• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗାଜା ସହର ବା ଗାଜା ଷ୍ଟ୍ରିପ ଉପରେ ଇସ୍ରାଏଲ ସେନା ପକ୍ଷରୁ ରକେଟ ମାଡ଼ କରାଯାଇଛି । ଏଥିରେ କୁଖ୍ୟାତ ଆତଙ୍କବାଦୀ ସଂଗଠନର ଜଣେ କମାଣ୍ଡର ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ପ୍ରାୟ ୫୫ ଜଣ ଆହତ ହୋଇଥିବା ସୂଚନା ରହିଛି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ ମଧ୍ୟ ଥିବା ଜଣାପଡ଼ିଛି ।

ମୃତ ଆତଙ୍କବାଦୀ ଜଣକ ହେଲା ଇସଲାମିକ ଜିହାଦ ଗୋଷ୍ଠୀ ଅଲ୍-କୁଦ୍‌ସ ବ୍ରିଗେଡସର ତୟସିର ଅଲ୍ ଜାବରି । ଶୁକ୍ରବାର ଦିନ ଜାବରି ଗାଜା ସହରର କେନ୍ଦ୍ରସ୍ଥଳରେ ଥିବା ପାଲେଷ୍ଟାଇନ୍ ଟାଓ୍ୱାର ଆପାର୍ଟମେଣ୍ଟରେ ଥିବାବେଳେ ଇସ୍ରାଏଲ ପକ୍ଷରୁ ଏହି ରକେଟ ମାଡ଼ କରାଯାଇଥିଲା । ରକେଟ ମାଡ଼ ପରେ ପାଲେଷ୍ଟାଇନ ଟାଓ୍ୱାରର ସପ୍ତମ ମହଲାରୁ ଧୁଆଁ ବାହାରୁଥିବା ଦେଖିବାକୁ ମିଳିଥିଲା ।

ତେବେ ଉଦ୍ଧାରକାରୀ ଦଳ ତତକ୍ଷଣାତ ପହଞ୍ଚି ଅନ୍ୟ ଲୋକମାନଙ୍କୁ ଆପାର୍ଟମେଣ୍ଟରୁ ବାହାର କରି ଆଣିଥିଲେ । ଶିଶୁ ଜଣକ ତା ବାପାଙ୍କ ସହ ସପିଂ କରିବାକୁ ବାଇକରେ ଯାଉଥିବାବେଳେ ରକେଟ୍ ମାଡ଼ର ଶିକାର ହୋଇଥିଲା । ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମତ୍ୟୁ ହୋଇଥିଲା ବୋଲି ଗାଜା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । 

ଇସ୍ରାଏଲର ଏହି ଏୟାର ଷ୍ଟ୍ରାଇକରେ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି । ଘଟଣା ପରେ ହସ୍ପିଟାଲ ଓ ଶବାଗାରରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ନିଜ ପ୍ରିୟଜନଙ୍କ ଅବସ୍ଥା ଜାଣିବା ପାଇଁ ଲୋକମାନେ ବ୍ୟାକୁଳ ହେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି ।

ଇସ୍ରାଏଲର ପ୍ରଧାନମନ୍ତ୍ରୀ ୟାରି ଲାପିଡ କହିଛନ୍ତି, ଇସଲାମିକ ଜିହାଦ ବିରୋଧରେ ‘ବ୍ରେକିଂ ଡାଉନ’ ଅପରେସନ ଆରମ୍ଭ କରାଯାଇଥିଲା । ଗାଜା ଷ୍ଟ୍ରିପରେ ଇସ୍ରାଏଲ ସରକାର ଆତଙ୍କୀ ସଂଗଠନ ଚାଲିବାକୁ କେବେ ହେଲେ ସୁଯୋଗ ଦେବେ ନାହିଁ । ସେଠାରେ ଆତଙ୍କବାଦୀ ସକ୍ରିୟ ହେଲେ ଇସ୍ରାଏଲ ଲୋକଙ୍କ ପ୍ରତି ବିପଦ ସୃଷ୍ଟି ହେବ । ଇସ୍ରାଏଲକୁ କ୍ଷତି ପହଞ୍ଚାଇବାକୁ ଯିଏ ବି ଚେଷ୍ଟା କରିବ, ସେମାନେ ମନେ ରଖିବା ଦରକାର ଯେ ଆମେ ତାଙ୍କୁ ନିଶ୍ଚିତ ଖୋଜି ବାହାର କରିବୁ ବୋଲି ୟାରି କହିଛନ୍ତି ।

ଏହି ଏୟାର ଷ୍ଟ୍ରାଇକ ପରେ ସୀମାନ୍ତ ଅଞ୍ଚଳରେ ଥିବା ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ସେହିପରି ସୀମାରୁ ୮୦ କିମି ମଧ୍ୟରେ କୌଣସି ପ୍ରକାରର ବଡ଼ଧରଣର ବା ଜନଗହଳୀପୂର୍ଣ୍ଣ କାର୍ଯ୍ୟକ୍ରମ ନ କରିବାକୁ ଇସ୍ରାଏଲ ସରକାର କହିଛନ୍ତି।