• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୁହାଯାଏ ପ୍ରେମ ଅନ୍ଧ । ପ୍ରେମ ବନ୍ଧ ବାଡ଼ କିଛି ମାନେ ନାହିଁ । ପ୍ରେମ ଆଗରେ ଦୁନିଆର ସବୁଠୁ ବଡ଼ ଶକ୍ତି ବି ତୁଚ୍ଛ । ପ୍ରେମ ଆଗରେ ସବୁ କିଛି ହାର୍‌ ମାନିଥାଏ ।ତେବେ ଏମିତି ଏକ ଦୃଶ୍ୟ ଏବେ ଦେଖିବାକୁ ମିଳିଛି ୱାର୍‌ ଜୋନ୍‌ରୁ । ଋଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଆଜିକୁ ୧୨ ଦିନ ବିତିଲାଣି । ତାଥାପି ଥମିନି ମୃତ୍ୟୁର ତାଣ୍ଡବ ଲୀଳା । ଆଉ ଚାରିଆଡ଼େ ଗୁଳି ଗୋଳା ବର୍ଷା ହେଉଥିବା ବେଳେ ୱାର୍‌ ଜୋନ୍‌ରେ ଦେଖିବାକୁ ମିଳିଛି ନିଆରା ପ୍ରେମ କାହାଣୀ ।

ପ୍ରେମ ଯୁଦ୍ଧକୁ ମାନେନି, ଦେଶ ଦେଶ ମଧ୍ୟରେ ଥିବା ତିକ୍ତତାକୁ ବୁଝେନି । ପ୍ରେମ ସାଶ୍ୱତ, ଅନନ୍ତ ଏବଂ ଚିରନ୍ତନ । ସେଥିପାଇଁ ତ ପ୍ରେମ ନିବେଦନ କରିବାକୁ ଯବାନ ଏପରି କିଛି କଲେ, ଯାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହୋଇଛି ।

ଭିଡିଓରେ ଦେଖିବାକୁ ମିଳିଛି ୟୁକ୍ରେନ୍-ରଷିଆ ସୀମାରେ ଜଣେ ଯବାନ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରୁଛନ୍ତି । ଆଉ ଯୁବତୀ ଜଣଙ୍କ ମଧ୍ୟ ତାଙ୍କ ପ୍ରେମକୁ ସ୍ୱୀକାର କରୁଛନ୍ତି । ଆଉ ଉଭୟ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମିଳିଥିବା ସୂଚନା ଅନୁଯାୟୀ, ଯୁବତୀ ଜଣକ ରଷିଆର ମୂଳ ବାସିନ୍ଦା । ଆଉ ତାଙ୍କୁ ପ୍ରେମ ନିବେଦନ କରିଛନ୍ତି ୟୁକ୍ରେନ୍‌ର ଜଣ ଯବାନ । ଏହି ଦୁଇ ଜଣ ପରସ୍ପରର ବନ୍ଧୁ ଥିଲେ । ଯୁଦ୍ଧ ଘନାଉଥିବା ଦେଖି ଯୁବତୀ ଜଣକ ନିଜ ଦେଶ ରଷିଆକୁ ଫେରିଯିବାକୁ ବାହାରିଥିଲେ । ହେଲେ ସୀମାରେ ନିଜ ମନର କଥାକୁ ଜଣାଇଥିଲେ ଯବାନ । ପ୍ରେମ ନିବେଦନ କରିବା ସହ ବିବାହ ପ୍ରସ୍ତାବ ବି ଦେଇଥିଲେ । ଆଉ ଏହାକୁ ଗ୍ରହଣ କରିଥିଲେ ଯୁବତୀ । ଘଟଣା ସମୟରେ ପାଖରେ ଥିବା ଅନ୍ୟ ସାଥୀ ଯବାନ ଏହି ସମୟର ଭିଡିଓକୁ ରେକର୍ଡ କରିଥିଲେ । ଯେତେବେଳେ ରଷିଆ-ୟୁକ୍ରେନ୍ ମଧ୍ୟରେ ସମ୍ପର୍କ ବିଗିଡ଼ିବାରେ ଲାଗିଛି ସେତେବେଳେ ଏହି ଭିଡିଓ ସମସ୍ତଙ୍କୁ ଏକ ଭିନ୍ନ ସନ୍ଦେଶ ଦେଉଛି ।

ତେବେ ଏହା ପୂର୍ବରୁ ମଧ୍ୟ ୱାର୍‌ ଜୋନ୍‌ରୁ ଆସିଥିଲାଆ ଆଉ ଏକ ଭିଡିଓ । ଯେଉଁଥିରେ ଜଣେ ଯବାନ ବିବାହ କରୁଛନ୍ତି । ଯୁଦ୍ଧ ଭୂଇଁରେ ବିବାହ, କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ବିଲକୁଲ୍ ସତ । ୟୁକ୍ରେନ୍‌ରେ ଭୟର ବାତାବରଣ ଛାଇ ରହିଥିବା ବେଳେ ହାତକୁ ଦି ହାତ ହୋଇଛନ୍ତି ଦୁଇ ଯବାନ । ସ୍ୱେଚ୍ଛାକୃତ ଭାବେ ୟୁକ୍ରେନ୍ ସେନାରେ ସାମିଲ ହୋଇଥିବା ଲିଜେ, ଭେଲେରୀ ବିବାହ କରିଛନ୍ତି । କିଭ୍ ସୀମାରେ ଇହୁଦି ଧର୍ମ ଅନୁସାରେ ଏହି ବିବାହ ସମ୍ପନ୍ନ ହୋଇଥିଲା ।

ସେନା ପୋଷାକରେ ଥାଇ ହିଁ ଉଭୟଙ୍କ ବିବାହ ସମ୍ପର୍ଣ୍ଣ କରାଯାଇଥିଲା । ଅତିଥି ଭାବେ ସହଯୋଗୀ ଯବାନ ଓ ସେନାଧିକାରୀମାନେ ଯୋଗଦେଇଥିଲେ । ଗୋଟେ ହାତରେ ଦେଶ ସୁରକ୍ଷା ପାଇଁ ବନ୍ଧୁକ ଓ ଅନ୍ୟ ହାତରେ ସହଯୋଗୀର ବିବାହ ପାଇଁ ଫୁଲ ଧରିଥିଲେ ଯବାନ । ଯାହା ଏକ ଭିନ୍ନ ଚିତ୍ର ଦର୍ଶାଇଥିଲା ।