• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିକଟରେ ଟେସଲା ସିଇଓ ଏଲୋନ୍ ମସ୍କ ଟ୍ୱିଟରର ପ୍ରାୟ ୯ ପ୍ରତିଶତ ଅଂଶଧନ ଗ୍ରହଣ କରିଛନ୍ତି । କିନ୍ତୁ ଏବେ ଏକ ନୂଆ ରିପୋର୍ଟ ଅନୁଯାୟୀ, ସେ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରକୁ ସମ୍ପୂର୍ଣ୍ଣ ରୂପେ କିଣିବାକୁ ଚାହୁଁଛନ୍ତି । ରିପୋର୍ଟରେ ଦର୍ଶାଯାଇଛି ଯେ ଏଲୋନ୍ ମସ୍କ ଏଥିପାଇଁ ଟ୍ୱିଟର କମ୍ପାନୀକୁ ଏକ ଅଫର ଦେଇଛନ୍ତି । ଏଲୋନ୍ ମସ୍କ କହିଛନ୍ତି ଯେ, ଟ୍ୱିଟରରେ ଅନେକ ସମ୍ଭାବନା ଅଛି ଏବଂ ସେ ଏହାକୁ ଅନଲକ୍ କରିବାକୁ ଚାହୁଁଛନ୍ତି ।

ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଏଲୋନ୍ ମସ୍କ କମ୍ପାନୀକୁ ପ୍ରାୟ ୪୧ ବିଲିୟନ ଡଲାର୍‌ରେ କିଣିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ସେ କମ୍ପାନୀର ପ୍ରତି ସେୟାର ପିଛା ୫୪.୨୦ ଡଲାର ଖର୍ଚ୍ଚ କରିବେ ।

ଟେସଲା ସିଇଓ ଏଲୋନ୍ ମସ୍କ ଗତ ଏପ୍ରିଲ୍ 4 ରେ ଟ୍ୱିଟରରେ ପ୍ରାୟ ୯ ପ୍ରତିଶତ ଅଂଶଧନ କିଣିଛନ୍ତି । ସେବେଠାରୁ ସେୟାର ବଜାରରେ ଟ୍ୱିଟରର ଦାମ ବଢ଼ିବାରେ ଲାଗିଛି । ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ଏଲୋନ ମସ୍କ ଲେଖିଥିବା ଏକ ଚିଠିରେ ଟ୍ୱିଟର ଚେୟାରମ୍ୟାନ୍ ବ୍ରେଟ୍ ଟେଲରଙ୍କୁ କହିଛନ୍ତି ଯେ, ଏବେ ଟ୍ୱିଟରକୁ ଏକ ଘରୋଇ କମ୍ପାନୀରେ ପରିଣତ କରିବାର ଆବଶ୍ୟକତା ରହିଛି ।

ସେ ଆହୁରି ମଧ୍ୟ ଚିଠିରେ କହିଛନ୍ତି ଯେ, ଏଥିରେ ବିନିଯୋଗ କରିବା ପରେ ସେ ଜାଣିପାରିଲେ ଯେ ଏହି କମ୍ପାନୀ ଯେଉଁଭଳି ଭାବେ ବୃଦ୍ଧି ପାଇବା କଥା ସେହିଭଳି ଭାବେ ବୃଦ୍ଧି ପାଉନାହିଁ । ଯାହାଫଳରେ କମ୍ପାନୀର ଉଦ୍ଦେଶ୍ୟ ପୂରଣ ହୋଇପାରିବ ନାହିଁ । ତାଙ୍କ ପକ୍ଷରୁ ଦିଆଯାଇଥିବା ଅଫର୍‌ ଖୁବ୍‌ ଭଲ, ଯଦି ଏହି ଅଫରଟି ଗ୍ରହଣ କରାଯାଏ ନାହିଁ, ତେବେ ସେ ଟ୍ୱିଟରର ଅଂଶୀଦାର ଭାବରେ ଆଗକୁ ରହିବା ନେଇ ପୁଣି ଥରେ ବିଚାର କରିବେ ।

ଏହି ସପ୍ତାହ ଆରମ୍ଭରୁ, ମସ୍କ ଟ୍ୱିଟର ବୋର୍ଡରେ ଯୋଗଦେବା ପ୍ଲାନ୍‌ ବାତିଲ କରିଥିଲେ । ବୋର୍ଡ ସିଟ୍ ଗ୍ରହଣ କରିବା ପରେ ପୁରା କମ୍ପାନୀ ଆକ୍ତିଆର କରିବାର ସମ୍ଭାବନା କ୍ଷୀଣ ହୋଇଯାଇଥାନ୍ତା । କମ୍ପାନୀର ଅଂଶଧନ କିଣିବା ପରେ ମସ୍କ ଟ୍ୱିଟର ବିଷୟରେ ଟ୍ୱିଟ କରିବା ଆରମ୍ଭ କରିଥିଲେ । ସେ ଅନ୍ୟ ୟୁଜର୍ସଙ୍କ ସହ ଟ୍ୱିଟର ମୁଖ୍ୟାଳୟକୁ ଏକ ସେଲ୍ଟର ହୋମରେ ପରିଣତ କରିବା ଏବଂ ଟ୍ୱିଟ୍‌ରେ ଏଡିଟ୍‌ ଅପ୍‌ସନ୍‌ ରଖିବା ପାଇଁ ଆଲୋଚନା ଆରମ୍ଭ କରିଛନ୍ତି ।