• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୧୦ ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବ ଆମାଜନ୍ । ବିଶ୍ୱର ପ୍ରମୁଖ ଅନଲାଇନ୍ ଇ-କମର୍ସ କମ୍ପାନୀ ଆମାଜନ ବିଭିନ୍ନ ଦେଶରୁ ପ୍ରାୟ ୧୦ ହଜାରରୁ ଅଧିକ କର୍ମଚାରୀଙ୍କୁ ବିଦା କରିବାକୁ ନିଷ୍ପତ୍ତି ନେଇଛି । ଖର୍ଚ୍ଚ କାଟ କରିବାକୁ ଏହି ନିଷ୍ପତ୍ତି ନେଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । କମ୍ପାନୀ ଗତ ବର୍ଷକ ମଧ୍ୟରେ ଲାଭ କରିନଥିବା ୪ଟି ତ୍ରୟୋମାସିକ ରିପୋର୍ଟରୁ ଜଣାପଡିଛି । ଆସନ୍ତା ସପ୍ତାହକ ମଧ୍ୟରେ କମ୍ପାନୀ ୧୦ ହଜାର କର୍ମଚାରୀଙ୍କୁ ବାହାର କରିବ ବୋଲି କହିଛି ।

ଅଧିକ ପଢ଼ନ୍ତୁ: ଟ୍ୱିଟର୍‌ ପରେ ଏବେ ମେଟା; ଛଟେଇ ହେବେ ୧୧ ହଜାର କର୍ମଚାରୀ!

କର୍ମଚାରୀଙ୍କୁ ବାହାର କଲେ ଆମାଜନ ପକ୍ଷରୁ ସର୍ବାଧିକ ସଂଖ୍ୟାରେ କର୍ମଚାରୀଙ୍କୁ ଛଟେଇର ଏହା ସବୁଠାରୁ ବଡ଼ ଘଟଣା ହେବ । କମ୍ପାନୀରୁ ଛଟେଇ ହେଉଥିବା କର୍ମଚାରୀଙ୍କ ସଂଖ୍ୟା ତାର ମୋଟ କର୍ମଚାରୀଙ୍କ ତୁଳନାରେ ମାତ୍ର ୧ ପ୍ରତିଶତ । ସାରା ବିଶ୍ୱରେ ଆମାଜନର ପ୍ରାୟ ୧୫ ଲକ୍ଷ କର୍ମଚାରୀ ଅଛନ୍ତି । କମ୍ପାନୀ ପକ୍ଷରୁ କିଛି ମାସ ଧରି ସମୀକ୍ଷା ପରେ ଏହି ନିଷ୍ପତ୍ତି ନିଆ ଯାଇଛି । କମ୍ପାନୀର ଲାଭ ଦେଖାଉନଥିବା ୟୁନିଟ ଗୁଡିକୁ ଅନ୍ୟ ୟୁନିଟରେ ଥଇଥାନ କରିବାକୁ ପ୍ରସ୍ତୁତି ଚାଲିଛି ।

ଆମାଜନ ଆଲେକ୍ସା ବିଜନେସ୍ ୟୁନିଟକୁ ଅଧିକ ଗୁରୁତ୍ୱ ଦେଉଛି । ଆମାଜନର ଅନେକ ଉତ୍ପାଦରେ ଆଲେକ୍ସା ଭଏସ୍ ଆସିଷ୍ଟାଣ୍ଟ ଉପଲବ୍ଧି ହେଉଛି । ଅର୍ଥ ବ୍ୟବସ୍ଥାକୁ ନେଇ ଆଗାମୀ କିଛି ମାସ ପର୍ଯ୍ୟନ୍ତ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟା ବନ୍ଦ ରଖିବାକୁ କମ୍ପାନୀ ପକ୍ଷରୁ କୁହାଯାଇଥିଲା ।

ନିକଟରେ ଟ୍ୱିଟର ତାର ପ୍ରାୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରି ଚର୍ଚ୍ଚାକୁ ଆସିଥିଲା । ଟ୍ୱିଟରକୁ କିଣିବା ପରେ କର୍ମଚାରୀଙ୍କୁ ଛଟେଇ କରିଥିଲେ ଟେସଲା ତଥା ଟ୍ୱିଟର ମାଲିକ ଏଲନ ମସ୍କ । ସେହିଭଳି ଫେସବୁକର ମୂଳ ମାଲିକ ମେଟା କମ୍ପାନୀ ପକ୍ଷରୁ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଥିବା ଖବର ଆସିଥିଲା ।