/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737298090.jpg)
Donald Trump
ଆସନ୍ତାକାଲି ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ। ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଆରମ୍ଭ ହେବ ୭୮ ବର୍ଷୀୟ ଟ୍ରମ୍ପଙ୍କ ଦ୍ବିତୀୟ ପାଳି। ପ୍ରବଳ ଥଣ୍ଡା ପାଇଁ ୪୦ ବର୍ଷ ପରେ ଶପଥ ଉତ୍ସବ ଖୋଲା ସ୍ଥାନ ବଦଳରେ ଇଣ୍ଡୋର ହଲରେ ହେବ। ଭାରତ ତରଫରୁ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଉପସ୍ଥିତ ରହିବେ। ତେବେ ଆମେରିକାରେ ଟ୍ରମ୍ପ ରାଜ୍ ର ଭାରତକୁ କେତେ ଫାଇଦା ମିଳିବ ତାଉପରେ ରହିଛି ନଜର।
୨୦ ଜାନୁଆରୀ, ସୋମବାର। ଆମେରିକା ସମୟ ମଧ୍ୟାହ୍ନ ୧୨ଟା । ଭାରତୀୟ ସମୟ ରାତି ୧୦ଟା ୩୦। ଆମେରିକାରେ ପୁଣି ଚାଲିବ ଟ୍ରମ୍ପ ଶାସନ। ମିଷ୍ଟର ପ୍ରେସିଡେଣ୍ଟ ବନିବେ ଡୋନାଲ୍ଡ ଟ୍ରମ୍ପ। ହ୍ୱାଇଟ୍ ହାଉସରେ ଆରମ୍ଭ ହେବ ଦ୍ୱିତୀୟ ଇନିଂସ। ଏଥିପାଇଁ ଫ୍ଲୋରିଡାରୁ ୱାସିଂଟନ୍ ଅଭିମୁଖେ ପରିବାର ସହ ଉଡାଣ ଭରିଛନ୍ତି ଟ୍ରମ୍ପ। ଭବ୍ୟ ଶପଥ ସମାରୋହ ପାଇଁ ପ୍ରସୁତ କ୍ୟାପିଟଲ୍ ହିଲ୍ ରୋତୁଣ୍ଡା। ମଂଚ ପ୍ରସୁତ, ଅତିଥି ବି ଆସିସାରିଲେଣି। ମାଇନସ୍ ୭ ଡିଗ୍ରୀ ଯାଏଁ ଥଣ୍ଡା ଆକଳନ ପରେ ବଦଳିଛି ରାଷ୍ଟ୍ରପତିଙ୍କ ଶପଥ ସମାରୋହ ସ୍ଥଳ। ୨ ଲକ୍ଷ ୨୦ ହଜାର ଟିକେଟ୍ ବିକ୍ରି ହୋଇସାରିଛି। ଟିକେଟ୍ ନଥିବା ଦର୍ଶକ ନ୍ୟାସନାଲ ମଲରୁ ଶପଥ ଉତ୍ସବ ଦେଖିପାରିବେ। ମୁଖ୍ୟ ବିଚାରପତି ଜନ୍ ରୋବର୍ଟସ ଟ୍ରମ୍ପଙ୍କୁ ଶପଥପାଠ କରାଇବେ। ଦୁଇ ହାତରେ ଦୁଇଟି ବାଇବଲ ଧରି ଆମେରିକୀୟ ସମ୍ବିଧାନର ୩୫ଟି ମହତ୍ତ୍ୱପୂର୍ଣ୍ଣ ଶବ୍ଦର ଶପଥ ନେବେ ଟମ୍ପ୍। ଭାରତ ପକ୍ଷରୁ ଉପସ୍ଥିତ ରହିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର। ପତ୍ନୀଙ୍କ ସହ ରିଲାୟନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବି ସାମିଲ ହେବେ ଟ୍ରମ୍ପଙ୍କ ଶପଥ ସମାରୋହରେ।
ଅଧିକ ପଢ଼ନ୍ତୁ;ଟ୍ରମ୍ପଙ୍କ ଦ୍ୱିତୀୟ ପାଳିରେ ବନ୍ଦ ହେବ ଯୁଦ୍ଧ, କମିବ ଭୂ-ରାଜନୈତିକ ଅସ୍ଥିରତା ଓ ତେଲ ଦର !
