• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପାଣିରୁ ବାହାର କରିବା ପରେ ମାଛଟି କିପରି ଛଟପଟ ହୁଏ ଆପଣମାନେ ଦେଖିଥିଲେ । ବିନା ନିଶ୍ୱାସ ପ୍ରଶ୍ୱାସରେ ଜୀବନ ଅଧିକରୁ ଅଧିକ ଗୋଟାଏ ମିନିଟ ପର୍ଯ୍ୟନ୍ତ ରହିପାରେ । ବଞ୍ଚିବା ପାଇଁ ଅମ୍ଳଜାନ କେତେ ଦରକାର .. ଏହା ଯେକୌଣସି ବ୍ୟକ୍ତି ଜାଣେ । ବିନା ଅମ୍ଳଜାନରେ ଜୀବନ ବା କେତେ କ୍ଷଣ ।

ନିକଟରେ ଆମେରିକାରେ ଜଣେ ହତ୍ୟାକାରୀକୁ ନାଇଟ୍ରୋଜେନ ଗ୍ୟାସ ଦେଇ ମୃତ୍ୟୁଦଣ୍ତ ଦିଆଯାଇଛି । ଯାହାକୁ ନେଇ ଏବେ ବିବାଦ ମୁଣ୍ତ ଟେକିଛି । ଅମ୍ଳଜାନ ବିନା ବ୍ୟକ୍ତି ଜଣକ ଛଟପଟ ହୋଇ ଜୀବନ ତ୍ୟାଗ କରିଛନ୍ତି । ଯନ୍ତ୍ରଣା ବିହୀନ ମୃତ୍ୟୁ ଦେବାକୁ ଯାଇ ଆମେରିକା ସରକାର ଏକ ଭୟଙ୍କର ମୃତ୍ୟୁ ଦେଇଛନ୍ତି ।

୨୨ ମିନିଟ ଧରି ଯନ୍ତ୍ରଣାରେ ଛଟପଟ ହେବା ପରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହାକୁ ନେଇ ଅନେକ ମାନବାଧିକାର ସଂଘର କାର୍ଯ୍ୟକର୍ତ୍ତା ବିରୋଧ କରିଛନ୍ତି । ଅନ୍ୟପଟେ ଅଭିଯୁକ୍ତର ଶେଷ ସମୟ ବଖାଣିଛନ୍ତି ଜେଫ୍ ଉଡ୍ । ପ୍ରାୟ ୫ ଜଣ ହୋମନ୍ କରେକସନ୍ ଫ୍ୟାସିଲିଟି ଠାରେ ମୃତ୍ୟୁଦଣ୍ଡର ସାକ୍ଷୀ ହୋଇଥିଲେ ।

ପ୍ରଥମେ ନାଇଟ୍ରୋଜେନ ଗ୍ୟାସ୍ ଭର୍ତ୍ତି ମାସ୍କ ତାଙ୍କ ମୁହଁରେ ଲଗାଇ ଦିଆଯାଇଥିଲା । ଅଭିଯୁକ୍ତ ସ୍ମିଥ୍ ବେଶ୍ କିଛି ସମୟ ପର୍ଯ୍ୟନ୍ତ ଛଟପଟ ହୋଇଥିଲେ । ନିଶ୍ୱାସ ପ୍ରଶ୍ୱାସ ନେବାକୁ ସଂଘର୍ଷ କରିଥିଲେ । ଧିରେ ଧିରେ ତାଙ୍କର ଶରୀର ଅବଶ ହୋଇଯାଇଥିଲା । କିଛି ସମୟ ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ଆଲାବାମା ରାଜ୍ୟରେ ଦିଆଯାଇଥିବା ଏହି ମୃତ୍ୟୁଦଣ୍ତ ପୁରା ବିଶ୍ୱରେ ପ୍ରଥମ । ଏହି ପ୍ରକ୍ରିୟା ମୋଟ ୩୩ ମିନିଟ ପର୍ଯ୍ୟନ୍ତ ଚାଲିଥିଲା । ଏହି ମୃତ୍ୟୁଦଣ୍ତକୁ ଦେଖିଥିବା ପ୍ରିଷ୍ଟ୍ ଜେଫ ଉଡ କହିଛନ୍ତି, ସେମାନେ ଏପରି ଭୟଙ୍କର ଦୃଶ୍ୟକୁ କେବେ ମଧ୍ୟ ଭୁଲିପାରିବେ ନାହିଁ । ପ୍ରକୃତରେ ଯନ୍ତ୍ରଣା କଣ ସେମାନେ ସେବେ ଜାଣିବାକୁ ପାଇଥିଲେ । ସାମ୍ନାରେ ଥିବା ଅଭିଯୁକ୍ତର ମୁହଁରୁ ମୃତ୍ୟୁ ଓ ଯନ୍ତ୍ରଣାର ଭୟ ସ୍ପଷ୍ଟ ରୂପେ ବାରି ହୋଇ ପଡ଼ୁଥିଲା ।

