ଟ୍ୱିଟରରୁ ଆସିଗଲା ମେଲ୍‌ ! ଅଫିସ୍‌ ଆସୁଛ ଯଦି ରାସ୍ତାରୁ ଫେରିଯାଅ, ମେଲ୍ ପହଞ୍ଚିଯିବ...

ଏଲନ୍‌ ମସ୍କ ପାଖାପାଖି ୫୦ ପ୍ରତିଶତ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ସାରିଛନ୍ତି !

Elon Musk

ଆସିଗଲା ଇମେଲ୍ । ଯଦି ଅଫିସ୍ ଆସୁଛ ବା ରାସ୍ତାରେ ଅଛ ତେବେ ଘରକୁ ଫେରିଯାଅ । କିଛି ସମୟ ଭିତରେ ତୁମ ମାନଙ୍କ ପାଖକୁ ଆଉ ଏକ ମେଲ୍‌ ଆସିବ । ଯେଉଁମାନେ ଅଫିସ୍‌ରେ ଅଛ ସେମାନେ ବି ଘରକୁ ପଳାଅ । ଯଥାଶୀଘ୍ର ସମସ୍ତଙ୍କ ପାଖରେ ମେଲ୍ ପହଞ୍ଚିଯିବ । ଏମିତି କିଛି ମେଲ୍ ଆସିଛି ଟ୍ୱିଟର କର୍ମଚାରୀଙ୍କୁ । ଆଉ ଏହି ମେଲ୍‌ ଦେଖି ସମସ୍ତେ ଛାନିଆ । ଭାବି ପାରୁନାହାନ୍ତି କ’ଣ କରିବେ । ଏମିତି ନିଷ୍ପତ୍ତିର କି ଉତ୍ତର ଦେବେ । ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ୱିଟର ଏବେ କିଛି ଦିନ ହେବ ଖବରର ମୁଖ୍ୟସ୍ଥାନ ମଣ୍ଡନ କରୁଛି । ବିଶ୍ୱର ସବୁଠୁ ବଡ଼ ଧନୀ ବ୍ୟକ୍ତି ଏଲନ୍‌ ମସ୍କ ଏହାର ମାଲିକାନା ନେବା ପରେ ଟ୍ୱିଟରକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ।

ଅଧିକ ପଢ଼ନ୍ତୁ: କର୍ମଚାରୀଙ୍କୁ ଧମକ ! ଟାଇମ୍‌ ଭିତରେ କାମ ସାର, ଭୟରେ ଅଫିସ୍‌ରେ ଶୋଉଛନ୍ତି ମ୍ୟାନେଜର

ତେବେ କର୍ମଚାରୀଙ୍କ ପାଖକୁ ଆସିଥିବା ଏହି ମେଲ୍‌ରେ କ’ଣ ଲେଖାଅଛି ପଢ଼ନ୍ତୁ...

ଟିମ୍,

ଟ୍ୱିଟରକୁ ଆଗକୁ ନେବା ପାଇଁ ଆପଣମାନଙ୍କ ଅବଦାନ ଅତୁଳନୀୟ । ଏହାକୁ ଏକ ସୁସ୍ଥ ବାତାବରଣରେ ଗଢ଼ିତୋଳିଥିବାରୁ ଆପଣଙ୍କୁ ଧନ୍ୟବାଦ । ତେବେ ବର୍ତ୍ତମାନ ପରିସ୍ଥିତିରେ ଟ୍ୱିଟର ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି । ତେଣୁ ଆଗକୁ ଟ୍ୱିଟରର ଅଧିକ ବିକାଶ ପାଇଁ ଆମକୁ ଅନେକ କଡ଼ା ପଦକ୍ଷେପ ନେବାକୁ ହେବ । ତେଣୁ ଯଥାଶୀଘ୍ର ସମସ୍ତଙ୍କୁ ଏକ ଇମେଲ ଯିବ । ଯେଉଁଥିରେ ଟ୍ୱିଟରରେ ସେମାନଙ୍କ ରୋଲ କ’ଣ ରହିବ ସେନେଇ ସବିଶେଷ ତଥ୍ୟ ରହିବ । ଯେଉଁମାନଙ୍କୁ ପାଖକୁ ମେଲ୍‌ ଯାଇନି ଖୁବ୍‌ଶଘ୍ର ଏକ ମେଲ୍‌ ପହଞ୍ଚିବ । ଶୁକ୍ରବାର ସକାଳ ୯ଟାରେ ଏହି ମେଲ ପଠାଯାଇଛି । ଆପଣ ନିଜର ମେଲ୍‌ ଚେକ୍‌ କରିବା ସହ ସ୍ପାମ୍‌ ଫୋଲ୍ଠଡର ମଧ୍ୟ ଚେକ୍‌ କରନ୍ତୁ ।