୪ ବର୍ଷ ପରେ ପୁଣି ରାଷ୍ଟ୍ରପତି ବନିବାକୁ ଯାଉଥିବା ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଦିନରେ ହିଁ ନେଇପାରନ୍ତି ଅନେକ ବଡ ନିଷ୍ପତ୍ତି। ସୂଚନା ଅନୁସାରେ ଶହେରୁ ଅଧିକ ଫାଇଲରେ ସାଇନ୍ କରିପାରନ୍ତି ନୂଆ ରାଷ୍ଟ୍ରପତି। ଟ୍ରମ୍ପଙ୍କ ଶପଥ ଗ୍ରହଣ ଉପରେ ରହିଛି ସାରା ବିଶ୍ବର ନଜର। ବିଶେଷ କରି ଫୋକସରେ ରହିଛି ଟ୍ରମ୍ପଙ୍କ ବ୍ୟବସାୟିକ ଟାରିଫ ଘୋଷଣା। ତେବେ ପ୍ରଶ୍ନ ଉଠୁଛି, ଭାରତ ପାଇଁ କେତେ ଲାଭଦାୟୀ ହେବ ଟ୍ରମ୍ପ ୨.O। ଟ୍ରମ୍ପଙ୍କ ନିର୍ବାଚନ ବିଜୟ ବେଳେ ଉଛୁଳି ଉଠିଥିବା ଭାରତୀୟ ସେୟାର ବଜାରରେ ପୁଣି ଦେଖିବାକୁ ମିଳିବ ତ ଉତ୍ସାହ ?
ଟ୍ରମ୍ପଙ୍କ ଭିସା ପଲିସି, ଭାରତ-ପାକିସ୍ତାନ ସଂପର୍କ, ଚୀନ୍ ଉପରେ ନିଷ୍ପତ୍ତି, ପ୍ରବାସୀ ଭାରତୀୟ ଏବଂ ଇମିଗ୍ରେସନ ପଲିସି ଉପରେ ରହିଛି ନୂଆଦିଲ୍ଲୀର ନଜର। ଚୀନ୍କୁ ଚ୍ୟାଲେଞ୍ଜ ଦେଇ ଭାରତର ବଡ ବଜାରକୁ ଫୋକସ କରିପାରେ ଆମେରିକା। ଭାରତ, ଆମେରିକୀୟ ସାମଗ୍ରୀ ଉପରେ ଲଗାଉଥିବା ଟ୍ୟାକ୍ସ ଭଳି ଆମେରିକା ବି ଭାରତୀୟ ସାମଗ୍ରୀ ଉପରେ ସେତିକି ଟ୍ୟାକ୍ସ ଲଗାଇବ ବୋଲି ପ୍ରଚାର ବେଳେ କହିସାରିଛନ୍ତି ଟ୍ରମ୍ପ। ତେଣୁ ସେୟାର ବଜାରରେ ଦେଖାଦେଇପାରେ ଏହାର ବଡ଼ ପ୍ରଭାବ। ଏହାରି ଭିତରେ ଭାରତରେ ଆହୁରି ଶକ୍ତିଶାଳୀ ହୋଇଛି ଡଲାର। ୧ ଡଲାର ତୁଳନାରେ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ୮୬ ଟଙ୍କା ୫୮ ପଇସାରେ ପହଞ୍ଚିଛି।
ଭିକଟ୍ରି ସ୍ପିଚରେ ମେକ୍ ଆମେରିକା ଗ୍ରେଟ୍ ଏଗେନ୍ର ଆହ୍ୱାନ ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ। ଏବେ ଆମେରିକା ଫାଷ୍ଟ ଉପରେ ଜୋର୍ ଦେଉଛି ଟ୍ରମ୍ପ ପ୍ରଶାସନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)