• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରଳୟ ମୁହାଁ ହେବାରେ ଲାଗିଛି ସାରା ବିଶ୍ୱ । ଭିନ୍ନ ଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳୁଛି ପ୍ରକୃତିର ତାଣ୍ଡବ । ଗତ ରବିବାର ଲିବ୍ୟାରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ୨୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା ସାରା ବିଶ୍ୱରେ ଭାଳେଣି ପକାଇଛି । ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ରୋକିବାରେ ବିଫଳ ହେଲେ ମାନବ ସମାଜ ପ୍ରତି ଘୋର ବିପଦ ମାଡି ଆସୁଥିବା ଲିବ୍ୟା ବିପର୍ଯ୍ୟୟରୁ ଆଶଙ୍କା ଦୃଢୀଭୂତ ହେଉଛି ।

ଭସ୍ମସ୍ତୁପରେ ପରିଣତ ହୋଇଛି ପୂରା ସହର । ଉଜୁଡି ଯାଇଛି କୋଠାବାଡ଼ି । ଭୁଶୁଡି ପଡିଛି ଭିତ୍ତିଭୂମି । ଯୁଆଡେ ଚାହିଁଲେ ଖାଲି ଶବ ଆଉ ଶବ । ଭଙ୍ଗା ଅଟ୍ଟାଳିକା ତଳେ ଶବ । ସମୁଦ୍ରରେ ଭାସୁଛି ଶବ । ଦୃଶ୍ୟ ଏତେ ଭୟଙ୍କର ଯେ, ବର୍ଣ୍ଣନା କରିବା ଅସମ୍ଭବ । ମୁଣ୍ଡରେ ଛାତ ନାହିଁ, ଚାରିଆରେ ଆଣ୍ଠୁଏ ଉଚ୍ଚର କାଦୁଅ । ଆଉ ତାହାରି ଭିତରେ ବଂଚିବାର ରାହା ଖୋଜୁଛି ମଣିଷ । ଖାଇବାକୁ ଦାନା ନାହିଁ, ପିଇବାକୁ ପାଣି ନାହିଁ ଜୀବନ ବଞ୍ଚାଇବାକୁ ଔଷଧ ନାହିଁ । ଅକଥନୀୟ ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯାଇଛି ହଜାର ହଜାର ଲୋକଙ୍କ ଜୀବନ ।

ବାଦଲଫଟା ବର୍ଷା ଓ ବର୍ଷର ଅଧିକାଂଶ ସମୟରେ ଶୁଖିଲା ପଡୁଥିବା ଡର୍ନା ୱାଡି ନଦୀରେ ନିର୍ମିତ ଡ୍ୟାମ୍ ଭାଙ୍ଗି ଯିବା ଯୋଗୁଁ ସଂପୂର୍ଣ୍ଣ ଧୋଇଯାଇଛି ଲିବ୍ୟାର ବନ୍ଦର ସହର ଡର୍ନ୍ନା । ୧୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ହଜାରରୁ ଅଧିକ ନିଖୋଜ ଅଛନ୍ତି । ତେଣୁ ମୃତ୍ୟୁସଂଖ୍ୟା ୨୦ ହଜାର ଟପିଯିବା ଆଶଙ୍କା କରାଯାଉଛି ।

କ’ଣ ପାଇ ଘଟିଲା ଏଭଳି ଭୟଙ୍କର ବିପର୍ଯ୍ୟୟ ? ଏହାର ପ୍ରକୃତିର କୋପ, ନା ମଣିଷକୃତ ତ୍ରୁଟିରୁ ଏଭଳି ସ୍ଥିତିର ସାମନା କରୁଛି ଲିବ୍ୟା । ଆସନ୍ତୁ ନଜର ପକାଇବା କ’ଣ ହୋଇଥାଇପାରେ ବିପର୍ଯ୍ୟୟର ସମ୍ଭାବ୍ୟ କାରଣ । କୁହାଯାଉଛି ଲିବ୍ୟାରେ ହୋଇଥିବା ବାଦଲଫଟା ବର୍ଷା ଓ ଅକସ୍ମିକ ବନ୍ୟା, ଜଳବାୟୁ ପରିବର୍ତ୍ତନର ଦୁଃସ୍ପରିଣାମ । ଲିବ୍ୟାରେ ଏବେ ବର୍ଷା ଋତୁ ଆସିନାହିଁ । ତେବେ ତାପୂର୍ବରୁ ହଠାତ ଏଭଳି ବର୍ଷା ପାଣିପାଗ ବିଜ୍ଞାନୀଙ୍କୁ ଚକିତ କରିଛି ।

ଲିବ୍ୟା ବିପର୍ଯ୍ୟୟ ମନୁଷ୍ୟଗତ ତ୍ରୁଟିରୁ ହୋଇଥାଇପାରେ । ବିପର୍ଯ୍ୟୟ ଆସିବା ନେଇ ପାଣିପାଗ ବିଶେଷଜ୍ଞ ଆଗୁଆ ସୂଚନା ଦେଇଥିଲେ । ସେହିପରି ଡର୍ନା ୱାଡି ଡ୍ୟାମରେ ସୃଷ୍ଟି ହୋଇଥିବା ଫାଟ ସଂପର୍କରେ ବି ବିଶେଷଜ୍ଞ ଚେତାଇ ଦେଇଥିଲେ । ମାତ୍ର ଡର୍ନା ସହର ପ୍ରଶାସନ ଏହାକୁ ଅଣଦେଖା କରିଥିଲେ ।
ଭିତ୍ତିଭୂମିର ଅଭାବ ବିପର୍ଯ୍ୟୟର ଅନ୍ୟ କାରଣ ହୋଇଥାଇପାରେ । ବିଶେଷଜ୍ଞଙ୍କ ମତରେ ପ୍ରକୃତି ଏବେ ନିୟମିତ ଉଗ୍ରରୂପ ଧାରଣ କରୁଛି । ଏଭଳି ସ୍ଥିତିରେ ଜୀବନ ବଞ୍ଚାଇବାରୁ ହେଲେ ଅତ୍ୟାଧୁନିକ ପାଣିପାଗ ନିରୀକ୍ଷଣ ବ୍ୟବସ୍ଥା ସାଙ୍ଗକୁ ଆଲର୍ଟ ସିଷ୍ଟମ ନିହାତି ଜରୁରୀ । ମାତ୍ର କ୍ରମାଗତ ସଂଘର୍ଷ ଓ ଅଶାନ୍ତି, ଲିବ୍ୟାକୁ ବିଶୃଙ୍ଖଳା ମଧ୍ୟକୁ ଠେଲି ଦେଇଥିବା ବେଳେ ସେଠାରେ ଏସବୁ ବ୍ୟବସ୍ଥା କରାଯାଇପାରି ନାହିଁ ।