Advertisment

Elon Musk: ଆମେରିକା ପାର୍ଟି କେତେ ପ୍ରଭାବଶାଳୀ.... ୟୁଏସରେ ଦୁଇ ପାର୍ଟି ସିଷ୍ଟମକୁ ଶେଷ କରିଦେବେ କି ମସ୍କ ?

ମସ୍କଙ୍କ ମତରେ ଆମେରିକାରେ ଚାଲିଥିବା ଦୁଇଦଳୀୟ ପ୍ରଣାଳୀ ଏକ ପ୍ରକାର ଶାସନ ବ୍ୟବସ୍ଥାର ବିକଳ୍ପ କହିଲେ ଚଳେ, ଯେଉଁଥିରେ ସମାନ ଆର୍ଥିକ ନୀତି ରହିଛି । ଅନ୍ୟପକ୍ଷରେ ନୂଆ ଦଳର ନିର୍ମାଣ କରିଥିଲେ ସୁଦ୍ଧା ଏବେଯାଏଁ ମସ୍କ ଏହାର କାର୍ଯ୍ୟଶୈଳୀ, ବିଚାରଧାରା, ଦୃଷ୍ଟିକୋଣ ସମ୍ପର୍କରେ କୌଣସି ବ୍ୟାଖ୍ୟା କରିନାହାନ୍ତି ।

author-image
Pragyan Paramita Behera
ଅଦ୍ୟତନ ହୋଇଛି
Elon Musk

Elon Musk

ଆମେରିକାର ବୃହତ୍ତର ସ୍ୱାର୍ଥ ନିମନ୍ତେ  ଓ ଆମେରିକୀୟଙ୍କ ସ୍ୱାଧୀନତା ଫେରାଇ ଆଣିବା ଲକ୍ଷ୍ୟରେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ଓ ସ୍ପେସଏକ୍ସର ମୁଖ୍ୟ ଏଲନ ମସ୍କ ଏକ ନୂଆ ରାଜନୈତିକ ଦଳ ଗଠନ କରିଛନ୍ତି । ଆମେରିକା ରାଷ୍ଟ୍ରପତିଙ୍କ ସହ ବିବାଦ ମଧ୍ୟରେ  ଏକ ନୂତନ ରାଜନୈତିକ ଦଳ ଆମେରିକା ପାର୍ଟି ଆରମ୍ଭ କରିଛନ୍ତି ମସ୍କ।  ଡୋନାଲ୍ଡ ଟ୍ରମ୍ପଙ୍କ ଏହି ପୁରୁଣା ବନ୍ଧୁ ଆମେରିକାର ଦୁଇ ପ୍ରମୁଖ ରାଜନୈତିକ ଦଳ ଡେମୋକ୍ରାଟ ଓ ରିପବ୍ଲିକାନଙ୍କୁ ଚ୍ୟାଲେଞ୍ଜ କରିବା ଲକ୍ଷ୍ୟରେ ନୂଆ ରାଜନୈତିକ ଦଳ ଗଠନ କରିଛନ୍ତିି । ଏନେଇ ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଲ କରିଥିଲେ ମସ୍କ ।

Advertisment

 ଆଉ ଏହି ପୋଲରେ ଆମେରିକାକୁ ଆଉ ଏକ ନୂଆ ପାର୍ଟିର ଆବଶ୍ୟକତା ରହିଛି ବୋଲି ଲୋକମାନେ ମତପ୍ରକାଶ କରିଥିଲେ । ନୂଆ ପାର୍ଟି ଘୋଷଣା ପରେ ବିଶ୍ୱର ମହାଶକ୍ତି ଆମେରିକାର ରାଜନୈତିକ ପାଣିପାଗ ଏବେ ଉଷ୍ମ ରହିଛି  । ଅନ୍ୟପକ୍ଷରେ ନୂଆ ଦଳ ମାଧ୍ୟମରେ କିଛି ର୍ନିଦ୍ଦିଷ୍ଟ ଆସନ ଓ ସିନେଟ ଆସନ ଉପରେ ଧ୍ୟାନ ଦେବେ ବୋଲି ଇଙ୍ଗିତ କରିଛନ୍ତି ମସ୍କ । ତେବେ ନୂଆ ଦଳର ରୂପରେଖ, ସମ୍ପୂର୍ଣ୍ଣ ଯୋଜନା ନେତୃତ୍ୱ ସମ୍ପର୍କରେ ସ୍ପଷ୍ଟ କିଛି କହିନାହାନ୍ତି ।

