ଦୀର୍ଘ ୩ ବର୍ଷ ପରେ ବନ୍ଦ ହେବାକୁ ଯାଉଛି ରୁଷ୍-ୟୁକ୍ରେନ୍ ଯୁଦ୍ଧ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାତାର ରୁଷ୍-ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏ ସଂକ୍ରାନ୍ତରେ ଡୋନାଲ୍ଡ ଟ୍ରମ୍ପ ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ୍ରେ ଆଲୋଚନା ମଧ୍ୟ କରିଛନ୍ତି। ଯୁଦ୍ଧ ଆରମ୍ଭ ହେବା ପରେ ଆମେରିକାର ରାଷ୍ଟ୍ରପତି ଓ ରୁଷ୍ର ରାଷ୍ଟ୍ରପତି ମଧ୍ୟରେ ଏହା ହେଉଛି ପ୍ରଥମ ଆଳାପ। ଇତିମଧ୍ୟରେ ୟୁକ୍ରେନ୍ ସହ ମସ୍କୋ ଯୁଦ୍ଧ ଶେଷ ନ କଲେ ରୁଷିଆ ଉପରେ ଆର୍ଥିକ କଟକଣା ଜାରି କରାଯିବ ବୋଲି ଟ୍ରମ୍ପ୍ ଚେତାବନୀ ଦେଇଥିଲେ। ରୁଷିଆ ନିଜ ତୈଳର ମୂଲ୍ୟ ହ୍ରାସ କଲେ ୟୁକ୍ରେନ୍ ସଂଘର୍ଷର ଅବସାନ ଘଟିବ ବୋଲି ଟ୍ରମ୍ପ୍ କହିଛନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି।
ଅଧିକ ପଢ଼ନ୍ତୁ: ଯୁଦ୍ଧ ନିଆଁରେ ମାଲାମାଲ ହେଉଛି ଆମେରିକା, ଏତେ ଟଙ୍କାର ବେପାର କରୁଛି ଯେମିତି ଦେଶ କିଣି ଦେବ
ଡାଭୋସ୍ରେ ସଦ୍ୟ ଅନୁଷ୍ଠିତ ହୋଇଯାଇଥିବା ୱାଲଡ୍ ଇକୋନୋମିକ୍ ଫୋରମ୍ (ଡବ୍ଲ୍ୟୁଇଏଫ୍)କୁ ସମ୍ବୋଧିତ କରି ଟ୍ରମ୍ପ୍ କହିଥିଲେ। ସେ ସାଉଦି ଆରବ ଏବଂ ଅର୍ଗାନାଇଜେଶନ୍ ଅଫ୍ ଦି ପେଟ୍ରୋଲିଂ ଏକ୍ସପୋର୍ଟିଂ କଣ୍ଟ୍ରିଜ୍ (ଓପିଇସି)କୁ ତୈଳ ଦର ହ୍ରାସ ପାଇଁ ପରାମର୍ଶ ଦେଇଛନ୍ତି। ତେବେ ମୂଲ୍ୟ ହ୍ରାସ ହେଲେ ତତ୍କାଳ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଶେଷ ହେବ ବୋଲି ସୂଚନା ମିଳିଛି।
Also Read
ୟୁକ୍ରେନ ପ୍ରଥମ ଥର ପାଇଁ ରୁଷ୍ ଉପରକୁ ଆମେରିକା ନିର୍ମିତ ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। କେହି କାହାର ଅଂହକାର ଛାଡ଼ୁଡ଼ାହାନ୍ତି। ଆମେରିକାର ଶକ୍ତିଶାଳୀ ‘ଏଟିଏସିଏମ୍ଏସ୍’ ଦୂରଗାମୀ କ୍ଷେପଣାସ୍ତ୍ର ୟୁକ୍ରେନ ବ୍ୟବହାର କରିଥିବାବେଳେ ରୁଷ୍ ଏହାକୁ ଅତି ଗମ୍ଭୀରତାର ସହ ନେଇଛି। ରୁଷ୍ ତା’ର ଯୁଦ୍ଧନୀତିର ପରିବର୍ତ୍ତନ ଆଣି ନିଜର ମହାଶକ୍ତିଶାଳୀ ହାଇପରସୋନିକ ଓ ସୁପରସୋନିକ୍ ରେଞ୍ଜର କ୍ଷେପଣାସ୍ତ୍ର ବ୍ୟବହାର ଯୁକ୍ରେନ୍କୁ ବାରମ୍ବାର ଆକ୍ରମଣ କରୁଛି।
