• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଫିନଲ୍ୟାଣ୍ଡ ହେଉଛି ବିଶ୍ୱର ସବୁଠାରୁ ବିକଶିତ ଦେଶଗୁଡ଼ିକ ମଧ୍ୟରୁ ଅନ୍ୟତମ । ଯେଉଁଠି ଲୋକମାନଙ୍କ ଆର୍ଥିକସ୍ଥିତି ଖୁବ୍‌ ମଜଭୁତ । ସେଠାରେ ଲୋକମାନେ ଅର୍ଥନୈତିକ ସୁରକ୍ଷା ସହିତ ଅନେକ ପ୍ରକାରର ଅଧିକାର ଏବଂ ସୁବିଧା ପାଇଥାନ୍ତି । ଚାକିରି ଚାଲିଯିବାର ଭୟ ସେମାନଙ୍କ ମନରେ ନଥାଏ । ଚାକିରି ଚାଲିଯିବା ପରେ କ’ଣ କରିବେ କେମିତି ଘର ଚଳିବ ବା କେମିତି ରୋଜଗାର କରିବେ ସେନେଇ ଏଠାକାର ଲୋକେ ଚିନ୍ତା କରନ୍ତି ନାହିଁ ।

ଖାଲି ସେତିକି ନୁହେଁ ଯଦି ସେମାନେ ବୃଦ୍ଧ ହୋଇଯାଆନ୍ତି ଏବଂ ସେମାନଙ୍କ ପାଖରେ ଟଙ୍କା ନଥାଏ, କିମ୍ବା ଯଦି କୌଣସି ଦୁର୍ଘଟଣା ଘଟେ ବା ସିରିୟସ ଦେହ ଖରାପ ହୁଏ, ତେବେ ଚିକିତ୍ସା ଖର୍ଚ୍ଚ ଆଦି କଥା ମଧ୍ୟ ଲୋକେ ଚିନ୍ତା କରନ୍ତି ନାହିଁ । କାରଣ ଏହି ସବୁର ଦାୟିତ୍ୱ ସରକାର ବହନ କରିଥାନ୍ତି । ଯଦିଓ ଲୋକଙ୍କ ପାଖରେ ଟଙ୍କାର ଅଭାବ ନଥାଏ, ତଥାପି ସରକାର ନେଇଥାନ୍ତି ସବୁ ଦାୟିତ୍ୱ ।

ଫିନଲ୍ୟାଣ୍ଡ ହେଉଛି ସବୁଠାରୁ ସ୍ଥିର ଏବଂ ନିରାପଦ ଦେଶ । ୨୦୧୫ରେ ଏଠାରେ ଏକ ଲକ୍ଷ ଜନସଂଖ୍ୟାରେ ହତ୍ୟା ହାର ମାତ୍ର ୧.୨୮ ପ୍ରତିଶତ ରହିଥିଲା ।ଏଠାରେ ସମୁଦାୟ ଜନସଂଖ୍ୟା ୫୫ ଲକ୍ଷ । ୨୦୧୫ରେ ଏଠାରେ କେବଳ ୫୦ଟି ହତ୍ୟାକାଣ୍ଡ ଘଟିଛି । ସଂଗଠିତ ଭାବେ ଅପରାଧ ଏଠାରେ ପ୍ରାୟ ନାହିଁ କହିଲେ ଚଳେ । ପୋଲିସ ଅତ୍ୟନ୍ତ ବିଶ୍ୱାସଯୋଗ୍ୟ । ଏଠାକାର ପୋଲିସ ଏବଂ ଇଣ୍ଟରନେଟ୍ ସୁରକ୍ଷା ବ୍ୟବସ୍ଥା ବିଶ୍ୱରେ ଦ୍ୱିତୀୟ ବୋଲି ବିବେଚନା କରାଯାଏ । ଆଇନ କାନୁନ କଡାକଡି ଭାବେ ପାଳନ କରାଯାଏ । ସବୁଠାରୁ ବଡ଼ କଥା ହେଲା ଏଠାରେ ଲୋକମାନେ ରାଜନୈତିକ ବ୍ୟବସ୍ଥା, ଆଇନ ଏବଂ ପୋଲିସ୍‌ ବ୍ୟବସ୍ଥା ଉପରେ ସବୁଠାରୁ ଅଧିକ ବିଶ୍ୱାସ କରିଥାନ୍ତି । ଆଇନ୍‌କାନୁନ ମାନିବାରେ ଏହି ଦେଶ ବିଶ୍ୱରେ ଏକ ନମ୍ବର ବୋଲି କୁହାଯାଏ ।

