• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ମୁଁ ମୋ କ୍ୟାରିଅରରେ ଏମିତି ଏକ ସମୟର ସାମ୍ନା କରିବି, ଏକଥା ସ୍ୱପ୍ନରେ ସୁଦ୍ଧା ଭାବିନଥିଲି । ଗୋଟେ ମୁହୂର୍ତ୍ତରେ ଯେମିତି ସବୁ କିଛି ଓଲଟପାଲଟ ହେଇଗଲା । କିନ୍ତୁ କ’ଣ କରାଯିବ ଏଇଟା ହିଁ ଜୀବନ । ଭଗବାନ ବୋଧେ ଆଉ କିଛି ଚାହୁଁଛନ୍ତି । ତାଙ୍କୁ ହିଁ ଭରସା କରି ଆଗକୁ ଯିବାକୁ ପଡ଼ିବ । କିନ୍ତୁ ମୋ ପରିବାର ପୂରା ଦୁଃଖରେ ଭାଙ୍ଗିପଡ଼ିଛନ୍ତି ।’କେନିୟାର ଟମ୍ ଓପିଓ ନାମକ ଜଣେ ଯୁବକ ଲିଙ୍କଡଇନରେ ନିଜ ଦୁଃଖ ବଖାଣିଛନ୍ତି ।

ଟମ୍‌ଙ୍କ କାହାଣୀ ଶୁଣିଲେ ଭଗବାନଙ୍କ ଉପରୁ ହୁଏତ ଆପଣଙ୍କ ଭରସା ତୁଟିଯିବ ।  କିନ୍ତୁ ପରିସ୍ଥିତିକୁ ଖୁବ୍ ଧୈର୍ଯ୍ୟର ସହ ସମ୍ଭାଳିଛନ୍ତି ଟମ୍ । ତାଙ୍କର ବିଶ୍ୱାସ, ଏଯାବତ୍ ସେ ଯାହାବି ମେହନତ୍ କରିଛନ୍ତି, ତାହା ହୁଏତ ଆଉ କେଉଁଠି କାମରେ ଲାଗିବ । ତାଙ୍କ ପରିବାରକୁ ପୁଣି ସୁଖର ସମୟ ଫେରି ଆସିବ।

କିଛି ଦିନ ପୂର୍ବରୁ ଟମ୍ ଚାକିରି ଖୋଜୁ ଖୋଜୁ ଆମାଜନ୍‌(Amazon) ପକ୍ଷରୁ ଦିଆଯାଇଥିବା ଚାକିରି ବିଜ୍ଞାପନ ଉପରେ ତାଙ୍କର ନଜର ପଡ଼ିଲା । ଆମାଜାନ୍‌ ଏକ ଭରସାଯୋଗ୍ୟ କମ୍ପାନୀ ହୋଇଥିବାରୁ ସେ ଏଥିରେ ଚାକିରି ପାଇଁ ଆବେଦନ କରିଥିଲେ । ଅନ୍ୟପକ୍ଷରେ କମ୍ପାନୀ ପକ୍ଷରୁ ମଧ୍ୟ ସବୁଜ ସଙ୍କେତ ମିଳିବା ପରେ ସେ ଭିସା ଓ ଅନ୍ୟାନ୍ୟ କାଗଜପତ୍ର କାମ ସାରିଦେଲେ । କାରଣ ତାଙ୍କୁ ଆମାଜନ ଚାକିରି ପାଇଁ ୟୁରୋପ ଯିବାକୁ ପଡ଼ୁଥିଲା ।

ଅଧିକ ପଢ଼ନ୍ତୁ: ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ୍ ! ଖର୍ଚ୍ଚ କାଟ କରିବାକୁ କମ୍ପାନୀ ପକ୍ଷରୁ ନିଷ୍ପତ୍ତି

amazon(amazon)

ତେବେ ଆମାଜନରେ ଚାକିରି ପାଇଁ ସବୁ କିଛି ଯୋଗାଡ଼ କରିବାକୁ ପ୍ରଚୁର ଅର୍ଥ ବି ଆବଶ୍ୟକ ପଡ଼ିଲା । ଟମ୍ ଆମାଜନ ଚାକିରି ନିଶାରେ ତାଙ୍କ ଘରବାଡ଼ି ସବୁ ବିକି ଦେଲେ । ଏପରିକି କାର୍ ମଧ୍ୟ ବିକିଦେଲେ । ଶେଷରେ ସେଇ ବହୁ ପ୍ରତିକ୍ଷୀତ ଦିନଟି ପାଖେଇ ଆସିଲା । ଚାକିରିରେ ଯୋଗ ଦେବାକୁ ତାଙ୍କ ପାଖକୁ ଚିଠି ଆସିଲା । ଗତ ୧୬ ତାରିଖରେ ତାଙ୍କର ଜଏନ୍ କରିବାର ଥିଲା । ଟମ୍ ଆଉ କାଳ ବିଳମ୍ବ ନକରି ପୂରା ପରିବାର ସହ ୟୁରୋପ ଯିବାକୁ ସଜବାଜ ଆରମ୍ଭ କରିଦେଲେ ।

କିନ୍ତୁ ବିଧିର ବିଧାନ ଥିଲା ଅଲଗା । ସେ ଚାକିରିରେ ଯୋଗଦେବାର ୪ ଦିନ ପୂର୍ବରୁ ତାଙ୍କ ପାଖକୁ ଆସିଲା ଛଟେଇ ନୋଟିସ୍ । ନୋଟିସ୍ ଦେଖି ତାଙ୍କ ପାଦ ତଳୁ ଯେମିତି ମାଟ ଖସିଗଲା । ପୂରା ପରିବାର ବି ଦୁଃଖରେ ଭାଙ୍ଗି ପଡ଼ିଲେ । କାରଣ ୟୁରୋପ ଯାଇ ଚାକିରି କରିବା ନିଶାରେ ସେ ସବୁ କିଛି ବିକ୍ରି କରିଦେଇଥିଲେ ।

ସୂଚନାଯୋଗ୍ୟଯେ, ଆମାଜନ୍ ସାରା ବିଶ୍ୱରୁ ୧୮ହଜାର କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଘୋଷଣା କରିଛି ଏବଂ ଏହି ପ୍ରକ୍ରିୟା ଜାନୁଆରୀ ୧୮ରୁ ଆରମ୍ଭ ହୋଇଛି । ଦୁର୍ଭାଗ୍ୟବଶତଃ ଏହି ତାଲିକାରେ ଟମ୍‌ଙ୍କ ନାଁ ବି ରହିଛି । କିନ୍ତୁ ଟମ୍ ଏବେ ବି କିଛି ନୂଆ ଘଟିବ ଆଶା ରଖିଛନ୍ତି । କାରଣ ତାଙ୍କର ଭଗବାନଙ୍କ ଉପରେ ଭରସା ଥିବା ସେ ତାଙ୍କ ଲିଙ୍କଡଇନ୍ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।