ଏଭଳି ପରିସ୍ଥିତି ଜାରି ରହିଲେ ବିଶ୍ବ ତୃତୀୟ ବିଶ୍ବଯୁଦ୍ଧକୁ ସାମନା କରିବାକୁ ଯାଉଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ରୁଷ୍ ଏବଂ ୟୁକ୍ରେନ୍ ଯୁଦ୍ଧର ସରଳ ସମାଧାନ ପାଇଁ ବିଶ୍ବ ନେତୃବୃନ୍ଦ ପଦକ୍ଷେପ ନ ହେଲେ ପରିସ୍ଥିତି ସାଂଘାତିକ ହେବ ବୋଲି ବରିଷ୍ଠ ସାମରିକ କୂଟନୀତିଜ୍ଞ ଆଶଙ୍କା ବ୍ୟକ୍ତ କରିଛନ୍ତି। ଆମେରିକାରେ ରିପବ୍ଲିକାନ ପାର୍ଟି ନେତା ଡୋନ୍ଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଦାୟିତ୍ବ ନେବା ପରେ ଏକ ନୂଆ ଯୁଦ୍ଧର ଅୟମାରମ୍ଭ ହେବ ବୋଲି ଆଶା ପ୍ରକଟ କରାଯାଇଥିଲା। ତାହା ଏବେ ସତ୍ୟ ହେବାକୁ ଯାଉଛି। ଟ୍ରମ୍ପ କହିଛନ୍ତି କି ଗତ ପାଖାପାଖି ୩ବର୍ଷରୁ ଏହି ଯୁଦ୍ଧ ଚାଲିଛି। ଯଦି ମୁଁ ରାଷ୍ଟ୍ରପତି ହୋଇଥାନ୍ତି ତ ଯୁଦ୍ଧ କେବେ ବି ଆରମ୍ଭ ହୋଇ ନଥା’ନ୍ତା। ଶାନ୍ତି ପାଇଁ ଆମେ ଆଲୋଚନା କରିଥାନ୍ତୁ।
‘ଯୁଦ୍ଧର ପରିସମାପ୍ତି ଘଟାଇବା ପ୍ରଥମ ପ୍ରାଥମିକତା’:
ୟୁକ୍ରେନ୍ ଓ ରୁଷ୍ ମଧ୍ୟରେ ଭୟଙ୍କର ଯୁଦ୍ଧ ଏବେ ବି ଜାରି ରହିଛି। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କାର୍ଯ୍ୟାଳୟ କ୍ରେମଲିନ୍ ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୟୁକ୍ରେନର ମହତ୍ତ୍ୱପୂର୍ଣ୍ଣ ଭାଗ ରୁଷ୍କୁ ମିଳିବା ଉଚିତ୍। ତେବେ ରୁଷ୍ର ଏପରି ଦାବିକୁ ହଠାତ୍ ୟୁକ୍ରେନ୍ ହଜମ କରିପାରୁନାହିଁ। ଅନ୍ୟପକ୍ଷରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ଼ ଟ୍ରମ୍ପ କହିଛନ୍ତି ଯେ, ସେ ନିର୍ବାଚନବେଳେ ଦେଇଥିବା ପ୍ରତିଶ୍ରୁତି ତାଙ୍କର ମନେ ରହିଛି। ସେ ସର୍ବଦା ପ୍ରତିଶ୍ରୁତି ପାଳନ କରନ୍ତି। ବିଶ୍ୱରୁ ଯୁଦ୍ଧର ପରିସମାପ୍ତି କରିବା ହିଁ ତାଙ୍କର ପ୍ରଥମ ପ୍ରାଥମିକତା। ରୁଷ୍ ଓ ୟୁକ୍ରେନ ମଧ୍ୟରେ ୩ ବର୍ଷରୁ ଊର୍ଦ୍ଧ୍ବ ହେଲା ଯୁଦ୍ଧ ଜାରି ରହିଛି। ଅନେକ ମୃତାହତ ଓ ବିଲିୟନ ବିଲିୟନ ସଂପତ୍ତିର କ୍ଷତି ହେବା ପରେ ଏବେ ଏହି ଯୁଦ୍ଧ ବନ୍ଦ ହୋଇଯିବା ଉଚିତ୍।
