• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

୧୦ ଦିନ ହେଲା କୋଠା ଭୁଶୁଡ଼ୁଥିଲା । ଏବେ ଭୁଶୁଡ଼ିବାରେ ଲାଗିଲାଣି ଗାଜାବାସୀଙ୍କ ମନୋବଳ । ଇସ୍ରାଏଲ୍-ହମାସ୍ ଯୁଦ୍ଧରେ ପୁଣିଥରେ ବଳି ପଡ଼ୁଛନ୍ତି ଏଠାକାର ନିରୀହ ଜନସାଧାରଣ । ଧ୍ୱଂସସ୍ତୁପ ତଳେ କେତେ ଯେ ପରିବାର ନିଶ୍ଚିହ୍ନ ହୋଇଯାଉଛି, କେତେ ଯେ ଶିଶୁଙ୍କ କାନ୍ଦ ନିରବି ଯାଉଛି, ତା’ର କଳନା ନାହିଁ । ହେଲେ ଯେଉଁମାନେ ବଞ୍ଚି ଯାଇଛନ୍ତି, ଏବେ ସେମାନଙ୍କୁ ବି ଖାଇଗୋଡ଼ାଉଛି ମୃତ୍ୟୁ । ଗୁଳିଗୋଳାରେ ନମଲେ ବି, ପାଣି-ଖାଦ୍ୟ-ଔଷଧ ବିନା ଛଟପଟ ହୋଇ ମରିବା ଏକପ୍ରକାର ନିଶ୍ଚିତ ।

ପ୍ରାୟ ସପ୍ତାହେ ହେଲା ଗାଜାକୁ ପିଇବା ପାଣି ଟୋପାଏ ବି ଛାଡ଼ିନି ଇସ୍ରାଏଲ୍ । ସେନା ଅବରୋଧ କରିଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବି ବନ୍ଦ । ଭୋକ ଶୋଷରେ ଡହଳବିକଳ ଗାଜାବାସୀ । ଆଉ ହସ୍ପିଟାଲ କଥା ତ ନକହିବା ଭଲ । ଇସ୍ରାଏଲୀ ଏୟାରଷ୍ଟ୍ରାଇକ ଆରମ୍ଭ ହେବାଠାରୁ, ହସ୍ପିଟାଲକୁ ପ୍ରତିଦିନ ଛୁଟିଛି ଶହ ଶହ ମୃତାହତଙ୍କ ସୁଅ । ଏବେ ସୁଦ୍ଧା ପ୍ରାୟ ୧୦ ହଜାର ଲୋକ ଆହତ ହୋଇଥିବାବେଳେ, ହସ୍ପିଟାଲରେ ବେଡ୍ ତ ଦୂରର କଥା, ପର୍ଯ୍ୟାପ୍ତ ଗଜ୍ କନା ବି ମିଳୁନି । ଆ

ଶହ ଶହ ଆଇସକ୍ରିମ ଭ୍ୟାନ୍ ଓ ଫ୍ରିଜର୍ ଟ୍ରକ୍ ଏବେ ଗାଜା ସହରରେ ଶବ ଗୋଟାଉଛି । ଗାଜାରେ ମୃତ୍ୟୁସଂଖ୍ୟା ୩ ହଜାର ଛୁଇଁବାକୁ ବସିଥିବାବେଳେ, ବୋମା ବର୍ଷା ଭିତରେ ଶେଷକୃତ୍ୟ ସମ୍ଭବ ହେଉନଥିବାରୁ ଶବ ସଂରକ୍ଷଣ ଗୃହ ନିଅଣ୍ଟ ପଡ଼ୁଛି ।