ଯଦି ଆପଣଙ୍କର କାମ ସଂସ୍ଥା ପାଇଁ ଜରୁରୀ ହୋଇଥିବ ତେବେ ଆପଣଙ୍କ ପାଖକୁ ସେହିଭଳି ଏକ ମେଲ୍‌ ଯିବ ।

ଯଦି ଆପଣଙ୍କ କାମ ଆମ ସଂସ୍ଥା ପାଇଁ ଆଉ ଜରୁରୀ ନଥିବ ତେବେ ସେହିଭଳି ଏକ ମେଲ୍‌ ମଧ୍ୟ ଆପଣଙ୍କ ପାଖରେ ପହଞ୍ଚିବ ।

ଶୁକ୍ରବାର ସନ୍ଧ୍ୟା ୫ଟା ସୁଦ୍ଧା ଟ୍ୱିଟର ଏଚ୍‌ଆର୍‌ ପକ୍ଷରୁ ସେହି ମେଲ୍‌ ପହଞ୍ଚିବ । ଯଦି ମେଲ୍‌ ନପହଞ୍ଚିଥିବ ତେବେ ଅଫିସିଆଲ ମେଲ୍‌ ଯୋଗେ ଆପଣ ଜଣାଇପାରିବେ ।

ଟ୍ୱିଟରର ପ୍ରତ୍ୟେକ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏବଂ ଟ୍ୱିଟର ସିଷ୍ଟମ ଓ ଗ୍ରାହକଙ୍କ ତଥ୍ୟର ସୁରକ୍ଷା ଦୃଷ୍ଟିରୁ, ଆମ ଅଫିସ୍ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରହିବ । ସମସ୍ତଙ୍କ ଏଣ୍ଟ୍ରି କାର୍ଡ ଗୁଡ଼ିକୁ ସସ୍‌ପେଣ୍ଡ କରାଯାଇଛି । ତେଣୁ ଯଦି ଆପଣମାନେ ଅଫିସ ଆସୁଛନ୍ତି କିମ୍ବା ଅପିସ୍‌ ଆସିବା ରାସ୍ତାରେ ଅଛନ୍ତି, ତେବେ ଘରକୁ ଫେରିଯାଆନ୍ତୁ ।

ସୂଚନାଯୋଗ୍ୟ, ଟ୍ୱିଟର ସଂସ୍ଥା ପକ୍ଷରୁ କର୍ମଚାରୀଙ୍କ ଛଟେଇ ନେଇ କୌଣସି ସ୍ପଷ୍ଟିକରଣ ଦିଆଯାଇନଥିଲେ ମଧ୍ୟ ବିଭିନ୍ନ ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ଯେ, ଏଲନ୍‌ ମସ୍କ ପାଖାପାଖି ୫୦ ପ୍ରତିଶତ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ସାରିଛନ୍ତି । ଆଗକୁ ମଧ୍ୟ ଆହୁରି କାଢ଼ିବାର ଯୋଜନା ରହିଛି। ଆରମ୍ଭରୁ ସଂସ୍ଥାର ପୂର୍ବତନ ସିଇଓ ପରାଗ ଅଗ୍ରୱାଲ ଏବଂ ଲିଗାଲ ହେଡ୍‌ଙ୍କୁ ସେ ବିଦା କରିସାରିଛନ୍ତି ।