• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସ୍ୱିଜରଲ୍ୟାଣ୍ଡର ସ୍ୱିସ୍ ଆଲପ୍ସ (ପର୍ବତ) ପାହାଡ଼ରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି । ୩୭ ବର୍ଷ ପୂର୍ବେ ନିଖୋଜ ହୋଇଥିବା ଜଣେ ପର୍ବତାରୋହୀଙ୍କ ମୃତଦେହ ମିଳିଛି । ଗ୍ଲେସିୟର ତରଳିବା କାରଣରୁ ଏହା ସମ୍ଭବ ହୋଇପାରିଛି ବୋଲି ଦାବି କରାଯାଉଛି । ଡିଏନ୍ଏ ପରୀକ୍ଷା ପରେ ଏହା ନିଶ୍ଚିତ ହୋଇଛି ଯେ ଉଦ୍ଧାର ହୋଇଥିବା ମୃତଦେହ, ସେହି ୩୮ ବର୍ଷିୟ ପର୍ବତାରୋହୀଙ୍କର ଯିଏ ୩୭ ବର୍ଷ ପୂର୍ବେ ଏହି ଗ୍ଲାସିୟରରେ ନିଖୋଜ ହୋଇଥିଲେ ।

ରିପୋର୍ଟ ଅନୁଯାୟୀ, ଜୁଲାଇ ୧୨ ରେ ମୃତଦେହ ଉଦ୍ଧାର କରାଯାଇଥିଲା । ଯେତେବେଳେ ସ୍ୱିଜରଲ୍ୟାଣ୍ଡର ଜେର୍ମେଟର ଦକ୍ଷିଣରେ ଥିବା ଥିଓଡୁଲ ଗ୍ଲାସିଅର ସାମାନ୍ୟ ତରଳିଲା, ସେତେବେଳେ ଏହି ପର୍ବତାରୋହୀଙ୍କ ମୃତଦେହର ଅଂଶ ବିଶେଷ ସାମ୍ନାକୁ ଆସିଥିଲା । ଏହାକୁ ପ୍ରଥମେ କିଛି ପର୍ବତାରୋହୀ ହିଁ ଦେଖିଥିଲେ । ପରେ ସେମାନେ ଏନେଇ ପୋଲିସକୁ ସୂଚନା ଦେଇଥିଲେ। ଏହାପରେ ଶବକୁ ଉଦ୍ଧାର କରି ଫରେନ୍‌ସିକ୍‌ ଲାବ୍‌କୁ ପଠାଯାଇଥିଲା । ସେଠାରେ ଡିଏନ୍‌ଏ ପରୀକ୍ଷା ହେବା ପରେ ଜଣାପଡ଼ିଥିଲା ମୃତଦେହର ପରିଚୟ । ୧୯୮୬ରୁ ଏହି ପର୍ବତରେ ସେ ନିଖୋଜ ଥିଲେ ।

ପ୍ରଥମେ ମୃତଦେହକୁ ଦେଖିଥିବା ପର୍ବତାରୋହୀମାନେ ପୋଲିସକୁ କହିଥିଲେ ଯେ, ପାହାଡ଼ ଚଢ଼ୁଥିବା ବେଳେ ପ୍ରଥମେ ସେମାନଙ୍କୁ ଜୋତା ଦେଖାଯାଇଥିଲା । ତାପରେ ଜୋତା ତଳେ ବରଫରେ ପୋତି ହୋଇଥିବା ଏକ କ୍ରେମ୍ପନ୍ ଡିଭାଇସ୍‌ ଦେଖିଥିଲେ । ଏହା ଜୋତାର ତଳ ଭାଗରେ ଲାଗିଥାଏ ଏବଂ ଦିଗ ଚିହ୍ନିବାରେ ସହାୟକ ହୋଇଥାଏ । ଏହାକୁ ଦେଖିବା ପରେ ସେମାନଙ୍କର ସନ୍ଦେହ ହେଲା, ଏହା କୌଣସି ଜଣେ ପର୍ବତାରୋହୀଙ୍କ ଅଂଶ ବିଶେଷ । 

ଅନ୍ୟପଟେ ଡିଏନ୍ଏ ପରୀକ୍ଷା ପରେ ପର୍ବତାରୋହୀଙ୍କ ପରିଚୟ ମିଳିଥିଲା ବୋଲି ପୋଲିସ ଏକ ବିବୃତ୍ତିରେ କହିଛି । ପୋଲିସ କହିବାନୁଯାୟୀ, ଏହି ମୃତଦେହ ଜଣେ ଜର୍ମାନ ପର୍ବତାରୋହୀଙ୍କର ବୋଲି ଜଣାପଡ଼ିଛି । ସେ ୧୯୮୬ରେ ପହାଡ଼ ଚଢ଼ିଥିଲେ । କିନ୍ତୁ ଆଉ ଫେରିନଥିଲେ । ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରି ପର୍ବତାରୋହୀଙ୍କ ଜୋତାର ଚିତ୍ର ପୋଲିସ ଦ୍ୱାରା ସାର୍ବଜନୀନ କରାଯାଇଥିଲା ଯେଉଁଥିରେ ବରଫରେ ଲାଗିଥିବା ନାଲି ରଙ୍ଗର ଜୋତା ଦେଖିବାକୁ ମିଳିଥିଲା।