• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାରା ବିଶ୍ୱ ଏବେ ଶ୍ରୀଲଙ୍କା ସ୍ଥିତି ନେଇ ଚିନ୍ତିତ । ଶ୍ରୀଲଙ୍କାରେ ଏଭଳି ଆର୍ଥିକ ସଙ୍କଟ ଦେଖାଯାଇଛି ଯେ, ସମାଧାନର ବାଟ ବାହାରି ପାରୁନି । ଲୋକଙ୍କ ପାଖରେ ନା ଖାଦ୍ୟ ଅଛି ନା ଲୋକଙ୍କ ଘରେ ବିଦ୍ୟୁତ ଅଛି । ଏମିତିକି ପେଟ୍ରୋଲ-ଡିଜେଲ ମଧ୍ୟ ମିଳିବା ମୁସ୍କିଲ । ଲୋକମାନେ ଧିରେ ଧିରେ ଅନାହାର ଆଡ଼କୁ ଗତି କଲେଣି । ଦେଶ ପାଖରେ ଏତେ ସବୁ ସମସ୍ୟା ସମାଧାନ କରିବାକୁ ନା ଟଙ୍କା ଅଛି ନା କିଛି ଉପାୟ । ଶ୍ରୀଲଙ୍କା ସରକାର ବି ଏଥିପାଇଁ ଏକ ପ୍ରକାର ହାତ ଟେକି ସାରିଲେଣି ।

ତେବେ ସବୁଠାରୁ ବଡ଼ କଥା ହେଲା, ଆଜି ଶ୍ରୀଲଙ୍କାରେ ଯେଭଳି ପରିସ୍ଥିତି ଉପୁଜିଛି ଠିକ୍‌ ସେହିଭଳି ପରିସ୍ଥିତି ଅନ୍ୟ କିଛି ଦେଶରେ ମଧ୍ୟ ଉପୁଜିବାର ସମ୍ଭାବନା ରହିଛି । ଖୁବ୍‌ ଶୀଘ୍ର ଶ୍ରୀଲଙ୍କା ସ୍ଥିତି ଅନ୍ୟ ଦେଶ ମାନଙ୍କରେ ଦେଖିବାକୁ ମିଳିବ ବୋଲି ଆଶଙ୍କା କରାଯାଉଛି । ଏନେଇ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଅନେକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ ପାକିସ୍ତାନରେ ମଧ୍ୟ ଖୁବ୍‌ ଶୀଘ୍ର ଶ୍ରୀଲଙ୍କା ସ୍ଥିତି ଉପୁଜିବାର ସମ୍ଭାବନା ରହିଛି । ସେଠାରେ ଲୋକଙ୍କ ପାଖରେ ନା ଥିବ ଖାଦ୍ୟ ନା ଥିବ ଅର୍ଥ । ପାକିସ୍ତାନ ମଧ୍ୟ ଅନାହାର ଓ ଦାରିଦ୍ର୍ୟ ଆଡ଼କୁ ଗତି କରୁଛି ବୋଲି ବିଭିନ୍ନ ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ।

କେବଳ ପାକିସ୍ତାନ ନୁହେଁ ଏବେ ଶ୍ରୀଲଙ୍କା ଭଳି ସ୍ଥିତି ଭୋଗିବାକୁ ଯାଉଥିବା ଅନ୍ୟ ଦେଶଗୁଡ଼ିକ ହେଲା ଏଲ୍‌ ସାଲଭାଡୋର, ଜାମ୍ବିଆ, ଲେବାନନ ଏବଂ ଘାନା । ଏହି ୫ଟି ଦେଶର ଆର୍ଥିକ ସ୍ଥିତି ଏବେ ଭୟଙ୍କର ଅବସ୍ଥାକୁ ଗଲାଣି । ଦେଶ ଗୁଡ଼ିକ ଉପରେ ଋଣ ବୋଝ ଏତେ ମାତ୍ରାରେ ଲଦି ହେଲାଣି ଯେ, ତାକୁ ସୁଝିବା ଦେଶ ପାଇଁ କାଠିକର ପାଠ ।

