• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୬ ଦିନ ଭିତରେ ସାନି ନିର୍ବାଚନ ଘୋଷଣା କର, ନଚେତ୍ ପୁଣି ଇସ୍ଲାମାବାଦରେ ହେବ ମହାଆନ୍ଦୋଳନ । ହଜାର ହଜାର ସମର୍ଥକଙ୍କ ଗହଣରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ଙ୍କୁ ଇଏ ଇମ୍ରାନ୍ ଖାନ୍‌ଙ୍କ ଖୋଲା ଚେତାବନୀ । ନ୍ୟାସନାଲ ଆସେମ୍‌ଲି ଭଙ୍ଗ କରି ଆସନ୍ତା ଜୁନ୍‌ରେ ନିର୍ବାଚନ ନକରାଇଲେ, ସାରା ଦେଶରୁ ୨୦ ଲକ୍ଷ ସମର୍ଥକଙ୍କୁ ଧରି ପୁଣି ଇସ୍ଲାମାବାଦ ଫେରିବାକୁ ସଫାସଫା ଶୁଣାଇ ଦେଇଛନ୍ତି ।

ତେବେ ଆଜାଦୀ ମାର୍ଚ୍ଚ ବେଳେ ରାଜଧାନୀର ବିଭିନ୍ନ ସ୍ଥାନରେ ପୋଲିସ ସହ ମୁହାଁମୁହିଁ ସ୍ଥିତି ଓ ହିଂସାକାଣ୍ଡକୁ ଦେଖି, ରାଲି ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି ଇମ୍ରାନ୍ । ଆମେରିକାର ଷଡ଼ଯନ୍ତ୍ର ଦ୍ୱାରା ଅବିଶ୍ୱାସ ପ୍ରସ୍ତାବ ଅଣାଯାଇ ତାଙ୍କୁ ଗାଦିଚ୍ୟୁତ କରାଯାଇଥିବା ଅଭିଯୋଗ କରିଛନ୍ତି ଇମ୍ରାନ । ସେହପରି ଦେଶ ଚଳାଇବାରେ ଶେହବାଜ ସରିଫଙ୍କ ଗଠବନ୍ଧନ ସରକାର ସଂପୂର୍ଣ୍ଣ ଫେଲ ମାରିଥିବା ସେ କହିଛନ୍ତି ।

ଏବେ ଇସ୍ଲାମାବାଦ ମୁହାଁ ଜନସମୁଦ୍ର । ସାନି ନିର୍ବାଚନ ଦାବିରେ ପାକିସ୍ତାନ ତେହରିକ୍-ଏ-ଇନ୍‌ସାଫ ବା PTI ନେତା ଇମ୍ରାନ୍ ଖାନ୍ ଗତକାଲି ପେଶାଓ୍ୱରରୁ ବାହାର କରିଥିଲେ ଆଜାଦୀ ମାର୍ଚ୍ଚ । ନିର୍ବାଚନ ତାରିଖ ଘୋଷଣା ନହେବା ଯାଏଁ ଇସ୍ଲାମାବାଦ ଡି-ଚୌକ୍ ନଛାଡ଼ିବାକୁ ସେ ଲକ୍ଷାଧିକ ସମର୍ଥକଙ୍କୁ ଆହ୍ୱାନ ଦେଇଥିଲେ । ତେବେ ରାଲି ଇସ୍ଲାମାବାଦରେ ପଶିବା ପରେ, ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଥିଲା । ଇମ୍ରାନ୍‌ଙ୍କ ସମର୍ଥକ ଭଙ୍ଗାରୁଜା କରିବା ସହ ମେଟ୍ରୋ ଷ୍ଟେସନରେ ନିଆଁ ଲଗାଇ ଦେଇଥିଲେ ।

ଫଳରେ ପୋଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ ଲାଗି ପୋଲିସ ଲାଠିମାଡ଼ ସହ ଫାଙ୍କା ଗୁଳିଚାଳନା କରିଥିଲା । ଏଥିସହ ରେଡ୍‌ଜୋନ୍‌ରେ ଥିବା ଗୁରୁତ୍ୱପୂର୍ଣ୍ଣ କୋଠା ଯଥା- ସଂସଦ ଭବନ, ରାଷ୍ଟ୍ରପତି ଭବନ, ପ୍ରଧାନମନ୍ତ୍ରୀଙ୍କ ବାସଭବନ ଓ କାର୍ଯ୍ୟାଳୟ ଏବଂ ସୁପ୍ରିମକୋର୍ଟ ଆଦିର ସୁରକ୍ଷା ପାଇଁ ସେନାକୁ ମୁତୟନ କରାଯାଇଛି ।

ପାକିସ୍ତାନର ମେଣ୍ଟ ସରକାରର କାର୍ଯ୍ୟକାଳ ୨୦୨୩ ଅଗଷ୍ଟରେ ଶେଷ ହେବାକୁ ଯାଉଛି । ତା’ପୂର୍ବରୁ ନ୍ୟାସନାଲ ଆସେମ୍‌ଲି ଭଙ୍ଗ ଓ ସାନି ନିର୍ବାଚନର ପ୍ରଶ୍ନ ଉଠୁନି ବୋଲି କହିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ । ସେହିପରି ରାଲି ଓ ଧାରଣାର ରାଜନୀତି ଦେଶର ଉନ୍ନତି ଓ ସ୍ଥିରତା ପାଇଁ କ୍ଷତିକାରକ ବୋଲି ଗତକାଲି ଟୁଇଟ୍ କରିଥିଲେ ସରିଫ । କେହି ବି ଆମକୁ ଆମ କାର୍ଯ୍ୟରୁ ବିରତ କରିପାରିବେ ନାହିଁ ବୋଲି ସେ ଲେଖିଥିଲେ । ଦେଶରେ ଖାଦ୍ୟ ଓ ପେଟ୍ରୋଲିୟମ ଜାତ ଦ୍ରବ୍ୟର ଘୋର ଅଭାବ ସାଙ୍ଗକୁ ଆକାଶଛୁଆଁ ଦରକୁ ନେଇ ହାହାକାର ପଡିଥିବା ବେଳେ ରାଜନୈତିକ ଅସ୍ଥିରତା ପାକିସ୍ତାନର ସ୍ଥିତିକୁ ଆହୁରି ଜଟିଳ କରିଛି ।