ଆମେରିକା ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସରେ ହାଇଡ୍ରାମାକୁ ନେଇ ବଢୁଛି ଚର୍ଚ୍ଚା । ସୌଜନ୍ୟମୂଳକ ଆଲୋଚନା ବେଳେ ବିଶ୍ବ ମିଡିଆ ସାମ୍ନାରେ ମୁହାଁମୁହିଁ ଆମେରିକା ଓ ୟୁକ୍ରେନ୍ ରାଷ୍ଟ୍ରପତି । ଋଷର ଆକ୍ରମଣରୁ ବର୍ତ୍ତିବାକୁ ଆମେରିକାର ସାମରିକ ସହାୟତା ଏବଂ ଋଷ ସହ ଯୁଦ୍ଧ ବିରତି ଉଦ୍ଦେଶ୍ୟରେ ଆମେରିକାର ମଧ୍ୟସ୍ଥତା ପାଇଁ ଆମେରିକା ଯାଇଥିଲେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡମିର ଜେଲେନସ୍କି । ହେଲେ ହ୍ବାଇଟ ହାଉସରେ ବୈଠକ ବେଳେ ଆମେରିକା, ୟୁକ୍ରେନ୍ ସହ ଖଣିଜ ଚୁକ୍ତିରେ ସ୍ବାକ୍ଷର ଚାହିଁବାରୁ ଏହାକୁ ନେଇ ବିବାଦର ସୂତ୍ରପାତ ହୋଇଥିବା କୁହାଯାଉଛି ।
ଆଉ କଥା କଟାକଟିର ଦୃଶ୍ୟ ପୁରା ବିଶ୍ବକୁ ଖେଳିଯିବା ପରେ ଏ ଘଟଣାକୁ ନେଇ ପୁଣି ଭାଗ ଭାଗ ହେବାକୁ ଯାଉଛି ବିଶ୍ବ । ୟୁଏସଏ ଓ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଦେଖିବାକୁ ମିଳିଛି । ୟୁକ୍ରେନ୍ ସହ ଆମେରିକାର ଖଣିଜ ଚୁକ୍ତିରେ ସ୍ବାକ୍ଷର ପ୍ରକ୍ରିୟା ଅଧୁରା ରହିଯାଇଛି ।
Also Read
ଶୁକ୍ରବାର ହ୍ବାଇଟ ହାଉସର ଓଭାଲ ଅଫିସ ଭିତରେ ଆମେରିକା ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପ୍, ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କିଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତିକୁ ନେଇ ସାରା ବିଶ୍ବରେ ଚହଳ । କୁହାଯାଉଛି, ଋଷ ବିରୋଧରେ ବର୍ଷାଧିକ କାଳ ଧରି ଯୁଦ୍ଧ କରି ଆସୁଥିବା ୟୁକ୍ରେନକୁ ସାମରିକ ସହାୟତା ଦେବା, ଋଷ ସହ ଯୁଦ୍ଧ ବିରତି ସହମତି ଲାଗି ଶୁକ୍ରବାର ୱାସିଂଟନ୍ ଯାଇଥିଲେ ଜେଲେନସ୍କି ।
ଏହାପରେ ହ୍ବାଇଟ ହାଉସର ଓଭାଲ ଅଫିସରେ ଦୁଇ ଦେଶର ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଥିଲା । ଆଲୋଚନାକୁ ସ୍ବାଗତ କରି ରାଷ୍ଟ୍ରପତି ଟ୍ରମ୍ପ୍ ସୂଚାଇଥିଲେ ଯେ, ୟୁକ୍ରେନକୁ ପରବର୍ତ୍ତି ସହାୟତା ଦେବା ପୂର୍ବରୁ ୱାସିଂଟନ୍-କିଭ୍ ସହ ଗୁରୁତ୍ବପୂର୍ଣ୍ଣ ଖଣିଜ ଚୁକ୍ତି ସ୍ବାକ୍ଷର କରିବା ଜରୁରୀ । ହେଲେ ତା ପୂର୍ବରୁ ଜେଲେନସ୍କି ଆମେରିକାଠୁ ବାସ୍ତବ ସୁରକ୍ଷା ଗ୍ୟାରେଣ୍ଟି ସହ ସାମରିକ ସହାୟତା ଦାବି କରିଥିଲେ । ଆଉ ଏହାକୁ ନେଇ ଆରମ୍ଭ ହୋଇଥିଲା ଦୁଇ ରାଷ୍ଟ୍ରପତିଙ୍କ ମଧ୍ୟରେ ପ୍ରବଳ କଥା କଟାକଟି ।