ଏଠାରେ ପ୍ରତି ବର୍ଗ କିଲୋମିଟରରେ ପ୍ରାୟ ୧୮ ଜଣ ବସବାସ କରିଥାନ୍ତି । ଯାହାକୁ ୟୁରୋପୀୟ ୟୁନିଅନର ସବୁଠାରୁ କମ୍‌ ବୋଲି କୁହାଯାଏ । ଏଠାକାର ପରିବେଶ ଖୁବ୍‌ ଥଣ୍ଡା । ତଥାପି ଅତି ରୋମାଣ୍ଟିକ୍ । ଖରାଦିନେ ରାତି ପ୍ରାୟ ୧୨ଟା ବେଳେ ସାମାନ୍ୟ ଅନ୍ଧାର ରହିଥାଏ । ଏହା ପୂର୍ବରୁ ରାତି ପ୍ରାୟ ୧୦ଟା ବେଳେ ସନ୍ଧ୍ୟା ସମୟର ଅନୁଭବ ହୋଇଥାଏ । ଏମିତିକି ଶୀତଦିନେ ଅଧିକାଂଶ ସମୟ ଅନ୍ଧାର ରହିଥାଏ । ଦିନ ଦ୍ୱିପ୍ରହର ବେଳକୁ ସୂର୍ଯ୍ୟ ସାମାନ୍ୟ ଦର୍ଶନ ଦେଇଥାନ୍ତି ।

ଏହି ଦେଶର ଶାସନ ବ୍ୟବସ୍ଥା ଓ ପ୍ରଶାସନ ବିଶ୍ୱରେ ସବୁଠାରୁ ଭଲ ବୋଲି ବିବେଚନା କରାଯାଏ । ଏଠାରେ ଦୁର୍ନୀତି ନାହିଁ କହିଲେ ଚଳେ । ଏଠାକାର ସମାଜ ସବୁବେଳେ ଆଗକୁ ବଢ଼ିବାକୁ ଚିନ୍ତା କରିଥାଏ । ଆର୍ଥିକ ସ୍ଥିତି ଖୁବ୍‌ ମଜଭୁତ । ଫିନ୍‌ଲ୍ୟାଣ୍ଡର ବ୍ୟାଙ୍କ ବିଶ୍ୱରେ ସବୁଠାରୁ ଦମ୍‌ଦାର ବ୍ୟାଙ୍କ୍‌ । କିନ୍ତୁ ଏହି ଦେଶର ଜିଡିପି ଖୁବ୍‌ କମ୍‌ ରହିଥାଏ । ବିଶ୍ୱରେ ଏହା ଏକମାତ୍ର ଦେଶ, ଯେଉଁଠି କୌଣସି ଲୋକ ବେଘର ନୁହେଁ ।

ଏଠାରେ ଲୋକମାନେ ମୁକ୍ତ ବାତାବରଣରେ ବାସ କରନ୍ତି ଏବଂ ନିର୍ବାଚନ ଅତି ସ୍ୱଚ୍ଛତାର ସହ ହୋଇଥାଏ । ଏଠାରେ ଲୋକମାନଙ୍କର ସର୍ବାଧିକ ବ୍ୟକ୍ତିଗତ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ରହିଛି । ଏଠାରେ ଗଣମାଧ୍ୟମକୁ ମଧ୍ୟ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । ମାନବିକ ଅଧିକାର ଏଠାରେ ସବୁଠାରୁ ଅଧିକ ସୁରକ୍ଷିତ ବୋଲି କୁହାଯାଏ ।