ୟୁକ୍ରେନ୍କୁ ସହାୟତା ଏକପାଖିଆ ହେବ ନାହିଁ - ଟ୍ରମ୍ପ:
ରୁଷିଆ-ୟୁକ୍ରେନ ଯୁଦ୍ଧରେ, ବାଇଡେନ ପ୍ରଶାସନ ୟୁକ୍ରେନକୁ ଆର୍ଥିକ, କୂଟନୈତିକ ଏବଂ ସାମରିକ କ୍ଷେତ୍ରରେ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଇଥିଲେ। ଟ୍ରମ୍ପ ହ୍ବାଇଟ ହାଉସକୁ ଫେରିବା ପରେ ୟୁକ୍ରେନକୁ ଦିଆଯାଉଥିବା ସହାୟତା ଏକପାଖିଆ ହେବ ନାହିଁ। ସାମ୍ବାଦିକଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ, ଆମେରିକା ୟୁକ୍ରେନକୁ ତାର ୟୁରୋପୀୟ ଅଂଶୀଦାରଙ୍କ ତୁଳନାରେ ଅଧିକ ସାମରିକ ଏବଂ ଆର୍ଥିକ ସହାୟତା ଦେଇଛି। ଆମେ ୟୁକ୍ରେନ ସହିତ ଏକ ଚୁକ୍ତି କରିବାକୁ ଚାହୁଁଛୁ। ଯେଉଁଥିରେ ସେ ଆମକୁ ମଧ୍ୟ ସହଯୋଗ ଓ ସାହାଯ୍ୟ କରିବ। କେବଳ ଇସ୍ରାଏଲ୍ ଏବଂ ତୁର୍କୀକୁ ବାଦ୍ଦେଲେ ୟୁକ୍ରେନ୍ ସମେତ ଅଧିକାଂଶ ଦେଶକୁ ଆମେରିକା ବିଦେଶୀ ସହାୟତା ବନ୍ଦ କରିଦେଇଛି।
ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍ ଦାୟିତ୍ୱ ଗ୍ରହଣ କରିବା ପରେ ଆମେରିକା ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ଏକ ଆଭ୍ୟନ୍ତରୀଣ ନିର୍ଦେଶନାମା ଜାରି କରିଥିଲେ, ଯେଉଁଥିରେ ବିଦେଶୀ ସହାୟତାକୁ ନେଇ ‘ଆମେରିକା ଫାଷ୍ଟ’ ଆଭିମୁଖ୍ୟକୁ ପ୍ରାଧାନ୍ୟ ଦିଆଯାଇଛି। ଏଣିକି ଦେଶଗୁଡ଼ିକୁ ନୂଆ ପାଣ୍ଠି ମଞ୍ଜୁର କରାଯିବ ନାହିଁ କିମ୍ବା ନବୀକରଣ କରାଯିବ ନାହିଁ ବୋଲି ଉକ୍ତ ନିର୍ଦେଶନାମାରେ କୁହାଯାଇଛି। କେବଳ ଇସ୍ରାଏଲ୍ ଏବଂ ଇଜିପ୍ଟକୁ ଜରୁରୀ ଖାଦ୍ୟ ଓ ସାମରିକ ପାଣ୍ଠି ଯୋଗାଇ ଦିଆଯିବ।
ଆମେରିକା ପ୍ରଶାସନର ଏହି ନିର୍ଦେଶନାମା ବିକାଶ ଓ ସାମରିକ ସହାୟତା ଆଦି ବିଭିନ୍ନ ବର୍ଗର ସହାୟତାକୁ ପ୍ରଭାବିତ କରିବ, ବିଶେଷକରି ୟୁକ୍ରେନ୍ ଅଧିକ ପ୍ରଭାବିତ ହେବ। ରୁଷିଆ ବିରୋଧରେ ଯୁଦ୍ଧ କରିବାକୁ ୟୁକ୍ରେନ୍କୁ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପ୍ରଶାସନ ପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର