ପାକିସ୍ତାନର ପୋଲ୍‌ ଖୋଲିଲା ଆଫଗାନିସ୍ତାନ୍‌ : କହିଲା,ପାକ୍‌ ଭିତରେ ହିଁ ଅଛି ଆତଙ୍କୀ

ଭାରତରେ ଅନେକ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ତଥା କୁଖାତ ଆତଙ୍କବାଦୀ ମାସୁଦ ସମ୍ପର୍କରେ ପାକିସ୍ତାନ କ୍ରମାଗତ ଭାବରେ ମିଛ କହୁଛି । ତାଲିବାନ ପାକିସ୍ତାନର ପୋଲ୍ ଖୋଲି ଦେଇଛି ।

ପାକିସ୍ତାନର ପୋଲ୍‌ ଖୋଲିଲା ଆଫଗାନିସ୍ତାନ୍‌

ଧରାପଡ଼ିଗଲା ପାକିସ୍ତାନର ମିଛ ସଫେଇ । ଏଫ୍ଏଟିଏଫର ଗ୍ରେ ଲିଷ୍ଟରୁ ବର୍ତ୍ତିବା ଲାଗି କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ ନେଇ ପାକିସ୍ତାନ ର ମିଛ ଧରାପଡ଼ିଯାଇଛି । ମାସୁଦ ଆଝାର ଆଫଗାନିସ୍ତାନ ନୁହେଁ, ପାକିସ୍ତାନରେ ହିଁ ଥାଇପାରେ ବୋଲି ଆଫଗାନିସ୍ତାନର ତାଲିବାନ ସରକାର ସ୍ପଷ୍ଟ କରିଛି । ପ୍ରମାଣ ଏବଂ କାଗଜପତ୍ର ନ ଥିବା ଏଭଳି ଅଭିଯୋଗରୁ ନିବୃତ୍ତ ରହିବାକୁ ଚେତାଇ ମଧ୍ୟ ଦେଇଛି ।

ମାସୁଦ ଭଳି କୁଖ୍ୟାତ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବା ଦୃଷ୍ଟିରୁ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖିବା ଲାଗି ଏଫ୍ଏଟିଏଫ୍ ଚେତାବନୀ ଦେଇଥିଲା । ଗ୍ରେ ଲିଷ୍ଟରେ ରହିବା ବା ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବା ଦଷ୍ଟିରୁ ଅନ୍ତର୍ଜାତୀୟ ଆର୍ଥିକ ସହାୟତା ବନ୍ଦ ହେବା ଆଶଙ୍କା ଥିଲା । ଏଣୁ ଏଥିରୁ ବର୍ତ୍ତିବା ଲାଗି ମାସୁଦ ଆଝାରକୁ ଗିରଫ କରିବା ଲାଗି ଆଫଗାନିସ୍ତାନକୁ ଚିଠି ଲେଖିଥିଲା । ଏହାସହ କହିଥିଲା ଯେ, ତାଲିବାନ ଶାସନ ଆସିବା ପରେ ମାସୁଦ ଆଫଗାନିସ୍ତାନକୁ ଚାଲିଯାଇଛି । ସେ ନଙ୍ଗରହାର ଓ କନହାର ଅଞ୍ଚଳରେ ରହୁଛି । ଏଣୁ ତାକୁ ଗିରଫ କରି ହସ୍ତାନ୍ତର କରିବାକୁ ପାକିସ୍ତାନ ଏ ଚିଠିରେ ଲେଖିଥିଲା ।

ତେବେ ଗତକାଲି ତାଲିବାନ ସରକାର ଏହାକୁ ଖଣ୍ଡନ କରିଛନ୍ତି । ତାଲିବାନ ସରକାରଙ୍କ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍ କହିଛନ୍ତି, ଜୈସ ଇ ମହମ୍ମଦର ମୁଖ୍ୟ ମାସୁଦ୍ ଆଝାର ଆଫଗାନିସ୍ତାନରେ ନାହିଁ ବରଂ ପାକିସ୍ତାନରେ ଥାଇପାରେ । ତେବେ ଏଭଳି ଆରୋପ କାବୁଲ ଓ ଇସଲାମାବାଦ ମଧ୍ୟରେ ସଂପର୍କ ନଷ୍ଟ କରିବା ଆଶଙ୍କା ରହିଛି ବୋଲି ତାଲିବାନ ସରକାର କହିଛନ୍ତି ।

ସୂଚନାଯୋଗ୍ୟ ଭାରତ ରେ ସଂସଦ ଭବନ ଆକ୍ରମଣ ଠାରୁ ଆରମ୍ଭ କରି ମୁମ୍ବାଇ ବିସ୍ଫୋରଣ, ପଠାନକୋଟ ଓ ପୁଲୱାମା ଭଳି ଏକାଧିକ ଆତଙ୍କୀ ହମଲାରେ ମାସୁଦର ହାତ ଥିବାର ପ୍ରମାଣ ପୂର୍ବରୁ ପାକିସ୍ତାନକୁ ଦେଇ ସାରିଛି ଭାରତ ।