ପୁଣି ଇମ୍ରାନଙ୍କ ଗିରଫ ଆଶଙ୍କା, ଘର ଚାରିପଟେ ଘେରି ରହିଛନ୍ତି ପୋଲିସ

ଗିରଫଦାରୀ ପୂର୍ବରୁ ସମ୍ଭବତଃ ଏହା ମୋର ଶେଷ ଟ୍ୱିଟ୍ କହିଲେ ଇମ୍ରାନ । ଗତ ସପ୍ତାହରେ ଗିରଫ ହୋଇ ଜାମିନରେ ମୁକୁଳିଥିଲେ ଇମ୍ରାନ ।

Imran Khan May Be Arrest Again

ପୁଣି ଇମ୍ରାନ ଖାନଙ୍କୁ ଘାରିଲା ଗିରଫଦାରୀ ଆଶଙ୍କା । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗତ ସପ୍ତାହରେ ଗିରଫ ହୋଇ ଜାମିନରେ ମୁକୁଳିଥିବା ବେଳେ, ଖୁବଶୀଘ୍ର ପୁଣି ଗିରଫ ହୋଇପାରନ୍ତି ବୋଲି ଆଶଙ୍କା କରିଛନ୍ତି। ଇମ୍ରାନ୍ ଟ୍ୱିଟ କରିଛନ୍ତି ଯେ, ଗିରଫଦାରୀ ପୂର୍ବରୁ ସମ୍ଭବତଃ ଏହା ମୋର ଶେଷ ଟ୍ୱିଟ୍ । ପୋଲିସ ମୋ ଘରକୁ ଘେରି ରହିଛି ।

ଏଥିସହ ସୋସିଆଲ ମିଡିଆରେ ଦେଶକୁ ସମ୍ବୋଧିତ କରି ଶେହବାଜ ସରିଫ ସରକାର ଉପରେ ବିଭିନ୍ନ ଆରୋପ ଲଗାଇଛନ୍ତି ଇମ୍ରାନ । କହିଛନ୍ତି, ମୋ ଦଳ ପିଟିଆଇକୁ ବ୍ୟାନ୍ କରିବା ପାଇଁ ସବୁ ଚକ୍ରାନ୍ତ ଚାଲିଛି । ସେଥିପାଇଁ ହିଁ ମୋ ଗିରଫଦାରୀ ପରେ ହିଂସାକାଣ୍ଡ ପାଇଁ ଲୋକଙ୍କୁ ଉସୁକାଯାଇଥିଲା। ପାକିସ୍ତାନର ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଏହାର ନିରପେକ୍ଷ ତଦନ୍ତ ହେଉ ବୋଲି ଦାବି କରିଛନ୍ତି ଇମ୍ରାନ୍ ।

ସୂଚନା ଅନୁସାରେ, ଇମ୍ରାନଙ୍କ ଲାହୋର ଜମନାପାର୍କସ୍ଥିତ ବାସଭବନରେ ୩୦ରୁ ୪୦ ଜଣ ଆତଙ୍କୀ ଲୁଚିଛନ୍ତି ବୋଲି ଅଭିଯୋଗ କରିବା ସହିତ, ୨୪ ଘଣ୍ଟା ଭିତରେ ସେମାନଙ୍କୁ ପୋଲିସକୁ ହସ୍ତାନ୍ତର କରିବାକୁ ଅଲଟିମେଟମ୍ ଦେଇଥିଲା ପଞ୍ଜାବ ପ୍ରଦେଶର ଅନ୍ତରୀଣ ସରକାର । ଗତସପ୍ତାହରେ ଇମ୍ରାନଙ୍କ ଗିରଫଦାରୀ ପରେ ଯେଉଁମାନେ ସର୍ବସାଧାରଣ ସଂପତ୍ତି ଓ ସେନା କାର୍ଯ୍ୟାଳୟ ଆଦି ଭଙ୍ଗାରୁଜା ଓ ପୋଡ଼ାଜଳା କରିଥିଲେ, ସେମାନଙ୍କ ବିରୋଧରେ ସେନା ଆଇନ ଅନୁସାରେ ବିଚାର ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନ ସରକାର । ଏହି ଘଟଣାରେ ପ୍ରାୟ ୪ହଜାର ଲୋକଙ୍କୁ ଗିରଫ କରାଯାଇଛି । ତେବେ ଏଭଳି କାର୍ଯ୍ୟାନୁଷ୍ଠାନର ନିନ୍ଦା କରିଛନ୍ତି ବହୁ ଅନ୍ତର୍ଜାତୀୟ ମାନବାଧିକାର କମିଶନ ।