ଏକ ରିପୋର୍ଟ ଅନୁଯାୟୀ ଏଲ୍‌ ସାଲଭାଡୋର ଦେଶରେ ରାଜସ୍ୱ ନିଅଣ୍ଟ (ଫିସକାଲ୍‌ ଡେଫିସିଟ୍) ୫.୫ ପ୍ରତିଶତ ରହିଥିବା ବେଳେ ଏହାର ମୁଣ୍ଡ ପିଛା ଋଣ ଅନୁପାତ ୮୭ ପ୍ରତିଶତ ରହିଛି । ସେହିଭଳି ଜାମ୍ବିଆର ରାଜସ୍ୱ ନିଅଣ୍ଟ ୧୦ ପ୍ରତିଶତ ରହିଥିବା ବେଳେ ଏହାର ମୁଣ୍ଡ ପିଛା ଋଣ ଅନୁପାତ ୧୨୩ ପ୍ରତିଶତ ରହିଛି । ସେହିପରି ଲେବାନନର ରାଜସ୍ୱ ନିଅଣ୍ଟ ୨୦ ପ୍ରତିଶତ ରହିଥିବା ବେଳେ ଏହାର ମୁଣ୍ଡ ପିଛା ଋଣ ଅନୁପାତ ୨୧୦ ପ୍ରତିତ ରହିଛି । 

ତେବେ ପାକିସ୍ତାନର ଫିସ୍‌କାଲ ଡେଫିସିଟ୍ ୯ ପ୍ରତିଶତ ରହିଥିବା ବେଳେ ମୁଣ୍ଡ ପିଛା ଋଣ ଅନୁପାତ ୭୪ ପ୍ରତିଶତ ରହିଛି । ଘାନାର ଫିସ୍‌କାଲ ଡେଫିସିଟ୍ ୧୨ ପ୍ରତିଶତ ରହିଥିବା ବେଳେ ମୁଣ୍ଡ ପିଛା ଋଣ ଅନୁପାତ ୭୬ ପ୍ରତିଶତ ରହିଛି । ଅନ୍ୟପଟେ ଇଜିପ୍ଟ, ଆର୍ଜେଣ୍ଟିନା, ନେପାଳ ମଧ୍ୟ ଖୁବ୍‌ ଶୀଘ୍ର ଏହି ତାଲିକାରେ ସାମିଲ ହେବାକୁ ଯାଉଛନ୍ତି ।

କୁହାଯାଉଛି ଶ୍ରୀଲଙ୍କାରେ ଏଭଳି ଘୋର ଆର୍ଥିକ ସଙ୍କଟ ଉପୁଜିବାର ମୁଖ୍ୟ କାରଣ ହେଉଛି କରୋନା ମହାମାରୀ । କାରଣ ଏହି ଦେଶ ବିଶେଷ ଭାବେ ପର୍ଯ୍ୟଟନ ସ୍ଥଳି ଓ ପର୍ଯ୍ୟଟକଙ୍କ ଉପରେ ନିର୍ଭର କରିଥାଏ । ଏହାର ସିଂହ ଭାଗ ରୋଜଗାର କେବଳ ପର୍ଯ୍ୟଟନ କ୍ଷେତ୍ରରୁ ହିଁ ମିଳିଥାଏ । କରୋନା କାରଣରୁ ଏହି ସବୁ ଶିଳ୍ପ ବନ୍ଦ ରହିବାରୁ ଦେଶ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଛି । ଅନ୍ୟପଟେ ଦିନକୁ ଦିନ ଡଲାରର ମୂଲ୍ୟ ବୃଦ୍ଧି ମଧ୍ୟ ଏହି ଦେଶ ମାନଙ୍କୁ ଅଧିକରୁ ଅଧକ ଦାରିଦ୍ର୍ୟ ଆଡ଼କୁ ଠେଲି ଦେଉଛି ।