• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମଙ୍ଗଳବାର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ତୁରନ୍ତ କୋର୍ଟରେ ହାଜର ମଧ୍ୟ କରାଯାଇଥିଲା । ଆଉ ସବୁଠାରୁ ବଡ଼ କଥା ହେଲା, ସେ ଏକ ଘଣ୍ଟା ମଧ୍ୟରେ ଜାମିନ ମଧ୍ୟ ପାଇଥିଲେ ।

ଦେଶ ତଥା ସରକାରୀ ଗୋପନୀୟ ତଥ୍ୟକୁ ବେଆଇନ୍‌ ଭାବେ ରଖିଥିବାରୁ ମଙ୍ଗଳବାର ଟ୍ରମ୍ପଙ୍କୁ ଗିରଫ କରାଯାଇ ମିଆମିର ଫେଡେରାଲ କୋର୍ଟରେ ହାଜର କରାଯାଇଥିଲା । ସେ କୋର୍ଟରେ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ। ଟ୍ରମ୍ପଙ୍କ ଓକିଲ ଟଡ ବ୍ଲେଞ୍ଚ କହିଛନ୍ତି ଯେ ଆମେ ଦୋଷୀ ନୁହେଁ ବୋଲି ପିଟିସନ୍‌ ଦାଖଲ କରିଛୁ । ମାତ୍ର ଏକ ଘଣ୍ଟାର ଶୁଣାଣି ପରେ ଟ୍ରମ୍ପଙ୍କୁ ଜାମିନ ପ୍ରଦାନ କରିଥିଲେ କୋର୍ଟ ।

ତେବେ ଡୋନାଲ୍ଡ ଟ୍ରମ୍ପଙ୍କୁ ଅନେକ କଡ଼ା ସର୍ତ୍ତ ରଖି କୋର୍ଟ ଛାଡ଼ିଛନ୍ତି । ସର୍ତ୍ତ ଏୟା ଯେ, ଟ୍ରମ୍ପ ତାଙ୍କ ସହଯୋଗୀ ବା ୱାଲ୍ଟ ନୋଟାଙ୍କ ସହ କୌଣସି ଚର୍ଚ୍ଚା କରିପାରିବେ ନାହିଁ । କାରଣ ସେ ମଧ୍ୟ ଏହି ସମାନ ମାମଲାରେ ଅଭିଯୁକ୍ତ ।

ଟ୍ରମ୍ପ ଏବେ ଜାମିନ୍‌ରେ ଥିଲେ ମଧ୍ୟ ତାଙ୍କର ଗସ୍ତ ଉପରେ କୌଣସି ପ୍ରତିବନ୍ଧକ ଲଗାଇ ନାହାନ୍ତି କୋର୍ଟ । ସେ ଚାହିଁଲେ ବିଦେଶ ଯାଇପାରିବେ । ତେବେ କୋର୍ଟରେ ନିଜକୁ ନିର୍ଦ୍ଦୋଶ ବୋଲି କହିବା ସହ ମାମଲାର ଶୁଣାଣି ପରେ ବା ଜାମିନ ପାଇବା ପରେ ଟ୍ରମ୍ପ କ୍ୟୁବାର ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ । ସେଠାରେ ଆମେରିକାର ବର୍ତ୍ତମାନ ସରକାରଙ୍କୁ ଖୁବ୍‌ ସମାଲୋଚନା କରିଥିଲେ । ପରେ ସେହି କ୍ୟୁବାରେ ହିଁ ରହିଥିଲେ ।

କୋର୍ଟକୁ ଜଜ୍‌ ଆସିବାର ମାତ୍ର କିଛି ସମୟ ପୂର୍ବରୂ ନିଜ ସମର୍ଥକଙ୍କ ସହ ଟ୍ରମ୍ପ କୋର୍ଟରେ ପହଞ୍ଚିଥିଲେ । ଜଣେ ପୂର୍ବତନ ରାଷ୍ଟ୍ରପତି କୋର୍ଟରେ ହାଜର ହେବା, ଆମେରିକା ଇତିହାସରେ ପ୍ରଥମ ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇଛି । ଖାଲି ସେତିକି ନୁହେଁ ଟ୍ରମ୍ପଙ୍କ ବିରୋଧରେ ଏହା ଦ୍ୱିତୀୟ ମାମଲା । ବିଭିନ୍ନ ସମୟରେ ଟ୍ରମ୍ପ ସମାଲୋଚନାର ଶିକାର ହେବା ପରେ ବି ଟ୍ରମ୍ପ ପୁଣି ଥରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ।

ଅନ୍ୟପଟେ ଟ୍ରମ୍ପଙ୍କ ବିରୋଧରେ ଦୁଇ ଦୁଇଟି ଅପରାଧିକ ମାମଲା ରହିଥିଲେ ବି ସେ ନିଜକୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିଛନ୍ତି । ଏହାସହ ସେହି ସବୁ ମାମଲା ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି । ତାଙ୍କର ଅଭିଯୋଗ ଯେ, ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ଅଯଥାରେ ବିଭିନ୍ନ ମାମଲାରେ ଫସାଯାଉଛି ।

ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଦାଖଲ କରାଯାଇଥିବା ୪୯ ଫର୍ଦ୍ଦ ବିଶିଷ୍ଟ ରିପୋର୍ଟରେ ବିଭିନ୍ନ ତଥ୍ୟ ରଖାଯାଇଛି । ସେ କିଭଳି ଭାବେ ବିଭିନ୍ନ ଗୋପନୀୟ ତଥ୍ୟକୁ ତାଙ୍କ ବାଥ୍‌ରୁମ୍‌ ସାୱାର, ତାଙ୍କର ସି-ହାଉସ ଏବଂ ତାଙ୍କର ବଙ୍ଗଳାରେ ଲୁଚାଇ ରଖିଥିଲେ ତାର ଫଟୋ ସେହି ରିପୋର୍ଟରେ ଆଟାଚ୍‌ କରାଯାଇଛି । କିନ୍ତୁ ଏହି ସବୁ ଅଭିଯୋଗକୁ ଟ୍ରମ୍ପ ହସ୍ୟସ୍ପଦ ବୋଲି କହିଛନ୍ତି ।