପକ୍ଷରୁ ଏହାକୁ ସ୍ବୀକୃତି ପ୍ରଦାନ କରାଯାଇଛି ।

ସମୁଦ୍ର ଶଯ୍ୟାରୁ ଜାହାଜର ଦୁଇଟି ଲଙ୍ଗରକୁ ଉଦ୍ଧାର କରାଯାଇଛି । ଜାହାଜ ଠାବ ହେବାପରେ ସରକାରଙ୍କ ପକ୍ଷରୁ ନାବିକଙ୍କ ପରିବାର ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏହି ଦୁର୍ଘଟଣାରେ ୪୦ରୁ ଅଧିକ ଶିଶୁ ବାପ ଛେଉଣ୍ଡ ହୋଇଥିଲେ ବୋଲି ସୂଚନା ରହିଛି । 

ସେହିପରି ଗତବର୍ଷ ମଧ୍ୟ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ସମୁଦ୍ରରେ ବୁଡ଼ି ଯାଇଥିବା ଜାପାନର ଏକ ବଣିକ ଜାହାଜକୁ ଗଭୀର ସମୁଦ୍ରରୁ ଠାବ କରାଯାଇଥିଲା। ୮୪ ବର୍ଷ ପରେ ଗଭୀର ସମୁଦ୍ରରୁ ଜାହାଜ ଟି ମିଳିଥିଲା।