/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713531841.jpg)
Dubai Flood
ୟୁଏଇ ଯାଉଥିବା ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ଦୁବାଇରେ ଥିବା ଭାରତର ଦୂତାବାସ । ଅତି ଆବଶ୍ୟକ ନଥିଲେ ବର୍ତ୍ତମାନ ୟୁଏଇ ନଯିବାକୁ କୁହାଯାଇଛି । ଦୁବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ମାଧ୍ୟମରେ କୌଣସି ଯାତାୟତ କରନ୍ତୁ ନାହିଁ । ଦୁବାଇରେ ପ୍ରବଳ ବର୍ଷା ଯୋଗୁଁ ବିମାନ ବନ୍ଦରରେ ପ୍ରବଳ ପାଣି ଜମିଛି ।
ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି ସମୟରେ ସେଠାକୁ ଗଲେ ଅସୁବିଧାରେ ପଡିପାରନ୍ତି ଭାରତୀୟ । ଅତି ଜରୁରୀ ନଥିଲେ ଏବେ ୟୁଏଇ ଯିବା ନିରାପଦ ନୁହେଁ ବୋଲି କୁହାଯାଇଛି । ଏୟାର ଇଣ୍ଡିଆ ପକ୍ଷରୁ ବିମାନ ସେବାକୁ ମଧ୍ୟ ସାମୟିକ ଭାବେ ସ୍ଥଗିତ କରାଯାଇଛି । ଦୁବାଇରେ ଗୋଟିଏ ଦିନରେ ଦେଢ ବର୍ଷର ବର୍ଷା ହୋଇଛି । ଏତେ ବର୍ଷା ହୋଇଛି ଯେ ୭୫ବର୍ଷର ରେକର୍ଡ ଭାଙ୍ଗିଛି ।
ପ୍ରକୃତିର ଏଭଳି ପ୍ରଳୟ ଆସିଛି ଦୁବାଇରେ । ଦୁଇ ଦିନର ଲଗାଣ ବର୍ଷାରେ ଉବୁଟୁବୁ ସାରା ସହର । କୁହାଯାଉଛି, ଦୁବାଇରେ କ୍ଲାଉଡ୍ ସିଡିଂ ଅର୍ଥାତ୍ କୃତ୍ରିମ ବର୍ଷା ପ୍ରକ୍ରିୟା ପାଇଁ ଏଭଳି ସ୍ଥିତି ଉପୁଜିଛି । ପାଣି ପାଇଁ ହାହାକାର ହେଉଥିବା ମାଟିରେ ଛୁଟୁଛି ପାଣିର ସୁଅ । ଭାସୁଛି ଲଗଜୁରୀ କାର୍ । ବୁଡ଼ିଛି ଘରଦ୍ୱାର, ଉବୁଟୁବୁ ସାରା ସହର । ଏଭଳି ସ୍ଥିତି ଦୁବାଇର ।
ଏପ୍ରିଲରେ ଡହ ଡହ ଖରା ବଦଳରେ କାଚିଛି ବର୍ଷା । କେଉଁଠି ବ୍ରିଜ୍ ଭୁଶୁଡ଼ି ପଡିଛି ତ କେଉଁଠି ମଲ୍ ଭିତରେ ଚାଲୁଛି ପାଣି । ସୋମ ଓ ମଙ୍ଗଳବାରର ଅବିଶ୍ରାନ୍ତ ବର୍ଷାରେ ଘର ଛାତରୁ ପାଣି ଗଳୁଛି । ହୋଟେଲ ଭିତରେ ବି ଚାଲିଛି ପାଣିର ସୁଅ । ପୁରା ଦୁବାଇ ଏବେ ପାଣିରେ ବୁଡ଼ି ରହିଛି । ସବୁ ପ୍ରମୁଖ ସ୍ଥାନକୁ ବନ୍ଦ ରଖାଯାଇଛି । ଫ୍ୟୁଚର ମ୍ୟୁଜିୟମ୍ ଓ ବୁର୍ଜ ଖଲିଫା ଅଂଚଳରେ ପ୍ରକୃତି ରଚିଛି ତାଣ୍ଡବ ।
ଲଗାଣ ବର୍ଷାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ବିମାନ ସେବା । ମଧ୍ୟପ୍ରାଚ୍ୟର ସବୁଠୁ ବଡ଼ ଓ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଠପ୍ ହୋଇଯାଇଛି ସେବା । ଦୁବାଇ ଏୟାରପୋର୍ଟରୁ ୫୦୦ରୁ ଅଧିକ ବିମାନର ବାତିଲ ଓ ରୁଟ୍ ପରିବର୍ତ୍ତନ କରାଯାଇଛି । ଭାରତ ଦେଇ ୨୮ରୁ ଅଧିକ ବିମାନର ବି ଚଳାଚଳ ବନ୍ଦ ରହିଛି । ୧୯୪୯ ପରେ ସବୁଠୁ ବଡ଼ ବର୍ଷା ଦେଖିଛି ଦୁବାଇ । ମାତ୍ର ୨୪ ଘଣ୍ଟାରେ ରେକର୍ଡ ହୋଇଛି ଦେଢ଼ ବର୍ଷର ବର୍ଷା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)