/odishatv-khabar/media/post_attachments/uploadimage/library/16_9/16_9_0/Dog_1706087089.jpg)
Dog
କୁହାଯାଏ, କୁକୁର ହିଁ ହେଉଛି ମଣିଷର ବିଶ୍ୱସ୍ତ ବନ୍ଧୁ । ମଣିଷ ସହ କୁକୁର ସମ୍ପର୍କ କାହିଁ କେଉଁ କାଳରୁ । ଅନାବିଳ ସ୍ନେହ ଦ୍ୱାରା ପଶୁକୁ ମଧ୍ୟ ବାନ୍ଧି ଦିଆଯାଇପାରେ, ଏହା ପ୍ରମାଣ କରିସାରିଛି ମଣିଷ । ମଣିଷ ଓ କୁକୁରକୁ ନେଇ ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ଭିଡ଼ିଓରେ ଦେଖା ଯାଉଛି ଯେ, କୁକୁରର ମାଲିକ ବରଫ ଭର୍ତ୍ତି ହ୍ରଦ ଭିତରେ ଫସି ଯାଇଛନ୍ତି । ନିଜର ଜୀବନକୁ ବାଜିରେ ଲଗାଇ କୁକୁରଟି ମାଲିକକୁ ବଞ୍ଚାଇବାକୁ ଦୌଡ଼ି ଯାଇଥିଲା । ରୁବି ନାମକ ଏହି କୁକୁରର ସାହସିକତା ଦେଖି ଯେ କେହି ମଧ୍ୟ ତାଜୁବ ରହିଯିବ । ପଶୁ ହେଲେ ବି ତା’ର ସାହସ ପ୍ରଶଂସା ପାଇବାକୁ ହକଦାର ।
ଆମେରିକାର ଇଷ୍ଟ ବେ ଟାଉନସିପରେ ଥିବା ଅର୍ବଟସ ହ୍ରଦରେ ଜଣେ ୬୫ ବର୍ଷ ବୟସ୍କ ବ୍ୟକ୍ତି ଫସି ଯାଇଥିଲେ । ଏନେଇ ପୋଲିସକୁ ଖବର ଦିଆଯିବା ପରେ, ଜଣେ ସ୍ଥାନୀୟ ଲୋକ ଉଦ୍ଧାର କରିବାକୁ ଆସିଥିଲେ । ଫସିଥିବା ବ୍ୟକ୍ତିଙ୍କର କୁକୁରକୁ ସେ ଏକ ଡିସ୍କ ଦେଇଥିଲେ ଓ କୁକୁରକୁ ସେହି ଡିସ୍କ ନେଇ ନିଜ ମାଲିକ ପାଖକୁ ଯିବାକୁ କହିଥିଲେ ।
କୁକୁରଟି ନିଜ ମାଲିକକୁ ବଞ୍ଚାଇବାକୁ ଡିସ୍କ ନେଇ ଦୌଡ଼ି ଯାଇଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ସେ ନିଜ ମାଲିକଙ୍କ ନିକଟରେ ପହଞ୍ଚି ପାରିନଥିଲା । ଏହି ସମୟରେ ଉଦ୍ଧାରକାରୀ ଦଳ ପହଞ୍ଚି ଯାଇଥିଲେ । ଉଦ୍ଧାରକାରୀ ଦଳକୁ ଦେଖିକି ରୁବି ଉକ୍ତ ଡିସ୍କଟି ତାଙ୍କୁ ଦେଇଥିଲା । ପରେ ଅଗ୍ନିଶମ କର୍ମଚାରୀଙ୍କ ସହ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ସୁରକ୍ଷିତ ସ୍ଥାନକୁ ଟାଣି ଆଣିଥିଲେ ।
ଏନେଇ ସୋସିଆଲ ମିଡ଼ିଆ ସାଇଟ ଇନଷ୍ଟାଗ୍ରାମରେ ଭିଡ଼ିଓ ପୋଷ୍ଟ ହୋଇଛି । ଏହି ଭିଡ଼ିଓରେ ଦର୍ଶାଯାଇଛି ଯେ ରୁବି କିପରି ଉଦ୍ଧାରକାରୀ ଦଳକୁ ସାହାଯ୍ୟ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭିଡିଓରେ ପ୍ରାୟ ୮୦ ହଜାର ଲାଇକ ଆସି ସାରିଛି । କୁକୁରର ଏପରି କାର୍ଯ୍ୟ ଦେଖି କେତେ ଜଣ ପ୍ରଶଂସା କରିଛନ୍ତି । ଜଣେ କମେଣ୍ଟ କରିଛନ୍ତି, ରୁବିକୁ ଜଣା ଅଛି କଣ କରିବା ଆବଶ୍ୟକ କଣ ନାହିଁ । ରୁବି ଗୋଟେ ହିରୋ ବୋଲି ଅନ୍ୟ ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି । ଆଉ ଜଣେ କହିଛନ୍ତି, ମଣିଷ କଦାପି କୁକୁରର ସମକକ୍ଷ ହୋଇପାରିବ ନାହିଁ । ସେମାନେ ପଶୁ ହୋଇ ମଧ୍ୟ ଆମଠାରୁ ଢେର ଭଲ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)