• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଷ୍ଟ୍ରପତି ପରେ ଶ୍ରୀଲଙ୍କାକୁ ମିଳିଲା ନୂଆ ପ୍ରଧାନମନ୍ତ୍ରୀ । ଦିନେଶ ଗୁଣଓ୍ୱାର୍ଦ୍ଧନେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ୭୩ ବର୍ଷିୟ ଅଭିଜ୍ଞ ରାଜନେତା ଦିନେଶ । ଗୋଟାବାୟା ରାଜପାକ୍ସେ ସରକାରରେ ସେ ଥିଲେ ବୈଦେଶିକ ବ୍ୟାପାର ଓ ଶିକ୍ଷା ମନ୍ତ୍ରୀ ।

ଗତ ଏପ୍ରିଲରେ ସେ ଗୋଟାବାୟାଙ୍କ ଦ୍ୱାରା ଗୃହମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେଙ୍କର ସେ ଜଣେ ବିଶ୍ୱସ୍ତ ନେତା ଭାବେ ପରିଚିତ । ଦେଶରେ ସଙ୍କଟ ବଳବତ୍ତର ରହିଥିବା ବେଳେ ନୂଆ ପ୍ରଧାନମନ୍ତ୍ରୀ କିପରି ଦାୟିତ୍ୱ ତୁଲାଇବେ ତାହାକୁ ନେଇ ନାନା ଚର୍ଚ୍ଚା । ଲଙ୍କାବାସୀଙ୍କ ମନରେ ଏବେ ବି ନୂଆ ପ୍ରଧାନମନ୍ତ୍ରୀଙ୍କୁ ନେଇ ଆଶଙ୍କା ରହିଛି ।

ଆନ୍ଦୋଳନକାରୀଙ୍କ ଆକ୍ରୋଶ ବଢ଼ୁଥିବାରୁ ଆଜି ସକାଳୁ ସୁରକ୍ଷାକର୍ମୀମାନେ ସେମାନଙ୍କ କ୍ୟାମ୍ପକୁ ଭାଙ୍ଗି ଦେଇଛନ୍ତି। ସେହିପରି ଲୋକଙ୍କ ଉପରେ ଲାଠିଚାର୍ଜ ମଧ୍ୟ କରିଛନ୍ତି। ଏହାକୁ ନେଇ ପୁଣିଥରେ ଶ୍ରୀଲଙ୍କାରେ ବିକ୍ଷୋଭକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି।

ସେପଟେ ନବର୍ନିବାଚିତ ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେଙ୍କ ବିରୋଧରେ ଜୋରଦାର ବିକ୍ଷାଭ ଜାରି ରହିଛି । ଗତକାଲି ରାତି ଠାରୁ ଶତାଧିକ ଲୋକ କଲମ୍ବୋରେ ଥିବା ସଚିବାଳୟ ବାହାରେ ବିକ୍ଷୋଭ କରୁଛନ୍ତି। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଓ ଆନ୍ଦୋଳନକାରୀଙ୍କ ମୁକାବିଲା ଲାଗି ସଶସ୍ତ୍ର ବାହିନୀ ମୁତୟନ କରାଯାଇଛି । ଏବେ ସୁଦ୍ଧା ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାକାଣ୍ଡରେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବିକ୍ରମସିଂଘେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଘନିଷ୍ଠ ସହଯୋଗୀ । ତେଣୁ ସେ ଦେଶର ନୂଆ ରାଷ୍ଟ୍ରପତି ଭାବେ କାମ କରିପାରିବେ ନାହିଁ ବୋଲି ବିକ୍ଷୋଭକାରୀ କହିଛନ୍ତି ।