• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଯେକୌଣସି ମୁହୂର୍ତ୍ତରେ ଗାଜାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିପାରେ ଇସ୍ରାଏଲ ସେନା ।  ସ୍ଥଳଭାଗ ଦେଇ ପ୍ରବେଶ କରି ହମାସ ଉପରେ ଆକ୍ରମଣ କରିବାକୁ ଇସ୍ରାଏଲର ସୈନ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି । କେବଳ ଇସ୍ରାଏଲ ସରକାରଙ୍କ ଗ୍ରୀନ୍ ସିଗ୍ନାଲକୁ ଅପେକ୍ଷା । ଅନୁମତି ମିଳିବା ମାତ୍ରେ ସେମାନେ ଗାଜାରେ ଆରମ୍ଭ କରିବେ ଗ୍ରାଉଣ୍ଡ ଅପରେସନ।

ପ୍ରସ୍ତୁତିରୁ ଜଣାପଡ଼ୁଛି, ଅନ୍ତର୍ଜାତୀୟ ସମୁଦାୟର ହସ୍ତକ୍ଷେପ ନ ହେଲେ ଦୀର୍ଘ ଦିନ ଧରି ଯୁଦ୍ଧ ଚାଲିପାରେ । ସେପଟେ ଗାଜାର ଉତ୍ତର ଭାଗ ଛାଡ଼ି ଦକ୍ଷିଣ ଭାଗକୁ ପଳାୟନ କରିବାକୁ ଇସ୍ରାଏଲ ପକ୍ଷରୁ ଦିଆଯାଇଥିବା ଡେଡ୍ ଲାଇନ ଶେଷ ହୋଇଛି । ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ସେହି ଅଞ୍ଚଳ ଛାଡ଼ିବାକୁ ଚେତାବନୀ ଦିଆଯାଇଥିଲା । ହମାସ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଇସ୍ରାଏଲ ଏହି ରଣନୀତି କରିଛି ।

କିନ୍ତୁ ଏନେଇ ଜାତିସଂଘ ଓ ଅନ୍ତର୍ଜାତୀୟ ସମୁଦାୟର ଚାପ ଇସ୍ରାଏଲ ଉପରେ ରହିଛି । ଏତେ କମ୍ ସମୟ ମ୍ୟରେ ଏତେ ଲୋକ ଗୋଟିଏ ଅଞ୍ଚଳରୁ ଆଉ ଏକ ଅଞ୍ଚଳକୁ ଯିବା ସମ୍ଭବ ନୁହେଁ ବୋଲି ଜାତିସଂଘ ପକ୍ଷରୁ କୁହାଯାଇଥିଲା । ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଉଭୟ ପକ୍ଷଙ୍କୁ ଦୁଇଟି ଅନୁରୋଧ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଗାଜା ଉପରେ ଇସ୍ରାଏଲର ଟ୍ରିପଲ୍ ଆଟାକ୍, ହମାସ୍‌ର ମୂଳପୋଛ ପାଇଁ ତୟାର ଇସ୍ରାଏଲ

ବିନା କୌଣସି ସର୍ତ୍ତରେ ଇସ୍ରାଏଲି ବନ୍ଧକଙ୍କୁ ଛାଡ଼ି ଦେବାକୁ ଜାତିସଂଘର ମହାସଚିବ ହମାସକୁ ଅନୁରୋଧ କରିଛନ୍ତି । ଏହାସହ ଗାଜାବାସୀଙ୍କୁ ମାନବୀୟ ସାହାଯ୍ୟ ପହଞ୍ଚିବାରେ ଯେମିତି କୌଣସି ବାଧା ସୃଷ୍ଟି ନ ହୁଏ, ତା’ର ବ୍ୟବସ୍ଥା କରିବାକୁ ଇସ୍ରାଏଲକୁ ମଧ୍ୟ ସେ ଅନୁରୋଧ କରିଛନ୍ତି । 

ସମସ୍ତ ବେସାମରିକ ଲୋକ ଉତ୍ତର ଗାଜା ନ ଛାଡ଼ିବା ପର୍ଯ୍ୟନ୍ତ ଇସ୍ରାଏଲ ଗ୍ରାଉଣ୍ଡ ଅପରେସନ ନ କରୁ ବୋଲି ଏହାର ସହଯୋଗୀ ରାଷ୍ଟ୍ର ମଧ୍ୟ କହୁଛନ୍ତି । ଏତଦ୍‌ବ୍ୟତୀତ ହମାସ ଇସ୍ରାଏଲର କେତେକ ନାଗରିକଙ୍କୁ ବନ୍ଧକ ରଖିଛି । ଗ୍ରାଉଣ୍ଡ ଅପରେସନ ହେଲେ ସେମାନଙ୍କ ଜୀବନ ବିପଦରେ ପଡ଼ିବାର ଆଶଙ୍କା ରହିଛି ।

ଅକ୍ଟୋବର ୭ରେ ହମାସ ଇସ୍ରାଏଲ ଉପରେ ଅଚାନକ ଆକ୍ରମଣ କରିଥିଲା । ସେହି ଦିନରୁ ଉଭୟ ପକ୍ଷର ପ୍ରାୟ ୪ ହଜାର ଲୋକଙ୍କ ମୃତ୍ୟୁ ହେଲାଣି । ଆସନ୍ତା ବୁଧବାର ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ଅର୍ଗାନାଇଜେସନ ଅଫ୍ ଇସଲାମିକ କୋଅପରେସନ ରାଷ୍ଟ୍ର ସମୂହର ବୈଠକ ଅନୁଷ୍ଠିତ ହେବ ।

ଇରାନ ମଧ୍ୟ ଧମକ ଦେଇ କହିଛି, ଇସ୍ରାଏଲ ତୁରନ୍ତ ଆକ୍ରମଣ ବନ୍ଦ ନ କଲେ ହୁଏତ ଏହି ଯୁଦ୍ଧ ଅନ୍ୟ ଅଞ୍ଚଳକୁ ମଧ୍ୟ ବ୍ୟାପିବ । ଯାହାକି ବିସ୍ଫୋରକ ରୂପ ଧାରଣ କରିପାରେ। ଆରବ ଲିଗ୍ ଓ ଆଫ୍ରିକାନ ୟୁନିୟନ ମଧ୍ୟ କହିଛନ୍ତି, ଇସ୍ରାଏଲ ଗ୍ରାଉଣ୍ଡ ଅପରେସନ କଲେ ଗାଜାରେ ହଜାର ହଜାର ଲୋକ ଗଣହତ୍ୟାର ଶିକାର ହେବେ ।  

ଅଧିକ ପଢ଼ନ୍ତୁ: ଗାଜା ଭିତରେ ପଶି ହମାସ ଆତଙ୍କବାଦୀଙ୍କୁ ସଫା କରୁଛି ଇସ୍ରାଏଲ୍‌ ସେନା