ପରିବର୍ତ୍ତିତ ପରିସ୍ଥିତିରେ ଭାରତର ଶତ୍ରୁ ହୋଇଯାଇଛି ବାଂଲାଦେଶ । ବଦଳି ଯାଇଛି ଭାରତ ପ୍ରତି ବାଂଲାଦେଶର ଆଭିମୁଖ୍ୟ । ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଭାରତ ଆଶ୍ରୟ ଦେଇଥିବାରୁ ରକ୍ତ ଚାଉଳ ଚୋବାଉଛି ବାଂଲାଦେଶର କାମଚଳା ସରକାର । ହେଲେ କାମଚଳା ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଅରୁଚିକର ମନ୍ତବ୍ୟ ଭାରତର ଧୈର୍ଯ୍ୟଚ୍ୟୁତ କରାଇଛି । ସଂଯମତା ଆଚରଣ କରୁଥିବା ଭାରତ ହାତରେ ନୁହେଁ ଭାତରେ ମାରିଦେବ ବାଂଲାଦେଶକୁ । ମୋଦି ସରକାର ବାଂଲାଦେଶ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ଏହାଦ୍ୱାରା ବାଂଲାଦେଶ ଦେବାଳିଆ ଅବସ୍ଥା ଆଡକୁ ଟାଣି ହୋଇଯିବ । ବହୁ ଯୁବକ ବେକାର ହୋଇଯିବେ ।
ବାଂଲାଦେଶରୁ ଅନ୍ୟ ଦେଶକୁ ଜାହାଜ ଯୋଗେ ଭାରତୀୟ ସମୁଦ୍ରରେ ହେଉଥିବା ମାଲ୍ ପରିବହନ ହୋଇଥାଏ । ଭାରତ ସରକାର ମିତ୍ର ରାଷ୍ଟ୍ର ହିସାବରେ ବାଂଲାଦେଶକୁ ଏହି ସୁବିଧା ଦେଇଥିଲେ । ଏଣିକି ବାଂଲାଦେଶକୁ ଏହି ସୁବିଧା ମିଳିବନି । ଭାରତର ସାମୁଦ୍ରିକ ସୀମା ଦେଇ ଅନ୍ୟ ଦେଶକୁ ବାଂଲାଦେଶ ଆଉ ମାଲ୍ ପରିବହନ କରିପାରିବ ନାହିଁ । ୟୁରୋପ୍, ନେପାଳ, ଭୁଟାନ ଓ ଅନ୍ୟ କେତେକ ଦେଶକୁ ଏହି ରୁଟରେ ମାଲ୍ ପଠାଇଥାଏ ବାଂଲାଦେଶ । ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଅନ୍ୟ ଦେଶକୁ ଏହି ରୁଟରେ ଚଳାଚଳ କରିବାକୁ ଅନୁମତି ଦିଆଯିବା ଦ୍ୱାରା ଭାରତର ବନ୍ଦର ଓ ବିମାନବନ୍ଦରଗୁଡିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
Also Read
ଅଧିକ ପଢ଼ନ୍ତୁ: ଭାରତର ଲେଜର୍ ୱିପନ୍ ସଫଳତା, ଆଉ ଏକ ମାଇଲଖୁଣ୍ଟ
ଭାରତ ଏହି ସୁବିଧା ପ୍ରତ୍ୟାହାର କରିନେବା ପରେ ବାଂଲାଦେଶକୁ ବଡ଼ ଧକ୍କା ଲାଗିଛି ବୋଲି ବାଂଲା ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହି କାରଣରୁ ବାଂଲାଦେଶର ପୋଷାକ ଶିଳ୍ପ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ । ଏହି ଶିଳ୍ପରେ ବାଂଲାଦେଶରେ ଲକ୍ଷାଧିକ ଯୁବକ ଯୁବତୀ କାମ କରୁଛନ୍ତି । ବାଂଲାଦେଶରୁ ରେଡିମେଡ୍ ଗାର୍ମେଣ୍ଟ ବା ପୋଷାକ ମୁମ୍ୱାଇ କିମ୍ୱା ଦିଲ୍ଲୀକୁ ଆସିଥାଏ । ପରେ ଭାରତରୁ ସୁବିଧାରେ ଓ ଶୀଘ୍ର ଯୁରୋପର ବିଭିନ୍ନ ଦେଶକୁ ପଠାଯାଇଥାଏ । ଏଥିପାଇଁ ଅଧିକ କିଛି ଖର୍ଚ୍ଚ କରିବାକୁ ପଡିନଥାଏ ।
ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ପେଟ୍ରାପୋଲ୍ ଲ୍ୟାଣ୍ଡ ପୋର୍ଟରେ ବାଂଲାଦେଶରୁ ୨୦୨୪-୨୫ ବର୍ଷରେ ଆସିଥିବା ପଣ୍ୟ ପୂର୍ବ ବର୍ଷ ତୁଳନାରେ ୪୬ ପ୍ରତିଶତ ଅଧିକ ଥିଲା ।
ମହମ୍ମଦ ୟୁନୁସ୍ ନିକଟରେ ଚାରିଦିନିଆ ଚୀନ୍ ଗସ୍ତରେ ଯାଇଥିବା ବେଳେ କହିଥିଲେ ଯେ, ଭାରତର ଉତ୍ତର-ପୂର୍ବ ଅଞ୍ଚଳ ଏକ ବନ୍ଦୀ ଅଞ୍ଚଳ । ଅନ୍ୟ ଦେଶ ଏହି ଅଞ୍ଚଳକୁ ଘେରି ରହିଛନ୍ତି ଓ ଏହାର ଉପକୂଳ ନାହିଁ । ସମୁଦ୍ରକୁ ଯିବାକୁ ହେଲେ ଏହି ଅଞ୍ଚଳର ଲୋକମାନେ ବାଂଲାଦେଶ ଉପରେ ନିର୍ଭର କରନ୍ତି । ବାଂଲାଦେଶ ସମୁଦ୍ରର ମାଲିକ ବୋଲି କହିବା ସହ ଭାରତର ସିଲିଗୁଡି ଅଞ୍ଚଳରେ ବ୍ୟବସାୟ ଆରମ୍ଭ କରିବାକୁ ସେ ଚୀନକୁ ପ୍ରସ୍ତାବ ଦେଇଥିଲେ । ଏହାର ଜବାବ ଦେଇଥିଲେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍, ଜୟଶଙ୍କର । ଭାରତର ଏହି ପହକ୍ଷେପରେ ଛାନିଆ ହୋଇଯାଇଛି ବାଂଲାଦେଶ ।