ଓ ସହାୟତା ଯୋଗାଇ ଦେଇଥିଲା। ସହାୟତା ବନ୍ଦ ଯୋଗୁ ଆଫ୍ରିକାର ବିକାଶଶୀଳ ଦେଶଗୁଡ଼ିକରେ ଏଚ୍ଆଇଭି/ଏଡ୍ସ ଚିକିତ୍ସା ପ୍ରଭାବିତ ହେବ। ତେବେ ଯୁଦ୍ଧ ବନ୍ଦ ହେଲେ ହିଁ ଦୁଇ ରାଷ୍ଟ୍ରର ଅର୍ଥନୀତି ବିକାଶ ଧୀରେ ଧୀରେ ଆରମ୍ଭ କରିବ। ଏଥିପାଇଁ ପର୍ଯ୍ୟାପ୍ତ ସମୟ ଆବଶ୍ୟକ।
ଅଂହକାର ପାଇଁ ଅକାଳରେ ଝରିଗଲା ନିରୀହ ଜୀବନ:
ଯୁଦ୍ଧ ଚାଲିଛି। ଦୁଇ ରାଷ୍ଟ୍ରର ମୁଖ୍ୟ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲିମିଡର୍ ଜେଲେସ୍କି ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଦେଖୁଛନ୍ତି। କେମିତି ନିଜ ନିଜ ସେନା ଜୀବନକୁ ବାଜି ଲଗାଇ ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। ଯୁଦ୍ଧର ଶେଷକଥା ମୁଠାଏ ପାଉଁଶ;ଏକଥା ଦୁଇ ରାଷ୍ଟ୍ରର ମୁଖ୍ୟ ମଧ୍ୟ ବେଶ୍ ଭଲଭାବେ ବୁଝିସାରିଛନ୍ତି। ତଥାପି ନିଜର ପତିଆରା ବିଶ୍ବକୁ ଦେଖାଇବା ପାଇଁ ନିଜ ନିଜ ଜିଦ୍ରେ ଅଟଳ। ଆମେରିକା କଥାରେ ଭାସିଯାଇ ନାଟୋରେ ସାମିଲ୍ ହେବା ନେଇ ଯୋଜନା କରୁଥିବା ୟୁକ୍ରେନ୍ କିନ୍ତୁ ଏବେ ଲକ୍ଷ୍ୟପଥରୁ ବିଚ୍ୟୁତ ହେବା ନେଇ ଏକ ପ୍ରକାର ନିଶ୍ଚିତ କରିସାରିଥିବ। ଶକ୍ତିଶାଳୀ ରୁଷ ପାଖେ ପରାଜୟ ସ୍ବୀକାର କରିବା ନିଶ୍ଚିତ ରୂପେ ୟୁକ୍ରେନ୍କୁ ଶକ୍ତ ଧକ୍କା ସଦୃଶ।
ନିଜର ଜିଦ୍ ଆଉ ଅହଂକାର ପାଇଁ ତାହା କରିପାରୁନି ଓ କେହି ଯୁଦ୍ଧରୁ ବିରତ ରହୁନାହାନ୍ତି। ଫଳରେ ରୁଷ୍ ଆଜି ବି ୟୁକ୍ରେନ୍ ସହ ଯୁଦ୍ଧ ଜାରି ରଖିଛି। ରୁଷ୍ ଚାହେଁ ଆମେରିକା କିମ୍ବା ନାଟୋ ସହ କୌଣସି କୂଟନୈତିକ ସମ୍ପର୍କ ନ ରଖି ନିଜର ସ୍ୱାଧୀନତା ଏବଂ ସ୍ୱାଭିମାନ ବଜାୟ ରଖୁ ୟୁକ୍ରେନ୍। କିନ୍ତୁ ୟୁକ୍ରେନ୍ ଏହାର ଓଲଟା ଚାହୁଁଛି। ସେ ତାର ଆଧିପତ୍ୟ ଜାହିର କରିବାକୁ ଚାହେଁ।
ଭୁଷୁଡ଼ିପଡ଼ିଲାଣି ଅର୍ଥନୈତିକ ବିକାଶ:
