• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପାକିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରୀ ରାଣା ସାହାନୁଲ୍ଲାଙ୍କ ବଡ଼ ବୟାନ । ଖୁବ୍‌ଶୀଘ୍ର ଇମ୍ରାନ୍‌ଙ୍କୁ କରାଯିବ ଗିରଫ । ଇସ୍‌ଲାମାବାଦ୍‌ କୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ୩ ଦିନିଆ ଜାମିନ୍‌ ଅବଧି ସରିବା ପରେ ତାଙ୍କୁ ଗିରଫ କରାଯିବ । ୨୫ ତାରିଖରେ ତାଙ୍କ ଜାମିନ ଅବଧି ସରୁଛି, ତେଣୁ ତାଙ୍କୁ ସେହି ଦିନ ହିଁ ଗିରଫ କରାଯିବ ।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଗଷ୍ଟ ୨୫ ତାରିଖ ପର୍ଯ୍ୟନ୍ତ ଜାମିନ ମଞ୍ଜୁର କରାଯାଇଛି । ତାଙ୍କୁ ଇସଲାମାବାଦ ହାଇକୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି । ଏହାସହ ଅଗଷ୍ଟ ୨୫ ତାରିଖ ପୂର୍ବରୁ ଆଣ୍ଟି ଟେରର କୋର୍ଟ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗିରଫଦାରୀକୁ ଏଡାଇବା ପାଇଁ ଇମ୍ରାନ ଖାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ସୂଚନାଯୋଗ୍ୟ, ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଆତଙ୍କବାଦ ବିରୋଧୀ ଅଧିନିୟମ ଅନୁଯାୟୀ ମାମଲା ରୁଜୁ ହୋଇଥିଲା । ଇସଲାମାବାଦରେ ଏକ ରାଲି ସମୟରେ ଜଣେ ବିଚାରପତିଙ୍କ ସମେତ ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ସେ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ପାକିସ୍ତାନ ତେହେରିକ-ଏ-ଇନସାଫ ଦଳର ଲିଗାଲ ସେଲ୍‌ ଇମ୍ରାନ ଖାନଙ୍କ ତରଫରୁ ଆଗୁଆ ଜାମିନ ଆବେଦନ କରିଥିଲା । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ ତାଙ୍କ ପିଟିସନରେ କହିଥିଲେ ଯେ, ଯେତେବେଳେ ବି ତାଙ୍କୁ ଡକାଯିବ ସେ କୋର୍ଟରେ ହାଜର ହେବାକୁ ପ୍ରସ୍ତୁତ ଅଛନ୍ତି ।

ଇମ୍ରାନ ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ବିରୋଧରେ କୌଣସି ଅପରାଧିକ ରେକର୍ଡ ନାହିଁ । ଏଥିସହ ତାଙ୍କୁ କୌଣସି ପ୍ରକାର ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ ବି କରାଯାଇନାହିଁ । ତେବେ ଏସବୁ ମଧ୍ୟରେ ପାକିସ୍ତାନରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ଏମିତିକି ପାକିସ୍ତାନର ଶାହାବାଜ ସରିଫ ସରକାର ଇମ୍ରାନ ଖାନଙ୍କୁ ଆତଙ୍କବାଦ ସହ ଜଡ଼ିତ ଅଭିଯୋଗରେ ଗିରଫ କରିବାକୁ ଚେଷ୍ଟା ଚଳାଇଛନ୍ତି ବୋଲି ଖବର ସାମ୍ନାକୁ ଆସିଥିଲା।