ବିଗ ବ୍ୟୁଟିଫୁଲ ବିଲ କ’ଣ ଓ ଏହାକୁ ନେଇ ବିବାଦ କାହିଁକି ?
ଦୁଇ ପୁରୁଣା ବନ୍ଧୁ ଡୋନାଲ୍ଡ ଟ୍ରମ୍ପ ଓ ଏଲନ ମସ୍କଙ୍କ ମଧ୍ୟରେ ସମ୍ପର୍କ ଖରାପ ହେବା ପଛରେ ରହିଛି ୱାନ ବିଗ ବିୟୁଟିଫୁଲ ବିଲ୍ । ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ପ୍ରସ୍ତାବିତ ଏହି ବିଲ ଆମେରିକୀୟ ରାଜନୀତିରେ ଏକ ବଡ଼ ବିବାଦ ସୃଷ୍ଟି କରିଛି। ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ଖୋଲାଖୋଲି ଭାବରେ ଟ୍ରମ୍ପଙ୍କୁ ସମର୍ଥନ ଜଣାଇଥିଲେ ମସ୍କ । ଟ୍ରମ୍ପ ଏବଂ ଅନ୍ୟ ରିପବ୍ଲିକାନ୍ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ମସ୍କ ପ୍ରାୟ ୩୦୦ ନିୟୁତ ଡଲାର ଖର୍ଚ୍ଚ କରିଥିଲେ ବୋଲି କୁହାଯାଏ । ହେଲେ ଏହି ବିଲ ଯୋଗୁଁ ସବୁ ଓଲଟ ପାଲଟ ହୋଇଯାଇଥିଲା । 
ୱାନ୍ ବିଗ୍ ବିୟୁଟିଫୁଲ୍ ବିଲ୍ ଆକ୍ଟ  ୨୦୨୫ ଏକ ବ୍ୟାପକ ବିଲ୍ ଅଟେ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନେକ ନିର୍ବାଚନ ପ୍ରତିଶ୍ରୁତିକୁ ଏହି ବିଲ ସହ ଯୋଡ଼ାଯାଉଛି । ଏଥିରେ ଟିକସ ହ୍ରାସ, ସୀମା ସୁରକ୍ଷା ଏବଂ ସାମରିକ ବାହିନୀ ଉପରେ ଅଧିକ ଖର୍ଚ୍ଚ ଏବଂ ଦେଶରୁ ବେଆଇନ ପ୍ରବାସୀ (ଯେଉଁମାନେ ଅନୁମତି ବିନା ଆମେରିକାରେ ରହୁଛନ୍ତି)ଙ୍କୁ ବାହାର କରିବା ଆଦି ସାମିଲ ରହିଛି । କିନ୍ତୁ ଏସବୁ ପାଇଁ ପ୍ରଚୁର ଅର୍ଥର ଆବଶ୍ୟକ ରହିଛି । ଏହାକୁ ଦୃଷ୍ଟିରେ ରଖି ସରକାର କିଛି ଜନ କଲ୍ୟାଣକାରୀ ଯୋଜନା ଏବଂ ସବସିଡି ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । 

Advertisment

ଏହି ବିଲ୍ ସହିତ ଏଲନ ମସ୍କଙ୍କ ଦୁଇଟି ପ୍ରମୁଖ ସମସ୍ୟା ରହିଛି, ପ୍ରଥମ ହେଲା ଋଣ ସୀମା ବୃଦ୍ଧି ଏବଂ ଦ୍ୱିତୀୟଟି ହେଲା ସବୁଜ ଶକ୍ତି ଉପରେ ସବସିଡି ହ୍ରାସ । ମସ୍କଙ୍କ ମତରେ ଋଣ ସୀମା ବୃଦ୍ଧି କରିବା ଦ୍ୱାରା ଆମେରିକାର ଆର୍ଥିକ ଅବସ୍ଥା ଆହୁରି ଦୁର୍ବଳ ହୋଇଯିବ ଏବଂ ସବୁଜ ଶକ୍ତି ଉପରେ ସବସିଡି ହ୍ରାସ କରିବା ଦ୍ୱାରା ତାଙ୍କ କମ୍ପାନୀ ଟେସଲାକୁ କ୍ଷତି ପହଞ୍ଚିବ । 

ଆମେରିକା ପାର୍ଟି କେତେ ପ୍ରଭାବୀ ହେବ ?

ବର୍ତ୍ତମାନ ସୁଦ୍ଧା ମସ୍କଙ୍କ ଆମେରିକା ପାର୍ଟି ଏକ ନାମରେ ସୀମିତ ମାତ୍ର । ମସ୍କଙ୍କ ମତରେ ଆମେରିକାରେ ଚାଲିଥିବା ଦୁଇଦଳୀୟ ପ୍ରଣାଳୀ ଏକ ପ୍ରକାର ଶାସନ ବ୍ୟବସ୍ଥାର ବିକଳ୍ପ କହିଲେ ଚଳେ, ଯେଉଁଥିରେ ସମାନ ଆର୍ଥିକ ନୀତି ରହିଛି । ଅନ୍ୟପକ୍ଷରେ ନୂଆ ଦଳର ନିର୍ମାଣ କରିଥିଲେ ସୁଦ୍ଧା ଏବେଯାଏଁ ମସ୍କ ଏହାର କାର୍ଯ୍ୟଶୈଳୀ, ବିଚାରଧାରା, ଦୃଷ୍ଟିକୋଣ ସମ୍ପର୍କରେ କୌଣସି ବ୍ୟାଖ୍ୟା କରିନାହାନ୍ତି । 

