• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବ୍ରିଟେନ୍‌ର ନୂଆ ରାଜା ଏବେ ପ୍ରିନ୍ସ ଚାର୍ଲସ । ସେ ଯୁଆଡ଼େ ଚାହିଁବେ ଯାଇପାରିବେ । ତାଙ୍କୁ ଲୋଡ଼ା ନାହିଁ ପାସପୋର୍ଟ । ସେ ଚାହିଁଲେ ଯେକୌଣସି ବି ଗାଡ଼ି ଚଲାଇପାରିବେ । ହେଲେ ତାଙ୍କୁ ଲୋଡ଼ା ନାହିଁ ଲାଇସେନ୍ସ । ଏମିତିକି ସେ ପରମ୍ପରା ଅନୁଯାୟୀ ବର୍ଷକୁ ଦୁଇ ଦୁଇଥର ଜନ୍ମ ଦିନ ପାଳିବେ । ଏଭଳି କିଛି ଅଜଣା ତଥ୍ୟ ଜାଣିବା ପାଇଁ ପଢ଼ନ୍ତୁ ପୁରା କାହାଣୀ ।

ନୋ ଲାଇସେନ୍ସ ନୋ ପାସପୋର୍ଟ

କିଙ୍ଗ ଚାର୍ଲ୍‌ସ ଏବେ ଯେ କୌଣସି ଦେଶକୁ ବିନା ପାସ୍‌ପୋର୍ଟ ମାଧ୍ୟମରେ ଯାଇପାରିବେ । କାରଣ ତାଙ୍କୁ କୌଣସି ପ୍ରକାର ଡକ୍ୟୁମେଣ୍ଟର ଆବଶ୍ୟକ ନାହିଁ । ତାଙ୍କ ନାଁରେ କୌଣସି ପ୍ରକାର ଡକ୍ୟୁମେଣ୍ଟ ଇସୁ ହେବାର ଆବଶ୍ୟକ ମଧ୍ୟ ନାହିଁ । ସମ୍ବିଧାନର ପ୍ରତି ଦସ୍ତାବିଜ୍‌ରେ ଏବେ ତାଙ୍କର ହସ୍ତାକ୍ଷର ରହିବ । ପ୍ରତ୍ୟେକ ରାଜ୍ୟ ତାଙ୍କ ଅଧିନରେ ରହିବ । ସେ ଚାହିଁଲେ ଏବେ ନିଜ ପାଇଁ ସୁରକ୍ଷାବାହିନୀ ନିୟୋଜିତ କରିପାରିବେ । ନଚେତ୍‌ ଯୁଆଡ଼େ ଚାହିଁବେ ଯାଇପାରିବେ । ଅନ୍ୟପଟେ ଠିକ୍‌ ଏହି କାରଣ ପାଇଁ କିଙ୍ଗ ଚାର୍ଲସଙ୍କୁ ଲୋଡ଼ା ନାହିଁ ଡ୍ରାଇଭିଂ ଲାଇସେନ୍ସ । ସେ ବିନା ଲାଇସେନ୍ସରେ ଚଲାଇପାରିବେ ଗାଡ଼ି ।

ଦୁଇଟି ଜନ୍ମ ଦିନ

ଚାର୍ଲସଙ୍କ ମାଆ ଦୁଇଟି ଜନ୍ମଦିନ ପାଳୁଥିଲେ । ଗୋଟିଏ ହେଲା ଏପ୍ରିଲ ୨୧। ଯାହାକି ତାଙ୍କର ସତ ସତିକା ଜନ୍ମଦିନ । କିନ୍ତୁ ସରକାରୀ ସ୍ତରରେ ତାଙ୍କର ଆଉ ଏକ ଜନ୍ମ ଦିନ ପାଳନ କରାଯାଉଥିଲା । ତାହା ହେଉଛି ଜୁନ୍‌ ମାସ ଦ୍ୱିତୀୟ ମଙ୍ଗଳବାର । କାରଣ ଏହି ସମୟରେ ଭଲ ଖରା ହେଉଥାଏ । ପାଗ ଶୁଖିଲା ଥାଏ । ଯାହାଫଳରେ ପଡ଼ିଆରେ ପ୍ୟାରେଡ୍‌ କରିବାକୁ ସୁବିଧା ହୋଇଥାଏ ।

ତେବେ ଚାର୍ଲସଙ୍କର ଜନ୍ମ ଦିନ ଶୀତ ସମୟରେ ନଭେମ୍ବର ୧୪ ତାରିଖରେ ପଡ଼ୁଛି । ତେଣୁ ତାଙ୍କର ମଧ୍ୟ ଏକ ଅଫିସିଆଲ ଜନ୍ମଦିନ ଖରା ସମୟରେ ପାଳନ କରାଯିବ ବୋଲି ଅନୁମାନ କରାଯାଉଛି ।

ଏହି ସାର୍ବଜନୀନ ଉତ୍ସବରେ ପରେଡ୍‌ର ଆୟୋଜନ କରାଯାଇଥାଏ । ଏହି ପରମ୍ପରା ୨୫୦ ବର୍ଷରୁ ଅଧିକ ବୋଲି କୁହାଯାଉଛି । ଏହି କାର୍ଯ୍ୟକ୍ରମରେ ୧୪୦୦ ସୈନ୍ୟ, ୨୦୦ ଘୋଡ଼ା, ୪୦୦ ସଂଗୀତକାର ସାମିଲ ହୋଇଥାନ୍ତି ।

