• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦୁଃଖ ଦେଇଛି ଭାରତ ବିଭାଜନ । ସେ ସମୟରେ ଅନେକଙ୍କୁ ନିଜର ଭିଟାମାଟି ଛାଡ଼ି ଯିବାକୁ ପଡ଼ିଛି । କେହି କେହି ଘରକୁ ଫେରି ପାରିନଥିବା ବେଳେ କେହି କେହି ଘରଲୋକଙ୍କୁ ଛାଡ଼ି ଚାଲିଯାଇଥିଲେ । ସେ ସମୟର ଅନେକ ଯନ୍ତ୍ରଣାର କାହାଣୀ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସାକ୍ଷୀ ହୋଇରହିଛି । ଆଜି ବି ଭାବିଲେ ଦେହ ଶିତେଇ ଉଠେ ।

ଭାରତ ବିଭାଜନ କେବେ ମଧ୍ୟ ଶାନ୍ତିପୂର୍ଣ୍ଣ ନଥିଲା । ଲକ୍ଷ ଲକ୍ଷ ଲୋକଙ୍କୁ ହତ୍ୟା କରାଯାଇଥିଲା । ଅନେକ ନିଜ ବନ୍ଧୁ ପରିବାରଠାରୁ ସବୁଦିନ ପାଇଁ ଅଲଗା ହୋଇଯାଇଥିଲେ । ସାମ୍ପ୍ରଦାୟିକତାର ବହ୍ନି ନାଗରିକଙ୍କୁ ଜଳାଇ ଛାରଖାର କରିଦେଇଥିଲା । ଦେଶରେ ଘୃଣା ସୀମାପାର୍ କରିଥିଲା । ଅଖଣ୍ତ ଭାରତ ଖଣ୍ତିତ ହୋଇଥିଲା, ଦେଶ ଭିତରେ ଲକ୍ଷ୍ମଣରେଖା ଟାଣି ଦିଆଯାଇଥିଲା ।

ସେ ସମୟରେ ପିଲାଦିନର ଦୁଇ ବନ୍ଧୁ ବିଭାଜନ ଫଳରେ ଅଲଗା ହୋଇ ଯାଇଥିଲେ । ନିକଟରେ ସେମାନଙ୍କର ଅନେକ ବର୍ଷ ପରେ ସାକ୍ଷାତ ହୋଇଛି, ଯାହା ଖୁବ ମର୍ମସ୍ପର୍ଶୀ । ଏନେଇ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମେଗନ୍ କୋଥାରି ନାମକ ଜଣେ ଯୁବତୀ ଏହି ଭିଡିଓକୁ ରେକର୍ଡ କରିଥିଲେ । ତାଙ୍କ ଜେଜେବାପା ସୁରେଶ କୋଥାରିଙ୍କୁ ପିଲାଦିନର ବନ୍ଧୁ ଏ.ଜି. ଶାକିର ମିଳିଯାଇଥିଲେ । ଏହାକୁ ହିଁ ଡକ୍ୟୁମେଣ୍ଟ୍ କରିଥିଲେ ଯୁବତୀ ଜଣକ ।

ଗତ ଅକ୍ଟୋବରରେ ଆମେରିକାରେ ଏକ ସଭାରେ ଉଭୟ ବନ୍ଧୁଙ୍କ ଦେଖା ହୋଇଥିଲା । ବନ୍ଧୁ ଦ୍ୱୟ ଗୁଜୁରାଟର ଦିସାରେ ବଢ଼ିଥିଲେ । ପ୍ରାୟ ୧୨ ବର୍ଷ ବୟସରେ ୧୯୪୭ ମସିହାରେ ଭାରତ ବିଭାଜନ ତାଙ୍କୁ ଅଲଗା କରିଥିଲା । ଭିଡିଓରେ ଯୁବକ ଜଣକ କହିଛନ୍ତି, ଉଭୟେ ଭାରତ ବିଭାଜନ ବେଳେ ଅଲଗା ହୋଇଯାଇଥିଲେ । ପରେ ପାକିସ୍ତାନ ଯାଇଥିବା ବନ୍ଧୁ ଜଣକ ଚିଠି ଲେଖି ନିଜ ଠିକଣା ମଧ୍ୟ ଜଣାଇଥିଲେ ।

ସେମାନଙ୍କର ଚିଠି ହିଁ ଏକମାତ୍ର ସାହାରା ଥିଲା । କିନ୍ତୁ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଏହାକୁ ମଧ୍ୟ ବନ୍ଦ କରିଦେଇଥିଲା । ୧୯୪୭ ରୁ ୧୯୮୧ ପର୍ଯ୍ୟନ୍ତ ଏହି ଦୁଇ ଜଣଙ୍କର କୌଣସି ସମ୍ପର୍କ ନଥିଲା । ପରେ ସେମାନେ ଜଣେ ବନ୍ଧୁଙ୍କ ଜରିଆରେ ୧୯୮୨ ମସିହାରେ ନ୍ୟୁୟର୍କରେ ସାକ୍ଷାତ କରିଥିଲେ । କିନ୍ତୁ ବିଧିର ବିଧାନ ଥିଲା ଅଲଗା । ସେମାନେ ପୁଣି ଥରେ ଅଲଗା ହୋଇଯାଇଥିଲେ ।

ବର୍ତ୍ତମାନ ଗତ ଅକ୍ଟୋବରରେ ପ୍ରାୟ ୪୧ ବର୍ଷ ପରେ ପୁଣିଥରେ ଉଭୟ ଭେଟାଭେଟି ହୋଇଛନ୍ତି । ଭୌଗୋଳିକ ଏବଂ ରାଜନୈତିକ ପ୍ରତିବନ୍ଧ ସତ୍ତ୍ୱେ ସେମାନେ ପରସ୍ପର ପ୍ରତି ଥିବା ପ୍ରେମ-ସମ୍ମାନ ପାଇଁ ଆଜି ପୁଣିଥରେ ମିଶି ପାରିଛନ୍ତି । ବନ୍ଧୁତା କୌଣସି ସୀମା ସରହଦ ମାନେନି ବୋଲି ସେମାନେ ପ୍ରମାଣିତ କରିଛନ୍ତି ।

ଉକ୍ତ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବା ପରେ ୟୁଜର୍ସମାନେ ଭାବପ୍ରବଣ ହୋଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ସମସ୍ତେ ଭାଇ-ଭଉଣୀ । ରାଜନୈତିକ ଘୃଣା ପାଇଁ ବିଭାଜନ କରାଅନି । ଅନ୍ୟ ଜଣେ ମନ୍ତବ୍ୟ ଦେଇଛନ୍ତି, ବର୍ତ୍ତମାନ ଯୁଗରେ ଏହା ସବୁଠାରୁ ସୁନ୍ଦର ଅଟେ ।