• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଗାଜାର ଟେରର୍ ଟନେଲ୍, ଇସ୍ରାଏଲ ସେନା ପାଇଁ ଗୋଲକଧନ୍ଦା । ଇସ୍ରାଏଲ-ହମାସ୍ ଯୁଦ୍ଧ ଆଉ କିଛିଦିନ ପରେ ମାସେ ପୂରିବ । ଗ୍ରାଉଣ୍ଡ ଅପରେସନ ବି ଆରମ୍ଭ କରିସାରିଛି IDF । ହେଲେ ହମାସ୍ ମୂଳପୋଛ ଲକ୍ଷ୍ୟରେ କାହିଁକି ଏଯାଏଁ ମିଳିପାରୁନି ଆଖିଦୃଶିଆ ସଫଳତା ? ଅନୁମାନ କରାଯାଉଛି ଯେ, ଗାଜାପଟ୍ଟିର ମାଟି ତଳେ ଲମ୍ବିଥିବା ଶହ ଶହ କିଲୋମିଟର ସୁଡ଼ଙ୍ଗରେ ଲୁଚିଛନ୍ତି ଆତଙ୍କୀ । ସେପଟେ ଏହି ଯୁଦ୍ଧରେ ଗାଜାପଟ୍ଟିରେ ମୃତ୍ୟୁ ସଂଖ୍ୟା ୮ହଜାର ୫ଶହକୁ ବଢ଼ିଥିବା ବେଳେ, ଆଜି ଇଜିପ୍ଟ ପକ୍ଷରୁ ରାଫା କ୍ରସିଂ ଖୋଲାଯିବା ଗାଜାବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି ।

ଗାଜାପଟ୍ଟିରେ ଗାତୁଆ ମୂଷା ଭଳି ଲୁଚିଛନ୍ତି ହମାସ୍ ଆତଙ୍କୀ । ବୁଣିଛନ୍ତି ଭୂତଳ ସୁଡ଼ଙ୍ଗର ବୁଢ଼ିଆଣୀ ଜାଲ 'ଗାଜା ମେଟ୍ରୋ' । ଅଣ୍ଡରଗ୍ରାଉଣ୍ଡ ଟନେଲ୍ ଏବେ ଇସ୍ରାଏଲ ପାଇଁ ଗୋଲକଧନ୍ଦା । ଗାଜା ସହରର ମାଟି ତଳେ ଆଉ ଏକ ସହର । ଉପରେ ହସ୍ପିଟାଲ, ତଳେ ହମାସର ଆଡ୍ଡା । ହମାସ୍ ତିଆରି କରିଥିବା ସତସତିକା ଅଣ୍ଡରଗ୍ରାଉଣ୍ଡ ଟନେଲ୍ ଭୂଇଁଠୁ ୪୦ରୁ ୫୦ ମିଟର ମାଟି ତଳେ ବିଛାଇ ହୋଇ ରହିଛି ଶହ ଶହ କିଲୋମିଟରର ସୁଡ଼ଙ୍ଗ ଓ ଆଶ୍ରୟସ୍ଥଳ । କେଉଁଠି ମଣିଷଟିଏ ଯିବା ଭଳି ସଂକୀର୍ଣ୍ଣ, କେଉଁଠି ଗାଡ଼ି ଯିବା ଭଳି ପ୍ରଶସ୍ତ, ପୁଣି କେଉଁଠି ଅସ୍ତ୍ରଶସ୍ତ୍ର ରଖିବା ପାଇଁ ମାଟି ତଳେ ବିରାଟ ଭଣ୍ଡାର ଘର। କେଉଁ ସୁଡ଼ଙ୍ଗର ମୁହଁ ସହର ଭିତରେ ଲୁଚିଛି, ତ ଆଉ କେଉଁଟି ଖୋଲିଛି ସମୁଦ୍ର ତଟରେ କିମ୍ବା ପଡ଼ୋଶୀ ଦେଶ ଇଜିପ୍ଟ ସୀମାରେ ।