ଏହି ଅବସରରେ ରୟାଲ ଏୟାର ଫୋର୍ସ ମଧ୍ୟ ନିଜର କାରନାମା ଦେଖାଇଥାଏ । ଆକାଶରେ ଉଡ଼ି ବିଭିନ୍ନ କଳାକୌଶଳ ଦେଖାଇଥାଏ ବାୟୁସେନା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଲଣ୍ଡନର ବଙ୍କିଂହୋମ୍‌ ପ୍ୟାଲେସ ବାଲକୋନୀରେ ବସି ଉପଭୋଗ କରିଥାନ୍ତି ପୁରା ରାଜପରିବାର ।

ଭୋଟ ଦେବେ ନାହିଁ

ବ୍ରିଟେନ୍‌ର ରାଜ ଭୋଟ୍‌ ଦେବେ ନାହିଁ କିମ୍ବା ନିର୍ବାଚନ ଲଢ଼ିପାରିବେ ନାହିଁ । କାରଣ ସେ ହେଉଛନ୍ତି ମୁଖ୍ୟ । ରାଜନୀତି ପ୍ରତି ତାଙ୍କର ଏକ କଠୋର ଭାବ ରହିବା ଆବଶ୍ୟକ । ସେ ସମସ୍ତଙ୍କର ଭୁଲ ଠିକ୍‌ ବିଚାର କରିବେ ତେଣୁ ତାଙ୍କୁ ନ୍ୟୁଟ୍ରାଲ ରହିବାକୁ ହେବ । ସେ କାହାକୁ ସମର୍ଥନ କରିବେ ନାହିଁ । ସେ ସଂସଦୀୟ କ୍ଷେତ୍ରରେ ହେଉଥିବା ବିଭିନ୍ନ ବୈଠକରେ ସାମିଲ ହୋଇପାରିବେ । ସଂସଦରେ ପାରିତ ହେଉଥିବା ଆଇନ କାନୁନକୁ ସେ ମଞ୍ଜୁରୀ ପ୍ରଦାନ କରିଥାନ୍ତି । ଏମିତିକି ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତି ସପ୍ତାହରେ ବୈଠକ କରନ୍ତି ।

ହଂସ- ଡଲ୍‌ଫିନ୍‌, ସବୁ ରାଜାଙ୍କର

ବ୍ରିଟିସ ସମ୍ରାଟ୍ କେବଳ ଲୋକଙ୍କୁ ଶାସନ କରିନଥାନ୍ତି । ବ୍ରିଟିସ୍‌ ପାଣିରେ ଥିବା ମାଛ -ହଂସର ବି ସେ ମାଲକ ।

ଦ୍ୱାଦଶ ଶତାବ୍ଦୀ ସମୟରୁ ଇଂଲଣ୍ଡ ଏବଂ ୱେଲ୍‌ମ୍ସ ପାଣିରେ ବୁଲୁଥିବା ହଂସର ମାଲିକ ମଧ୍ୟ ବ୍ରିଟିସ୍‌ର ସମ୍ରାଟ୍ ବୋଲି କୁହାଯାଏ ।

ପ୍ରତି ବର୍ଷ, ଟେମ୍‌ସ ନଦୀର କିଛି ଭାଗରେ ରାଜ ପରିବାର ଅଧିକାର ଥିବା ଦର୍ଶାଇ ସେଠାରେ ନିର୍ଦ୍ଦିଷ୍ଟ ପରମ୍ପରା ଅନୁଯାୟୀ ହଂସଗୁଡ଼ିକର ଗଣନା କରାଯାଏ ।  ଏହି କ୍ରମରେ ବ୍ରିଟିସ୍‌ ପାଣିରେ ଥିବା ସମସ୍ତ ତିମି ଓ ଡଲ୍‌ଫିନ୍‌ ଉପରେ ବି ରାଜପରିବାରର ଅଧିକାର ରହିଛି ବୋଲି କୁହାଯାଏ ।

ରାଜପରିବାରର କବି

ପ୍ରତି ୧୦ ବର୍ଷରେ ଜଣେ କବିକୁ ରାଜ ପ୍ରାସାଦରେ ନିଯୁକ୍ତି ଦିଆଯାଇଥାଏ । ଯିଏ କି ବ୍ରିଟିସ୍‌ ସମ୍ରାଟ୍‌ଙ୍କ ପାଇଁ ଗୀତ ଲେଖିଥାନ୍ତି । ଏହି ପରମ୍ପରା ସପ୍ତଦଶ ଶତାବ୍ଦୀରୁ ଚାଲି ଆସୁଛି ।

ପ୍ରଥମ ଥର ପାଇଁ ୨୦୦୯ରେ ଜଣେ ମହିଳା କବିଙ୍କୁ ଏଠାରେ ନିଯୁକ୍ତ କରାଯାଇଥିଲା । ସେ ଏକ ବିରାଟ କବି ସମ୍ମେଳନ ପ୍ରତିଯୋଗିତାରେ ବିଜୟୀ ହେବା ପରେ ଏହି ସୌଭାଗ୍ୟ ପାଇଥିଲେ । ତାଙ୍କ ନାଁ କାରୋଲ ଆନ୍‌ ଡଫି ।