• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଇସ୍ରାଏଲ୍-ପାଲେଷ୍ଟିନ୍ ଯୁଦ୍ଧ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ସ୍ଥିତି । ଗୋଟେପଟେ ମାଟିରେ ମିଶୁଛି ଗାଜା, ଅନ୍ୟପଟେ ହମାସର ଗୋଟିଏ ପରେ ଗୋଟିଏ ଠିକଣାକୁ ନିଜ ଅକ୍ତିଆରକୁ ନେଉଛି ଇସ୍ରାଏଲ । ତେଣେ ଇସ୍ରାଏଲ ଉପରେ ହମାସ ଓ ହେଜବୁଲ୍ଲା ପକ୍ଷରୁ ଆକ୍ରମଣ ଜାରି ରହିଛି । ସେପଟେ ଇସ୍ରାଏଲକୁ ସମର୍ଥନ ଦୋହରାଇବା ସହ ଆମେରିକା ଏହାର ସର୍ବବୃହତ ଏୟାରକ୍ରାଫଟ କ୍ୟାରିୟର ସହ ଭୁମଧ୍ୟ ସାଗରରେ ଡେରା ପକାଇଛି । ଯୁଦ୍ଧ ଚରମ ସ୍ଥିତିରେ
ପହଞ୍ଚିଥିବା ବେଳେ ଏବେ ଯାଏଁ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ।

ଗାଜାରେ ବର୍ଷୁଛି ବୋମା । ଧ୍ୱଂସସ୍ତୁପରେ ପରିଣତ ହେଉଛି ସହର । ଆଉ ଇଏ ବିମାନ ଆକ୍ରମଣ ହେବାର କିଛି କ୍ଷଣ ପୂର୍ବର ଭିଡିଓ । ସାଇରନ ବାଜିବା କ୍ଷଣି ପ୍ରାଣ ବଞ୍ଚାଇବାକୁ ଚାଲିଛି ଏମିତି ଧାଁଧପଡ଼ । ଏପଟେ ପାଣି ବନ୍ଦ, ବିଦ୍ୟୁତ ବନ୍ଦ, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସପୂର୍ଣ୍ଣ ବନ୍ଦ । ଅକଥନୀୟ ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯାଇଛି ଏଠିକାର ବାସିନ୍ଦାଙ୍କ ଜୀବନ । କେତେ ଲୋକଙ୍କ ଜୀବନ ଯାଉଛି ତାହା ତ କହିବା ମୁସ୍କିଲ. ତେବେ ଆତଙ୍କୀ ସଂଗଠନ ହମାସର ଆକ୍ରମଣ ପରେ ଇସ୍ରାଏଲ ଯାହା ଚେତାବନୀ ଦେଇଥିଲା ତାହା ହିଁ କରୁଛି । ଗାଜାକୁ ସଂପୂର୍ଣ୍ଣ ଅବରୋଧ କରାଯାଇଥିବା ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । ଫଳରେ ଏଠାରେ ବିରାଟ ମାନବୀୟ ସଂକଟ ସୃଷ୍ଟି ହୋଇଛି ।

ସେପଟ ଇସ୍ରାଏଲକୁ ସମର୍ଥନ ଦୋହରାଇଛି ଆମେରିକା । ଆମେରିକାର ସର୍ବବୃହତ ଏୟାରକ୍ରାଫଟ କ୍ୟାରିୟର ଜେରାଲଡ ଫୋର୍ଡ ଭୁମଧ୍ୟ ସାଗରରେ ଡେରା ପକାଇଛି । ହମାସ ଆକ୍ରମଣରେ ଏଯାଏ ୧୪ ଜଣ ଆମେରିକୀୟ ନାଗରିକଙ୍କ ମୃତ୍ୟୁ ହୋଇଛି, ଅନେକ ହମାସ ଦ୍ୱାରା ବନ୍ଧକ ଅଛନ୍ତି । ତେବେ କେତେ ଜଣ ବନ୍ଧକ ଅଛନ୍ତି ଓ ସେମାନଙ୍କ ଅବସ୍ଥା କ’ଣ ଅଛି ସେନେଇ କୌଣସି ସୂଚନା ନଥିବା ଆମେରିକା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ।

ତେଣେ ଇସ୍ରାଏଲ ଉପରେ ହମାସ ଓ ହେଜବୁଲ୍ଲା ପକ୍ଷରୁ ଆକ୍ରମଣ ଜାରି ରହିଛି ।

ଲେବାନନ ଓ ସିରିଆରୁ ଇସ୍ରାଏଲ ସହରକୁ ଟାର୍ଗେଟ କରି ରକେଟ ମାଡ଼ କରାଯାଇଛି । ଲେବାନନ ପଟୁ୧୫ଟି ରକେଟ ମାଡ଼ ହୋଇଥିବା ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି । ଜବାବରେ କଂବାଟ ହେଲିକପଟର ଓ ତୋପ ସାହାଯ୍ୟରେ ଇସ୍ରାଏଲ ହେଜବୁଲ୍ଲା ଆଡ୍ଡା ଉପରେ ଆକ୍ରମଣ କରିଛି । ତେଣେ ସମୁଦ୍ର ରାସ୍ତାରେ ଇସ୍ରାଏଲରେ ପ୍ରବେଶ କରୁଥିବା ଜେଣ ହମାସ ଆତଙ୍କୀ ଇସ୍ରାଏଲ ନୌସେନା ଆକ୍ରମଣରେ ପ୍ରାଣ ହରାଇଛି । ତେଣେ ଇସ୍ରାଏଲ ଅଞ୍ଚଳରେ ପ୍ରବେଶ କରିଥିବା ଆତଙ୍କବାଦୀ କାଳେ ରହିଯାଇଥିବେ ସେଥିଲାଗି ଗାଜା ସୀମାବର୍ତ୍ତି ସହର ଓ ଗାଁ ଗୁଡିକରେ ତନ୍ନ ତନ୍ନ ଯାଞ୍ଚ ଚାଲିଛି ।

ହମାସ ଆତଙ୍କୀ ଅନେକ ଇସ୍ରାଏଲି ମହିଳା, ବୟସ୍କ ଓ ଶିଶୁଙ୍କୁ ଅଟକ ରଖିଛନ୍ତି । ସେମାନଙ୍କ ଅବସ୍ଥା କଣ ଅଛି ଓ ସେମାନଙ୍କୁ କେଉଁଠି ରଖାଯାଇଛି ତାହା ଏବେବି ସ୍ପଷ୍ଟ ହୋଇନି । ତେବେ ସେମାନଙ୍କ ମୁକ୍ତି ଲାଗି କାତାର ସରକାର ହମାସ ସହ କଥାବାର୍ତ୍ତା ଆରମ୍ଭ କରିଛନ୍ତି । ଇସ୍ରାଏଲ ଜେଲରେ ବନ୍ଦୀ ପାଲେଷ୍ଟାନ ନାଗରିକଙ୍କ ମୁକ୍ତି ବଦଳରେ ଇସ୍ରାଏଲ ନାଗରିକଙ୍କୁ ଛାଡିବା ଲାଗି ପ୍ରୟାସ କରୁଛି କାତାର ।