ଏହା ହଲିଉଡ ନିର୍ମିତ ଏକ ଦୃଶ୍ୟ ପରି ଦେଖାଯାଉଥିଲା ବୋଲି ସେ କହିଛନ୍ତି । ଏପରି ଏକ ଦୃଶ୍ୟ ଯାହା କେବେ ମନରୁ ଲିଭିବ ନାହିଁ ବୋଲି ସେ କହିଛନ୍ତି । ଅନ୍ୟପଟେ ଏହି ପ୍ରକ୍ରିୟା ଦ୍ୱାରା ଯନ୍ତ୍ରଣା ବିହୀନ ମୃତ୍ୟୁ ମିଳିବ ବୋଲି କୁହା ଯାଉଥିବା ବେଳେ ପ୍ରକୃତ ଘଟଣା କିନ୍ତୁ ଅନ୍ୟ କିଛି ଥିଲା ବୋଲି ଜେଫ୍ କହିଛନ୍ତି । ଜେଫ୍ ଙ୍କ ମତରେ ଜେଲରେ ଥିବା ସମସ୍ତଙ୍କୁ କୁହାଯାଇଥିଲା ଯେ, ଏହା ଶୀଘ୍ର ଓ ସହଜ ମୃତ୍ୟୁ ହେବ ।

ପାଣି ବିନା ମାଛ ଯେପରି ଛଟପଟ ହୁଅନ୍ତି, ଅଭିଯୁକ୍ତ ସେହିପରି ଭାବେ ଛଟପଟ ହୋଇଥିଲେ । ଯନ୍ତ୍ରଣା ଏପରି ଥିଲା ଯେ, ସବୁ ମାନବୀୟ ଗୁଣ ତା ସାମ୍ନାରେ ଫିକା ପଡ଼ିଯିବ ବୋଲି କହିଥିଲେ ଜେଫ୍ । ଏନେଇ ହ୍ୱାଇଟ ହାଉସ ପକ୍ଷରୁ ମଧ୍ୟ ବିବୃତ୍ତି ପ୍ରକାଶ ପାଇଛି । ଜାତିସଂଘର ମାନବାଧିକାର ମୁଖ୍ୟ ଭୋଲକର ତୁର୍କ ମଧ୍ୟ ଏପରି ମୃତ୍ୟୁଦଣ୍ତକୁ ନେଇ ଚିନ୍ତା ପ୍ରକଟ କରିଥିଲେ ।

ପ୍ରାୟ ତିନି ଦଶନ୍ଧି ତଳେ ୫୮ ବର୍ଷୀୟ କେନେଥ୍ ଇଉଜିନ ସ୍ମିଥ ଓ ତାଙ୍କର ସହଯୋଗୀ ଜନ୍ ପାର୍କେର ମିଶି ଏଲିଜାବେଥ ସେନେଟ୍ଟା ନାମକ ମହିଳାଙ୍କୁ ହତ୍ୟା କରିଥିଲେ । ଏଥିପାଇଁ ଦୁହିଁଙ୍କୁ ସୁପାରୀ ମିଳିଥିଲା । ହତ୍ୟା ମାମଲାରେ ୧୯୮୮ ମସିହାରେ ସ୍ମିଥ ଓ ପାର୍କେରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।