ସ୍ବାର୍ଥ ହାସଲ ପାଇଁ କେହି କିଛି ବି କରିପାରେ। ଯେଉଁ ସ୍ବାର୍ଥକୁ ହାସଲ ପାଇଁ ରୁଷ ୟୁକ୍ରେନ୍ ବିରୋଧରେ କରୁଛି ଲଢ଼େଇ। ଅହରହ ଗୁଳି-କ୍ଷେପଣାସ୍ତ୍ର ମାଡ । ଆଉ ଏଥିରେ ଶିକାର ହେଉଛନ୍ତି ନିରୀହ ଜନସାଧାରଣ। ଏହା ଦ୍ବାରା ଦୁଇ ରାଷ୍ଟ୍ରର ଅର୍ଥନୈତିକ ବିପର୍ଯ୍ୟୟ ଘଟୁଛି। ଦୁଇ ରାଷ୍ଟ୍ର ମଧ୍ୟରେ କେବେ ଥମିବ ଯୁଦ୍ଧ, ସେକଥା ସାଂପ୍ରତିକ ସ୍ଥିତିରେ ଆକଳନ କରିବା କଷ୍ଟସାଧ୍ୟ। ଯୁଦ୍ଧର ପ୍ରଭାବ ଖାଲି ରୁଷ୍ କି ୟୁକ୍ରେନକୁ କ୍ଷତି ଆଣିନି, ସମଗ୍ର ବିଶ୍ବବାସୀଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି ଓ ଆଗାମୀ ଦିନରେ ଆହୁରି ସାଂଘାତି ଭାବେ ପ୍ରଭାବିତ କରିବ। ତିନି ବର୍ଷ ଧରି ଚାଲିଥିବା ଏହି ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ସୈନିକଙ୍କର ମୃତ୍ୟୁ ହୋଇଛି ବୋଲି ୟୁକ୍ରେନ୍ର ରାଷ୍ଟ୍ରପତି ଦାବି କରିଛନ୍ତି।
ସେ କହିଛନ୍ତି ଯେ, ରୁଷିଆ ସେନାର ଆକ୍ରମଣରେ ୟୁକ୍ରେନ୍ର ୪୦ ହଜାର ସୈନିକ ପ୍ରାଣ ହାରିଛନ୍ତି । ୟୁକ୍ରେନ ଉପରେ ଆକ୍ରମଣ ପରେ ରୁଷ ଉପରେ କଡା ପ୍ରତିବନ୍ଧକ ଲାଗୁ କରାଯାଇଛି। ଭାରତ ନିଜ ଆବଶ୍ୟକତାର ୮୦ ପ୍ରତିଶତ ତେଲ ଆମଦାନୀ କରିଥାଏ। ଏଥିରୁ କେବଳ ୨ରୁ ୩ ପ୍ରତିଶତ ଆମଦାନୀ ରୁଷରୁ ହୋଇଥାଏ। କିନ୍ତୁ ୟୁକ୍ରେନ ସଙ୍କଟ ପରେ ବିଶ୍ବରେ ଅଶୋଧିତ ତୈଳର ମୂଲ୍ୟରେ ୪୦ ପ୍ରତିଶତ ବୃଦ୍ଧି ପାଇଛି । ଫଳରେ ରୁଷ ଶସ୍ତାରେ ତେଲ ବିକ୍ରି କରିବାକୁ ବାଧ୍ୟ ହୋଇଛି। ଯୁଦ୍ଧର ପ୍ରଭାବ ବିଶ୍ବର ସମସ୍ତ ରାଷ୍ଟ୍ର ଉପରେ ପଡ଼ିସାରିଲାଣି।
ସାମାଜିକ, ଭୌଗୋଳିକ, ଆର୍ଥିକ ଓ ପ୍ରତିରକ୍ଷା ଭିତ୍ତିଭୂମିକୁ ଆଧାର କରି ରୁଷିଆ ଏବେ ୟୁକ୍ରେନ୍ ଠାରୁ ଅନେକ ଆଗରେ। ଯେଉଁଥିପାଇଁ ୟୁକ୍ରେନ୍ର ନରମ ଆଭିମୁଖ୍ୟ ସତ୍ତ୍ବେ ବି ନିଜର ସ୍ବାର୍ଥ ହାସଲ ନ ହେଲେ ଯୁଦ୍ଧରୁ ବିରତ ରହିବାକୁ ନାରାଜ। ସେପଟେ ୟୁକ୍ରେନ୍ରେ ଯାହା ବି କ୍ଷତି ହେଉଛି, ରୁଷ ହିଁ ସବୁ କ୍ଷତି ଭରଣା କରିବ ବୋଲି କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେସ୍କି । ତେବେ ସବୁର ସରଳ ସମାଧାନ ଯୁଦ୍ଧ ବନ୍ଦ ହେଲେ ହିଁ ହେବ। ତେଣୁ ଏ ଯୁଦ୍ଧ ବନ୍ଦ ପାଇଁ ଯୁଦ୍ଧ କରୁଥିବା ଦୁଇ ରାଷ୍ଟ୍ର ସମେତ ବିଶ୍ବସମୂହ ଆଗେଇ ଆସିବା ଉଚିତ୍।