ହମାସର ଏହି ଟେରର୍ ଟନେଲ୍ ନେଟୱର୍କକୁ କୁହାଯାଏ 'ଗାଜା ମେଟ୍ରୋ' । କୁହାଯାଉଛି ଯେ, ଇଏ ଇସ୍ରାଏଲ୍ ଦ୍ୱାରା ପ୍ରସ୍ତୁତ ଗାଜାପଟ୍ଟିର ମାନଚିତ୍ର, ଯେଉଁଥିରେ ନାଲିରଙ୍ଗର ଅଙ୍କାବଙ୍କା ଗାରଗୁଡ଼ିକ ହେଉଛି ହମାସର ଟନେଲ୍ । ଗାଜା ପଟ୍ଟିର ଲମ୍ବ ମାତ୍ର ୪୧ କିଲୋମିଟର ଓ ଓସାର ୬ରୁ ୧୨ କିଲୋମିଟର ହୋଇଥିବା ବେଳେ, ଏଠି ସମ୍ଭବତଃ ମାଟି ତଳେ ଲୁଚିଛି ୨୫୦ରୁ ଅଧିକ କିଲୋମିଟରର ଅଙ୍କାବଙ୍କା ଭୂତଳ ସୁଡ଼ଙ୍ଗ ।

ଗାଜାପଟ୍ଟି ଉପରେ ପ୍ରାୟ ୩ ସପ୍ତାହ ହେଲା ଘନ ଘନ ବୋମା ବର୍ଷଣ କରୁଛି ଇସ୍ରାଏଲ୍ । ହଜାର୍ ହଜାର୍ ଟନ୍ ବିସ୍ଫୋରକ ଗାଜାସହରକୁ ଧୂଳିସାତ୍ କରିସାରିଲାଣି । ତେଣେ କିଛି ଦିନ ହେଲା ଇସ୍ରାଏଲୀ ସେନା ଗାଜା ପଟ୍ଟିରେ ଆରମ୍ଭ କରିଛି ଗ୍ରାଉଣ୍ଡ ଅପରେସନ । ଧସେଇ ପଶିଛି ଟ୍ୟାଙ୍କ୍, ଚପ୍ପା ଚପ୍ପା ଛାନଭିନ କରୁଛନ୍ତି ଆଇଡିଏଫ୍ ଯବାନ । ହେଲେ ଗାଜାର ଜଟିଳ ସୁଡ଼ଙ୍ଗ ଜାଲ ହିଁ ହମାସ୍ ଆତଙ୍କୀଙ୍କୁ ସୁରକ୍ଷା ଦେଉଥିବା ଆଶଙ୍କା କରାଯାଉଛି ।

ଇସ୍ରାଏଲର ବୋମାମାଡ଼ ଗାଜା ମେଟ୍ରୋକୁ ସେତେଟା କ୍ଷତି ପହଞ୍ଚାଇପାରିନି । ସେମାନେ ମାଟି ତଳେ ନିଜେ ଲୁଚିବା ସହ ୨ଶହରୁ ଅଧିକ ପଣବନ୍ଦୀଙ୍କୁ ବି ସେଠାରେ ରଖିଥିବା ଅନୁମାନ କରଯାଉଛି । ସେପଟେ ହମାସ୍ ହସ୍ପିଟାଲ ଓ ଶରଣାର୍ଥୀ ଶିବିରରେ ଆତ୍ମଗୋପନ କରିଛି ବୋଲି ଦାବି କରୁଥିବା ଇସ୍ରାଏଲ ସେନା, ଗତକାଲି ଗାଜାର ସର୍ବବୃହତ ଜାବାଲିଆ ଶରଣାର୍ଥୀ ଶିବିର ଉପରେ ଏୟାରଷ୍ଟ୍ରାଇକ କରିବା ଫଳରେ ୫୦ ଜଣଙ୍କର ମୃତ୍ୟୁ ହୋଇଛି ।

ହମାସ୍-ଇସ୍ରାଏଲ୍ ଯୁଦ୍ଧ ଭିତରେ ମରଣଯନ୍ତା ପାଲଟିଥିବା ଗାଜାରୁ ପ୍ରଥମ ଥର ପାଇଁ ଖୋଲିଛି ମୁକ୍ତିର ଏକ ସଂକୀର୍ଣ୍ଣ ପଥ । ଆଜି ଗାଜାକୁ ଲାଗିଥିବା ରାଫା ବର୍ଡର୍ କ୍ରସିଂକୁ ଖୋଲିଛି ଇଜିପ୍ଟ । ତେବେ ଏହା କେବଳ ସଂକଟାପନ୍ନ ଆହତ ଏବଂ ଅଳ୍ପ କିଛି ବିଦେଶୀ ନାଗରିକଙ୍କୁ ଗାଜାରୁ ଉଦ୍ଧାର ଲାଗି ଖୋଲାଯାଇଛି । କାତାର ମଧ୍ୟସ୍ଥତା କରି ସାମୟିକ ଭାବେ ଏହି ବାଟ ଫିଟାଇଥିବା ସୂଚନା ମିଳିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now