ଖୁବ ଶୀଘ୍ର ଏଲନ ମସ୍କଙ୍କ ପାର୍ଟି ନିର୍ବାଚନ ଲଢ଼ିବ ବୋଲି କହିଛନ୍ତିି ମସ୍କ । ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ମସ୍କଙ୍କ ଆମେରିକା ପାର୍ଟି ନିର୍ବାଚନୀ ମଇଦାନକୁ ଓହ୍ଲାଇବ ବୋଲି ସ୍ପଷ୍ଟ କରିଛନ୍ତି । ରାଜନୈତିକ ବିଶେଷଜ୍ଞମାନେ ମସ୍କଙ୍କ ଏହି ପଦକ୍ଷେପକୁ ଆମେରିକାର ଦୁଇ ଦଳୀୟ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିବାର ଏକ ସାହସୀ ପ୍ରୟାସ ବୋଲି କହୁଛନ୍ତି ।

କ’ଣ ରହିଛି ରଣନୀତି ?

ଆମେରିକାର ଦୁଇଟି ପ୍ରମୁଖ ଦଳ (ଡେମୋକ୍ରାଟ୍ ଏବଂ ରିପବ୍ଲିକାନ) ର ଆଧିପତ୍ୟ ହ୍ରାସ କରିବାକୁ ଚାହାନ୍ତି ଏଲନ ମସ୍କ । ଏଥିପାଇଁ ସେ ଏକ ଐତିହାସିକ ଯୁଦ୍ଧ Leuctrae ର ଉଦାହରଣ ଦେଇଛନ୍ତି, ଯେଉଁଥିରେ ଗ୍ରୀକ୍ ସେନାପତି Epaminondas ପ୍ରବଳ ପ୍ରତାପୀ ସ୍ପାର୍ଟନ ସେନାକୁ ପରାସ୍ତ କରିଥିଲେ। ସ୍ପାର୍ଟନ ସେନା ସର୍ବଦା ଡାହାଣ ପାର୍ଶ୍ୱରେ ନିଜର ସବୁଠାରୁ ଶକ୍ତିଶାଳୀ ସୈନ୍ୟକୁ ରଖିଥିଲା। କିନ୍ତୁ ଏପାମିନୋଣ୍ଡାସ ସ୍ପାଟନକୁ ହରାଇବା ପାଇଁ ବିପରୀତ ରଣନୀତି ଆପଣାଇଥିଲେ । ସେ ତାଙ୍କର ଶକ୍ତିଶାଳୀ ସେନାକୁ ବାମ ପାର୍ଶ୍ୱରେ  ରଖିବା ସହ ସ୍ଥିତିକୁ ଆହୁରି ମଜଭୁତ କରିଥିଲେ  । ଏହି କାରଣରୁ ଦୁଇ ସେନା ମୁହାଁମୁହିଁ ହେବା ସମୟରେ ସ୍ପାର୍ଟନ ସେନାର ସବୁଠାରୁ ଶକ୍ତିଶାଳୀ ଅଂଶ ସହିତ ଲଢ଼ିଥିଲା ଏପାମିନୋଣ୍ଡାସଙ୍କ ଶକ୍ତିଶାଳୀ ସେନା ଏବଂ ସେହିଠାରେ ତାଙ୍କୁ ପରାସ୍ତ କରିଥିଲେ । 

ନିର୍ବାଚନୀ ବୈତରଣୀ ପାର ହେବାପାଇଁ ଏଲନ ମସ୍କ ମଧ୍ୟ ସମାନ ଢାଞ୍ଚାର ଯୋଜନା ପ୍ରସ୍ତୁତ କରିଛନ୍ତି । ତାଙ୍କ ରଣନୀତି ଅନୁସାରେ ସମଗ୍ର ଆମେରିକାରେ ନିର୍ବାଚନ ଲଢ଼ିବ ନାହିଁ ଆମେରିକା ପାର୍ଟି । ବରଂ ୨-୩ ସିନେଟ ଆସନ ଏବଂ ୮-୧୦ ଟି ନିର୍ଦ୍ଦିଷ୍ଟ ଆସନ ଅକ୍ତିଆର କରିବାକୁ ଯୋଜନା ରଖିଛନ୍ତି । ଅର୍ଥାତ୍  କିଛି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଉପରେ ହିଁ  ସେ ଧ୍ୟାନକେନ୍ଦ୍ରିତ କରିବେ । ମସ୍କଙ୍କ ଦଳ ଏହି ନିର୍ଦ୍ଦିଷ୍ଟ ଆସନ ଗୁଡ଼ିକ ଜିତିଗଲେ, ବିଲକୁ ସ୍ଥଗିତ କରିବାରେ କିମ୍ବା ପାସ୍ କରିବାରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବ।  