ଏସବୁ ଯନ୍ତ୍ରଣା କମ୍ ଥିଲା ଯେ, ବେଡ଼ି ଉପରେ କୋରଡ଼ା ମାଡ଼ ସାଜିଲା ଇସ୍ରାଏଲର କଡ଼ା ନିର୍ଦ୍ଦେଶ । ଉତ୍ତର-ଗାଜାପଟ୍ଟି ଖାଲି କରି ତୁରନ୍ତ ଦକ୍ଷିଣକୁ ପଳାଅ, ନଚେତ୍ ଭୟଙ୍କର ପରିଣାମ ଭୋଗିବ ବୋଲି ଗ୍ରାଉଣ୍ଡ୍ ଆଟାକ୍ ପୂର୍ବରୁ ସତର୍କ କରିଛି ଇସ୍ରାଏଲ୍ । ହେଲେ ଏହା କ’ଣ ଏତେ ସହଜ ? ବହୁ ଲୋକଙ୍କର ଯାହା ସମ୍ବଳ ଥିଲା, ସବୁ ଏବେ ମାଟି ହୋଇସାରିଛି । ପାଖରେ ଟଙ୍କାପଇସା ନାହିଁ, ଗାଡ଼ିରେ ତେଲ ନାହିଁ, ପାଖରେ ପାଣି ଓ ଖାଦ୍ୟ ବି ନାହିଁ । ସବୁଠୁ ବଡ଼ କଥା, ଦେହରେ ବଳ ନାହିଁ, ମନରେ ବଞ୍ଚିବାର ଆଶା ବି ନାହିଁ ।

ଏଭଳି ନାହିଁ ନାହିଁ ଭିତରେ ୧୧ଲକ୍ଷ ଲୋକ ସ୍ଥାନାନ୍ତର ହେଲେ, ଗାଜାରେ ଉତ୍କଟ ମାନବୀୟ ସଂକଟ ସୃଷ୍ଟି ହେବ ବୋଲି ଚେତାଇ ଦେଇଛି ଜାତିସଂଘ । ଖାସ୍ କରି ଗାଜାର ୨୨ଟି ହସ୍ପିଟାଲରେ ଏବେବି ଶିଶୁଙ୍କ ସମେତ ୨ହଜାରରୁ ଅଧିକ ଆହତ ଅକ୍ସିଜେନ ଓ ଲାଇଫ ସପୋର୍ଟରେ ଅଛନ୍ତି । ସେମାନଙ୍କୁ ସ୍ଥାନାନ୍ତର କରିବାର ଅର୍ଥ ମୃତ୍ୟୁଦଣ୍ଡ ଦେବା ବୋଲି କହିଛି ଜାତିସଂଘ ।

କେବଳ ଇସ୍ରାଏଲୀ ନିର୍ଦ୍ଦେଶ ନୁହେଁ, ହମାସ୍ ବି ନିଜ ଲୋକଙ୍କ ଯନ୍ତ୍ରଣାକୁ ବଢ଼ାଇ ଦେଇଛି। ଉତ୍ତର ଗାଜାରୁ ଦକ୍ଷିଣକୁ ସମୂହ ପଳାୟନ ଜାରି ରହିଥିବା ବେଳେ, ଏହାକୁ ରୋକିବା ପାଇଁ ହମାସ୍ ରାସ୍ତାରେ ଅବରୋଧ ସୃଷ୍ଟି କରୁଛି । ଲୋକଙ୍କ ପରିଚୟପତ୍ର ଓ କାର୍ ଚାବି ଛଡ଼ାଇ ନେଉଛି । କାରଣ ଲୋକମାନେ ପଳାଇଲେ, ହମାସ୍ ଢାଲ କରିବ କାହାକୁ । ଏଭଳି ସ୍ଥିତିରେ ଇସ୍ରାଏଲୀ ସ୍ଥଳସେନା ଗାଜାରେ ପଶି ଡୋର୍-ଟୁ-ଡୋର୍ ଅପରେସନ ଆରମ୍ଭ କଲେ, ମୃତାହତ ସଂଖ୍ୟା ବଢ଼ିବା ସହ, ଲୋକଙ୍କ ଜୀବନ ଆହୁରି ବହୁଗୁଣ ଦୁର୍ବିସହ ହୋଇଯିବ ବୋଲି ଆଶଙ୍କା କରାଯାଉଛି ।