ତେବେ ଏଠାକାର ଏକ ଅଜବ ନିୟମ ରହିଛି । ଆଉ ତାକୁ ଲୋକେ ଖୋଲା ମନରେ ସ୍ୱାଗତ ବି କରୁଛନ୍ତି । ସେହି ଅଜବ ନିୟମ ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଆଉ କହିବେ ଆମ ଦେଶରେ ବି ଏହି ନିୟମ ଲାଗୁ କରଯାଉ । ନିୟମଟି ହେଲା ଏଠାରେ ଟ୍ରାଫିକ୍‌ ନିୟମ ଉଲଂଘନ କଲେ ରୋଜଗାର ଅନୁସାରେ ଚାଲାଣ କଟାଯାଇଥାଏ । ଯାହାର ଅଧିକ ରୋଜଗାର ତାକୁ ମୋଟା ଅଙ୍କର ଫାଇନ୍‌ ଦେବାକୁ ପଡ଼ିଥାଏ । ତେବେ ଏଭଳି ନିୟମ ପୋଲିସ କର୍ମଚାରୀଙ୍କ ପାଇଁ ଅସୁବିଧା ଆଣିଥାଏ । କାରଣ ଲୋକ ସବୁବେଳେ ନିଜର ରୋଜଗାର କମ୍ ବୋଲି ଦର୍ଶାଇଥାନ୍ତି ।

ଏଠାକାର ଲୋକେ ନିଜ ଜୀବନରେ ଖୁବ୍‌ ସନ୍ତୁଷ୍ଟ । ବାସସ୍ଥାନକୁ ନେଇ ସେମାନଙ୍କର କେବେ କୌଣସି ଅଭିଯୋଗ ନଥାଏ । କାରଣ ଏଠାରେ ରହିବା ସ୍ଥାନଗୁଡିକ ଖୁବ୍‌ ପ୍ରଶସ୍ତ ଏବଂ ଆରାମଦାୟକ । ଲିଙ୍ଗଗତ ସମାନତା ଦୃଷ୍ଟିରୁ ଫିନ୍‌ଲ୍ୟାଣ୍ଡ, ବିଶ୍ୱର ଶ୍ରେଷ୍ଠ ପାଞ୍ଚ ଦେଶ ମଧ୍ୟରେ ରହିଛି ।

WHOର ରିପୋର୍ଟ ଅନୁଯାୟୀ ଏହି ଦେଶର ବାୟୁମଣ୍ଡଳ ଲୋକଙ୍କ ପାଇଁ ଖୁବ୍‌ ସ୍ୱାସ୍ଥ୍ୟକର । ଏଠାକାର ଜଳ ମଧ୍ୟ ସବୁଠାରୁ ଅଧିକ ସ୍ୱଚ୍ଛ । ଏହି ଦେଶରେ ମୋଟ ୧,୮୭,୮୮୮ ହ୍ରଦ ରହିଛି । ଏଥିପାଇଁ ଏହାକୁ ହ୍ରଦ ଦେଶ ବୋଲି କୁହାଯାଏ । ଖାଲି ସେତିକି ନୁହେଁ ଏଠାରେ ବଡ଼ ଆକାରର ଜଙ୍ଗଲ ମଧ୍ୟ ରହିଛି । 

ଏଠାକାର ଶିକ୍ଷା ବ୍ୟବସ୍ଥାର ଉଦାହରଣ ସମଗ୍ର ବିଶ୍ୱରେ ଦିଆଯାଇଥାଏ । ଉଚ୍ଚଶିକ୍ଷା କ୍ଷେତ୍ରରେ ଏହି ଦେଶ ବିଶ୍ୱରେ ତିନି ନମ୍ବର । ଖାଲି ସେତିକି ନୁହେଁ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ୟୁରୋପର ତୃତୀୟ ଶ୍ରେଷ୍ଠ ଦେଶ ।