Advertisment

ଦେଶକୁ ସମ୍ବୋଧନ ବେଳେ ବନ୍ଦ ହୋଇଗଲା ଆଖି, ଥରଥର ହୋଇ ଉଠିଲା କଣ୍ଠ

ବନ୍ଦ ଆଖି, ଥରଥର କଣ୍ଠ । ରାଷ୍ଟ୍ରପତି ଜୋ ବାଇଡେନ୍ ଦେଶକୁ ସମ୍ବୋଧନ କରିବା ବେଳେ, ଏହା ସ୍ପଷ୍ଟ ପ୍ରତିଫଳିତ ହେଉଥିଲା ଯେ, ଆମେରିକା ସରକାରକୁ କିଭଳି ଭିତରୁ ଦୋହଲାଇ ଦେଇଛି କାବୁଲ୍ ବିସ୍ଫୋରଣ ।

author-image
Satyendu Shekher Mishra
Joe Biden

Joe Biden

ବନ୍ଦ ଆଖି, ଥରଥର କଣ୍ଠ । ରାଷ୍ଟ୍ରପତି ଜୋ ବାଇଡେନ୍ ଦେଶକୁ ସମ୍ବୋଧନ କରିବା ବେଳେ, ଏହା ସ୍ପଷ୍ଟ ପ୍ରତିଫଳିତ ହେଉଥିଲା ଯେ, ଆମେରିକା ସରକାରକୁ କିଭଳି ଭିତରୁ ଦୋହଲାଇ ଦେଇଛି କାବୁଲ୍ ବିସ୍ଫୋରଣ । କୁହାଯାଉଛି ଏହା ଗତ ଦଶନ୍ଧି ଭିତରେ ଆମେରିକାକୁ ସବୁଠୁ ବଡ଼ ଧକ୍କା । ଏବେ ଭୀଷଣ ଚାପରେ ନିଜେ ପ୍ରେସିଡେଣ୍ଟ୍ ବାଇଡେନ୍ । କାବୁଲ୍ ଏୟାର୍ପୋର୍ଟ ନିକଟରେ ଦୁଇ ଦୁଇଟି ଆତ୍ମଘାତୀ ବିସ୍ଫୋରଣରେ ୧୩ ଜଣ ଆମେରିକୀୟ ସୈନ୍ୟଙ୍କ ଜୀବନ ଯିବା ପରେ, ସହିଦଙ୍କୁ ହିରୋ ଏବଂ ଦୋଷୀଙ୍କୁ ଖୋଜି ଖୋଜି ମାରିବୁ ବୋଲି କହିବା ସତ୍ତ୍ୱେ, ବିରୋଧୀଙ୍କ ତୀବ୍ର ସମାଲୋଚନାର ସାମ୍ନା କରିବାକୁ ପଡ଼ୁଛି ବାଇଡେନଙ୍କୁ । କଥା, ଇସ୍ତଫା ଦାବି ଯାଏଁ ବି ଯାଇଛି । ମୁଁ ରାଷ୍ଟ୍ରପତି ଥିଲେ ଏଭଳି ଘଟଣା ଘଟିନଥାନ୍ତା ବୋଲି କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

Advertisment

ସେପଟେ ରିପବ୍ଲିକ୍ ପାର୍ଟି କଂଗ୍ରେସଓ୍ୱମେନ୍ ଏଲିସ୍ ଷ୍ଟିଫାନିକ୍ କହିଛନ୍ତି, ବାଇଡେନ୍ କମାଣ୍ଡର୍-ଇନ୍-ଚିଫ୍ ହେବାକୁ ଅଯୋଗ୍ୟ । ରିପବ୍ଲିକାନ୍ ସିନେଟର୍ ମାର୍ଶା ବ୍ଲାକ୍‌ବର୍ଣ୍ଣ ଟୁଇଟ୍ କରି ବାଇଡେନ୍‌ଙ୍କ ଇସ୍ତଫା ଦାବି କରିଛନ୍ତି । କେବଳ ବିରୋଧୀ ଦଳ ନୁହେଁ, ଏହି ଘଟଣା ପରେ ଆଜି ବିଭିନ୍ନ ଜନମତ ସର୍ଭେରେ ମଧ୍ୟ ବାଇଡେନ୍‌ଙ୍କ ଲୋକପ୍ରିୟତା କମିଥିବା ଦେଖିବାକୁ ମିଳିଛି ।

Advertisment

ଆଫ୍‌ଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ସହ, ଯଥାଶୀଘ୍ର ସେମାନଙ୍କୁ ସେଠାରୁ ଆମେରିକା ଅଣାଯିବ ବୋଲି ଘୋଷଣା କରିବା ପରେ, ବାଇଡେନ୍‌ଙ୍କ ପ୍ରତି ଆମେରିକୀୟଙ୍କ ଶ୍ରଦ୍ଧା ଓ ସମର୍ଥନ ବଢ଼ିଥିଲା । ତେବେ ଆମେରିକୀୟ ଓ ନାଟୋ ସୈନ୍ୟ ଆଫଗାନିସ୍ତାନ ଛାଡ଼ୁ ଛାଡ଼ୁ ମାତ୍ର ଦିନ କେଇଟା ଭିତରେ ତାଲିବାନ୍ ପୂରା ଦେଶକୁ ଦଖଲ କରିନେଇଥିଲା । ଏମିତିକି ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କୁ ଦେଶ ଛାଡ଼ିବାକୁ ପଡ଼ିଲା ।

ତେଣୁ ତରବରିଆ ଭାବେ ସେନା ପ୍ରତ୍ୟାହାର ଯୋଗୁଁ ତାଲିବାନକୁ ଦେଶ ଦଖଲ ପାଇଁ ମଉକା ମିଳିଲା ଦର୍ଶାଇ, ଆମେରିକାକୁ ଦୋଷାରୋପ କରିଥିଲେ ବହୁ ଦେଶ । ତେବେ ନିଜ ନିଷ୍ପତ୍ତିରେ କାଏମ୍ ରହିବା ସହ ମାତ୍ର ୧୦ ଦିନ ଭିତରେ ଆମେରିକୀୟ ନାଗରିକଙ୍କ ସମେତ ପ୍ରାୟ ୧ଲକ୍ଷ ଲୋକଙ୍କୁ କାବୁଲରୁ ଉଦ୍ଧାର କରିଥିଲା ଆମେରିକା ସେନା । ଏଥିପାଇଁ ଅଗଷ୍ଟ ୩୧ ଡେଡ୍ ଲାଇନ୍ ରହିଥିବା ବେଳେ, ଉଦ୍ଧାର ପ୍ରକ୍ରିୟାର ଶେଷ ସୋପାନରେ ଘଟିଗଲା ଏତେ ବଡ଼ ଅଘଟଣ । ଯେଉଁଥିପାଇଁ ବାଇଡେନ୍‌ଙ୍କ ଉପରେ ଚାପକୁ ବହୁଗୁଣିତ ହୋଇଛି । ତେବେ ଆଗକୁ କାବୁଲ୍‌ରେ ପୁଣି ଆତଙ୍କୀ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଥିବା ବେଳେ, ଏହାକୁ ରୋକିବା ଦିଗରେ ବାଇଡେନ୍ ପ୍ରଶାସନ କିଭଳି କଠୋର ଆଭିମୁଖ୍ୟ ଗ୍ରହଣ କରୁଛି ତା ଉପରେ ନଜର ।

Afghanistan Joe Biden America
Advertisment
Advertisment