Advertisment

ମହାରାଣୀ ଏଲିଜାବେଥଙ୍କ ଶେଷକୃତ୍ୟରେ ରୁଷ୍‌କୁ ହୋଇନି ନିମନ୍ତ୍ରଣ

ବକିଂହାମ୍ ପ୍ୟାଲେସ୍ ପକ୍ଷରୁ ପ୍ରାୟ ୫ଶହ ବିଦେଶୀ ଅତିଥିଙ୍କୁ ଶେଷକୃତ୍ୟରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
Queen Elizabeth II's Funeral

Queen Elizabeth II

ରାତି ପାହିଲେ ବ୍ରିଟେନ୍‌ର ଦିବଂଗତ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର ରାଜକୀୟ ପରଂପରା ଅନୁସାରେ ଅତି ଭବ୍ୟ ଆକାରରେ ଆୟୋଜନ ହେବ ଏହି ସମାରୋହ। ୱେଷ୍ଟମିନଷ୍ଟର ହଲ୍, ଯେଉଁଠି ରୟାଲ୍ ଗାର୍ଡ ଜଗିରହିଛନ୍ତି ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମରଶରୀର ଥିବା ସୁସଜ୍ଜିତ କଫିନକୁ। ଯେଉଁଠି ଦିବଂଗତ ମହାରାଣୀଙ୍କର ହେବ ଶେଷକୃତ୍ୟ। ଦିନେ ଏଇ ଚର୍ଚ୍ଚରେ ତାଙ୍କର ବିବାହ ହୋଇଥିଲା, ଏଇଠି ରାଜାଭିଷେକ ହୋଇଥିଲା, ଆଉ ସେଇଠି କାଲି ହେବ ଅନ୍ତିମ ସଂସ୍କାର। ସୋମବାର ଭାରତୀୟ ସମୟ ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳକୁ ତାଙ୍କର ରାଜକୀୟ ଶେଷକୃତ୍ୟ କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ, ତା ପୂର୍ବରୁ ଅନ୍ତିମ ଯାତ୍ରାର ରିହର୍ସାଲ୍ କରିଛି ରୟାଲ୍ ନେଭି।

Advertisment

ଏଲିଜାବେଥଙ୍କ କଫିନକୁ ଷ୍ଟେଟ୍ ଗନ୍ କ୍ୟାରେଜ୍ ବା ରାଜକୀୟ ତୋପଗାଡ଼ି ଉପରେ ଥୋଇ ୱେଷ୍ଟମିନଷ୍ଟର ହଲରୁ ଆବିକୁ ଏହି ଭଳି ଟାଣି ଟାଣି ନେବେ। ରୟାଲ୍ ନେଭିର ୧୪୨ ଜଣ ନୌସୈନିକ ପଛେ ପଛେ ଚାଲିବେ ରାଜା ଚାର୍ଲସ୍ ତୃତୀୟଙ୍କ ସମେତ ରାଜ ପରିବାରର ଅନ୍ୟ ବରିଷ୍ଠ ସଦସ୍ୟ। ସୂଚନା ଅନୁସାରେ, ଏଲିଜାବେଥଙ୍କ ମରଶରୀର ଥିବା ଏହି ସ୍ବତନ୍ତ୍ର ରାଜକୀୟ କଫିନ୍ ୩ ଦଶନ୍ଧି ଆଗରୁ ତିଆରି ହୋଇସାରିଥିଲା। ୱେଷ୍ଟମିନଷ୍ଟର ଆବିରେ ଅନ୍ତ୍ୟେଷ୍ଟି ପରେ ମରଶରୀରକୁ ଓ୍ୱିଣ୍ଡ୍ସର୍ କ୍ୟାସେଲର ସେଣ୍ଟ୍ ଜର୍ଜ ଚାପେଲକୁ ନିଆଯିବ, ଯେଉଁଠି ଚିରନିଦ୍ରାରେ ଶୋଇବେ ଏଲିଜାବେଥ୍।

ତାପୂର୍ବରୁ ସାରା ବ୍ରିଟେନ୍‌ରେ ୨ ମିନିଟ ନିରବ ପ୍ରାର୍ଥନା କରାଯିବ। ଆଉ ଏକ ରୋଚକ କଥା ହେଉଛି, ଏଲିଜାବେଥ୍‌କୁ କବର ଦିଆଯିବା ପରେ, ଗତବର୍ଷଠୁ ଏକ ସୁରକ୍ଷିତ ସ୍ଥାନରେ ଥିବା ତାଙ୍କ ସ୍ବାମୀ ପ୍ରିନ୍ସ ଫିଲିପଙ୍କ ମରଶରୀରକୁ ମଧ୍ୟ ସେଠାକୁ ଅଣାଯାଇ ତାଙ୍କ କଡ଼ରେ କବର ଦିଆଯିବ।

