/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755757350.jpg)
Donald-Trump-Heaven
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଆଶା କରୁଛନ୍ତି, ରୁଷ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ସ୍ଥାପନ କରିବା ଦ୍ବାରା ସେ ସ୍ୱର୍ଗରେ ସ୍ଥାନ ପାଇବେ। ହ୍ୱାଇଟ୍ ହାଉସରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକିଙ୍କ ସମେତ ୟୁରୋପୀୟ ନେତାମାନଙ୍କୁ ଆତିଥ୍ୟ ଦେବାର ଗୋଟିଏ ଦିନ ପରେ ଏକ ଆମେରିକୀୟ ଟିଭି ଚ୍ୟାନେଲରେ ସାକ୍ଷାତକାର ସମୟରେ ଟ୍ରମ୍ପ କହିଥିଲେ ଯେ ଯୁଦ୍ଧ ସମାପ୍ତ କରିବାରେ ସାହାଯ୍ୟ କରିବା ମଧ୍ୟ ତାଙ୍କୁ ଲାଭଦାୟକ ହୋଇପାରେ।
ସେ କହିଥିଲେ ଯେ “ଯଦି ମୁଁ ପ୍ରତି ସପ୍ତାହରେ ୭,୦୦୦ ଲୋକଙ୍କୁ ହତ୍ୟା ହେବାରୁ ରକ୍ଷା କରିପାରିବି, ମୁଁ ଭାବୁଛି ଏହା ବହୁତ ଭଲ। ମୁଁ ସ୍ୱର୍ଗକୁ ଯିବାକୁ ଚେଷ୍ଟା କରୁଛି। ମୁଁ ଶୁଣୁଛି ଯେ ମୁଁ ଭଲ କରୁ ନାହିଁ, ମୁଁ ସବୁଠାରୁ ନିମ୍ନ ସ୍ତରରେ ଅଛି। କିନ୍ତୁ ଯଦି ମୁଁ ଏହି କାମ କରିପାରିବି, ତେବେ ହୁଏତ ଏହା ହିଁ କାରଣ ହେବ ଯେ ମୁଁ ମଧ୍ୟ ସ୍ୱର୍ଗକୁ ଯିବାର ପଥ ପାଇବି।" ବୋଲି ଟ୍ରମ୍ପ କହିଥିଲେ।
ଟ୍ରମ୍ପ କହିଛନ୍ତି ଯେ ଯଦି ସେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ଚୁକ୍ତି କରିବାରେ ସଫଳ ହୁଅନ୍ତି, ତେବେ ହୁଏତ ତାଙ୍କର ସ୍ୱର୍ଗ ଯିବାର ସମ୍ଭାବନା ବଢ଼ିଯାଆନ୍ତା।
ଟ୍ରମ୍ପ ପୂର୍ବରୁ ମଧ୍ୟ କହିଥିଲେ ଯେ, ସେ ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାକୁ ଚାହୁଛନ୍ତି ଆଉ ଏଥିପାଇଁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ଉଚିତ। ତାଙ୍କ କହିବା କଥା, ଶାନ୍ତି ଚୁକ୍ତିନାମା ଭଳି ପଦକ୍ଷେପ କେବଳ ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ନାହିଁ ବରଂ ତାଙ୍କ ରାଜନୈତିକ ଏବଂ ବ୍ୟକ୍ତିଗତ ଜୀବନରେ ମଧ୍ୟ ଏକ ଐତିହାସିକ ପଦକ୍ଷେପ ବୋଲି ପ୍ରମାଣିତ ହେବ।
ତେବେ ଟ୍ରମ୍ପଙ୍କ ଜୀବନ ଅନେକ ବିବାଦରେ ଭର୍ତ୍ତି। ତିନିଥର ବିବାହ କରିବା, ଦୁଇଥର ମହାଭିଯୋଗର ଶିକାର ହେବା ଏବଂ ବର୍ତ୍ତମାନ ଏକ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଟ୍ରମ୍ପ ପ୍ରାୟତଃ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି।
ତେବେ ଗତବର୍ଷ ଏକ ହତ୍ୟା ଉଦ୍ୟମରୁ ବଞ୍ଚିଯିବା ପରେ ଟ୍ରମ୍ପଙ୍କ ଧାର୍ମିକ ଆଗ୍ରହ ବଢିଯାଇଛି। ଏପରିକି ସେ ତାଙ୍କ ଧାର୍ମିକ ଭାବନାକୁ ବଢାଇବା ପାଇଁ ଆଧ୍ୟାତ୍ମିକ ପରାମର୍ଶଦାତା ପାଉଲା ହ୍ୱାଇଟ୍ଙ୍କୁ ନିଯୁକ୍ତ କରିଛନ୍ତି। ଜାନୁଆରୀରେ ସେ ଯେତେବେଳେ ଶପଥ ନେଇଥିଲେ ସେ କହିଥିଲେ, 'ଭଗବାନ ମୋତେ ରକ୍ଷା କରିଛନ୍ତି, ଯେଉଁଥିପାଇଁ ମୁଁ ଆମେରିକାକୁ ଆଉ ଥରେ ମହାନ କରିପାରିବି।'
ବର୍ତ୍ତମାନର ପରିସ୍ଥିତିକୁ ଅନୁଧ୍ୟାନ କଲେ ଦେଖାଯାଏ ଯେ ଆମେରିକାର ଧାର୍ମିକ ସମ୍ପ୍ରଦାୟ, ବିଶେଷକରି ଖ୍ରୀଷ୍ଟିଆନ ଦକ୍ଷିଣପନ୍ଥୀ ଗୋଷ୍ଠୀ, ଟ୍ରମ୍ପଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି। ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭରୁ, ଟ୍ରମ୍ପ ଅଧିକ ଖୋଲାଖୋଲି ଭାବରେ ଧର୍ମକୁ ଗ୍ରହଣ କରିଥିବା ଦେଖିବାକୁ ମିଳେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)