ଏ ପ୍ରକ୍ରିୟାରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ନିଆଁରେ ଘିଅ ଢାଳି ସ୍ଥିତିକୁ ଆହୁରି ସଙ୍ଗୀନ କରିଦେଇଥିଲେ । ଯାହାର ଦୃଶ୍ୟ ଏବେ ବିଶ୍ବର ସମସ୍ତ ଗଣମାଧ୍ୟମରେ ପ୍ରମୁଖ ଖବର ପାଲଟିଛି । ଏ କଥା କଟାକଟି ଭିତରେ ରାଷ୍ଟ୍ରପତି ଟ୍ରମ୍ପ୍, ଜେଲେନସ୍କିଙ୍କୁ ଷ୍ଟୁପିଡ୍ ପ୍ରେସିଡେଣ୍ଟ ବୋଲି ସମ୍ବୋଧନ ସହ ୩୫୦ ବିଲିୟନ ଡଲାର ଦେଇଥିବା କଥା ବି କହିଛନ୍ତି ।
କେବଳ ସେତିକି ନୁହେଁ, ଜେଲେନସ୍କି ତୃତୀୟ ବିଶ୍ବଯୁଦ୍ଧ ପାଇଁ ଜୁଆ ଖେଳୁଥିବା, ନିଜ ଦେଶବାସୀଙ୍କୁ ଅସମ୍ମାନ କରୁଥିବା ଭଳି ବାକ୍ୟ ବି ପ୍ରୟୋଗ କରିଥିଲେ । ଏହି ଉଚ୍ଚବାଚ୍ଚ ଭିତରେ ସ୍ଥିତି ଏମିତି ହୋଇଥିଲା ଯେ ଜେଲେନସ୍କି ବି ବିନା ସୌଜନ୍ୟତାରେ ବୈଠକ ଛାଡ଼ି ଚାଲି ଆସିଥିବା କୁହାଯାଉଛି । ଏମିତିକି ଆମେରିକା ରାଷ୍ଟ୍ରପତି ଭବନରେ ପ୍ରସ୍ତୁତ ଖାଦ୍ୟ ଓ ପାନୀୟ ବିନା ହ୍ବାଇଟ୍ ହାଉସ ଛାଡ଼ିଥିବା ବେଳେ ତାଙ୍କ ଗସ୍ତକୁ କାଣ୍ଟଛାଣ୍ଟ୍ କରି ଆମେରିକା ଛାଡ଼ିଛନ୍ତି ।
ଏପଟେ ବିଶ୍ବର ୧ ନମ୍ବର ଶକ୍ତିଶାଳୀ ରାଷ୍ଟ୍ର ଓ ଏକ ଯୁଦ୍ଧତ୍ରସ୍ତ ଦେଶର ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ବିଶ୍ବ ଗଣମାଧ୍ୟମ ଆଗରେ ଘଟିଥିବା ଏ ଘଟଣାକୁ ଭିନ୍ନ ଭିନ୍ନ ଦୃଷ୍ଟିରେ ଦେଖିଛି ବିଶ୍ବ ସମୁଦାୟ । ଏପଟେ ଏ ଘଟଣା ପରେ ସୋସିଆଲ ମିଡିଆ ଏକ୍ସରେ ପରସ୍ପର ବିରୋଧରେ ପ୍ରତିକ୍ରିୟା ରଖିଛନ୍ତି ଉଭୟ ନେତା।
ସେପଟେ ଏହି ଘଟଣାକୁ ନେଇ ଋଷ, ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ଅତି କଡ଼ା ଭାଷାରେ ସାମାଲୋଚନା କରିଛି । ଅନ୍ୟପଟେ ବ୍ରିଟେନ, ଜର୍ମାନୀ ଏବଂ ଫ୍ରାନ୍ସ ଭଳି ଆହୁରି ଅନେକ ଦେଶ ଏ ମାମଲାରେ ୟୁକ୍ରେନକୁ ସମର୍ଥନ ଜଣାଇଥିବାରୁ ସେମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ରାଷ୍ଟ୍ରପତି ଜେଲେନସ୍କି।