Advertisment

ରାଣୀ ଏଲିଜାବେଥଙ୍କ ରାଜକୀୟ ଅନ୍ତ୍ୟେଷ୍ଟିରେ ସାମିଲ ହେବା ପାଇଁ ଦେଶ ବିଦେଶରୁ ଲଣ୍ଡନକୁ ଛୁଟିଛି ଅତିଥିଙ୍କ ସୁଅ। ୩ ଦିନିଆ ଲଣ୍ଡନ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିୱେଷ୍ଟମିନଷ୍ଟର ହଲକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ, ଆସନ୍ତାକାଲି ଶେଷକୃତ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ। ବକିଂହାମ୍ ପ୍ୟାଲେସ୍‌ରେ ଅନ୍ୟ ରାଷ୍ଟ୍ରମୁଖ୍ୟଙ୍କ ସହ ତାଙ୍କୁ ମଧ୍ୟ ବିଧିବଦ୍ଧ ଭାବେ ସ୍ୱାଗତ କରିବେ କିଙ୍ଗ୍ ଚାର୍ଲସ୍। 

ସୂଚନା ଅନୁସାରେ, ବକିଂହାମ୍ ପ୍ୟାଲେସ୍ ପକ୍ଷରୁ ପ୍ରାୟ ୫ଶହ ବିଦେଶୀ ଅତିଥିଙ୍କୁ ଶେଷକୃତ୍ୟରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଛି। ଅନ୍ତ୍ୟେଷ୍ଟି ବେଳେ କିଙ୍ଗ୍ ଚାର୍ଲସ୍, କୁଇନ୍ କାମିଲା, ଏଲିଜାବେଥଙ୍କ ବାକି ତିନି ପୁଅଝିଅ ଓ ନାତିନାତୁଣୀଙ୍କ ସମେତ ରାଜପରିବାର ସଦସ୍ୟ, ସମ୍ପର୍କୀୟ, କର୍ମଚାରୀ ଓ ଅତିଥିଙ୍କୁ ମିଶାଇ ୨ହଜାରରୁ ଅଧିକ ଲୋକ ଉପସ୍ଥିତ ରହିବେ। ପ୍ରଥମ ଥର ପାଇଁ ୱେଷ୍ଟମିନଷ୍ଟର ଆବିର ପୂରା ଘଟଣାକ୍ରମ ଟିଭିରେ ସିଧା ପ୍ରସାରଣ ହେବ। ସମସ୍ତ ୟୁରୋପୀୟ ରାଜପରିବାର ଏବଂ କମନୱେଲ୍ଥ ରାଷ୍ଟ୍ରମୁଖ୍ୟ ଏଥିରେ ଯୋଗ ଦେବାକୁ ଥିବା ବେଳେ, ଅନ୍ୟ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ଅଛନ୍ତି- ଆମେରିକା, ବେଲଜିୟମ, ସ୍ପେନ୍, ଆୟର୍ଲାଣ୍ଡ୍, ଜର୍ମାନୀ, ଇଟାଲୀ, ଇତ୍ୟାଦିର ରାଷ୍ଟ୍ରମୁଖ୍ୟ ଓ ପ୍ରତିନିଧି।

ଉତ୍ତରକୋରିଆ ଓ ନିକାରାଗୁଆ ରାଜଦୂତଙ୍କୁ ପଠାଇବାକୁ କୁହାଯାଇଛି। ତେବେ ସିରିୟା, ଭେନେଜୁଏଲା, ମିଆଁମାର ଓ ଆଫଗାନିସ୍ତାନର ତାଲିବାନ ସରକାରକୁ ବ୍ରିଟିଶ ରାଜପରିବାର ଡାକିନଥିବା ବେଳେ ୟୁକ୍ରେନ୍ ଆକ୍ରମଣକୁ ନେଇ ସଂପର୍କ ବିଗିଡ଼ିବା ଯୋଗୁଁ ରୁଷ୍ ଓ ବେଲାରୁଷ ମଧ୍ୟ ନିମନ୍ତ୍ରଣ ତାଲିକାରୁ ବାଦ୍ ପଡ଼ିଛନ୍ତି। ଚୀନ୍ ମଧ୍ୟ ଏଥିରେ ଯୋଗ ଦେଇନପାରେ ବୋଲି ଚର୍ଚ୍ଚା ହେଉଛି।

Queen Elizabeth II's Funeral Queen Elizabeth II Droupadi Murmu Britain
Advertisment
Advertisment