• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ହାମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧକୁ ୪୫ ରୁ ଅଧିକ ଦିନ ବିତି ଗଲାଣି । ବର୍ତ୍ତମାନ ସୁଦ୍ଧା ଉତ୍ତର ଗାଜାରେ ପ୍ରାୟ ୧୨ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ, ୧୫ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇ ସାରିଲେଣି । ହମାସର ପ୍ରାୟ ସମସ୍ତ ସେଣ୍ଟର ଧ୍ୱଂସ ହୋଇ ସାରିଲାଣି ।

ଇସ୍ରାଏଲର ଘନ ଘନ ଆକ୍ରମଣରେ ଗାଜାରେ ସୃଷ୍ଟି ହେଲାଣି ମାନବ ସଙ୍କଟ । ତଥାପି ଭାଙ୍ଗୁନି ମୁହଁତୋଡ଼ । ଜାତିସଂଘ ଠାରୁ ଆରମ୍ଭ କରି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ, ଋଷ, ଚୀନ, ଇସଲାମିକ ରାଷ୍ଟ୍ର ଆଦି ଅନେକ ଯୁଦ୍ଧ ବନ୍ଦ ପାଇଁ କହିସାରିଲେଣି । ତେବେ ଏ ସବୁ ମଧ୍ୟରେ ଇସ୍ରାଏଲ ପାଲେଷ୍ଟାଇନ ଯୁଦ୍ଧ ଥମିବା ନେଇ ନୂତନ ଆଶା ଦେଖା ଦେଇଛି ।

୨୫ ପଣବନ୍ଦୀଙ୍କୁ ମୁକ୍ତ କରିଛି ପାଲେଷ୍ଟାଇନର ଆତଙ୍କୀ ସଙ୍ଗଠନ ହାମାସ । ଅକ୍ଟୋବର ୭ରୁ ଚାଲିଥିବା ଯୁଦ୍ଧରେ ଏହି ୨୫ ଜଣଙ୍କ ସହ ପ୍ରାୟ ୨୦୦ ଜଣଙ୍କୁ ହାମାସ ୨ ମାସ ହେଲା ପଣବନ୍ଦୀ କରି ରଖିଥିଲା । ଚୁକ୍ତି ଅନୁସାରେ ହମାସ ପକ୍ଷରୁ ୧୩ ଇସ୍ରାଏଲୀ ପଣବନ୍ଦୀଙ୍କ ସହ ଥାଇଲାଣ୍ଡର ୧୨ ଜଣଙ୍କୁ ଗତକାଲି ମୁକ୍ତ କରାଯାଇଛି ।

ଇସ୍ରାଏଲ ଓ ହମାସ ମଧ୍ୟରେ ୪ ଦିନିଆ ଅସ୍ତ୍ରବିରତି ଚୁକ୍ତି ଆରମ୍ଭ ହୋଇଛି । ପଣବନ୍ଦୀଙ୍କୁ ଛାଡ଼ିବା ସର୍ତ୍ତରେ ଇସ୍ରାଏଲ ଯୁଦ୍ଧ ବନ୍ଦ କରିଛି । ତେଣୁ ହମାସ ମଧ୍ୟ ପ୍ରତିଶ୍ରୁତି ମୁତାବକ ଏହି ୨୫ ଜଣ ପଣବନ୍ଦୀଙ୍କୁ ରେଡକ୍ରସକୁ ହସ୍ତାନ୍ତର କରିଛି । ସେପଟେ ପଣବନ୍ଦୀଙ୍କୁ ମୁକ୍ତ କରାଯିବାକୁ ଏକ ସକରାତ୍ମକ ପଦକ୍ଷେପ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଏହା ଯୁଦ୍ଧ ବନ୍ଦ ପାଇଁ ହେଉଥିବା ପ୍ରକ୍ରିୟାର ଆରମ୍ଭ ମାତ୍ର ବୋଲି କହିଛନ୍ତି ।