ମସ୍କଙ୍କ ପାଇଁ କେତେ ସହଜ ?
ମସ୍କଙ୍କ ଦଳର ପ୍ରାର୍ଥୀମାନେ ଏଭଳି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ ଯେଉଁଥିରେ ଜିତିବାର ଶତ ପ୍ରତିଶତ ସମ୍ଭାବନା ରହିଛି । କେବଳ ବିଲ ପାସ ଓ ବିରୋଧ କରିବା ପାଇଁ ଯଥେଷ୍ଟ ଆସନ ଜିତିବା ହେଉଛି ନବଗଠିତ ଆମେରିକା ପାର୍ଟିର ଲକ୍ଷ୍ୟ । ମସ୍କ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିଲେ ସୁଦ୍ଧା କହିବା ଯେତେ ସହଜ କରିବା ସେତେ ସହଜ ନୁହେଁ । କାରଣ ରାଜନୀତି ଗୋଳିପାଣି, କେଉଁ ମୁହୂର୍ତ୍ତରେ କ’ଣ ହେବ କହିହେବ ନାହିଁ । ଏଠି ଘଡ଼ିକେ ଘୋଡ଼ା ଛୁଟେ । ବାଜି ମାରୁ ମାରୁ ଗୋଟିଏ-ଗୋଟିଏ ଭୋଟ ବ୍ୟବଧାନ ପାଇଁ ପରାଜୟର ସ୍ୱାଦ ଚାଖିବାକୁ ପଡ଼େ । ଆମେରିକାର ରାଜନୈତିକ ଗଠନ  ଦୁଇ-ଦଳୀୟ ବ୍ୟବସ୍ଥାକୁ ସମର୍ଥନ କରେ ଏବଂ ନୂତନ ଲୋକଙ୍କ ପାଇଁ ପୁରୁଣା ପରମ୍ପରାକୁ ଭାଙ୍ଗିବା କଷ୍ଟକର । 

ଗ୍ରୀନ୍ ପାର୍ଟି, ଲିବର୍ଟାରିଆନ୍ ପାର୍ଟି ଇତ୍ୟାଦି ଅନେକ ଦଳ ପୂର୍ବରୁ ଅନେକ ଥର ଏହି ବ୍ୟବସ୍ଥାକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଛନ୍ତି । ଜାତୀୟ ସ୍ତରୀୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଯେକୌଣସି ନୂତନ ଦଳକୁ ଫେଡେରାଲ୍ ନିର୍ବାଚନ କମିଶନରେ ପଞ୍ଜୀକରଣ କରିବାକୁ ପଡ଼େ ଏବଂ ଏହା ପରେ ହିଁ ନିର୍ବାଚନ ପ୍ରଚାର କିମ୍ବା ଗତିବିଧିରେ ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ ଖର୍ଚ୍ଚ କରିବାର ଅନୁମତି ମିଳେ । ଏପଟେ ଏବେ ସୁଦ୍ଧା ମସ୍କଙ୍କ ଦଳ ଏହି ପଞ୍ଜୀକରଣ କରିନାହିଁ।

ନିର୍ବାଚନ ଲଢ଼ିବେ କି ମସ୍କ ?
ଏହା ବ୍ୟତୀତ ପ୍ରତ୍ୟେକ ରାଜ୍ୟର ଭିନ୍ନ ଭିନ୍ନ ନିୟମ ରହିଛି । ଏଥିପାଇଁ ପ୍ରାର୍ଥୀଙ୍କୁ ତୃଣମୂଳ ସ୍ତରରେ ଯୋଡ଼ି ହୋଇରହିବାକୁ ପଡ଼େ, ଏଥିରେ ଧୈର୍ଯ୍ୟର ଆବଶ୍ୟକତା ଥାଏ । ମସ୍କ ଅଚଳାଚଳ ସମ୍ପତ୍ତିର ଅଧିକାରୀ ହୋଇଥିଲେ ସୁଦ୍ଧା ନିର୍ବାଚନରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । କାରଣ ଏକ ରାଜନୈତିକ ଦଳ ଗଠନ କରିବା ଓ ସଂଗଠନକୁ ସୁଦୃଢ଼ କରିବା ଏତେ ସହଜ କଥା ନୁହେଁ । 

ଦକ୍ଷିଣ ଆଫ୍ରିକାରେ ଜନ୍ମ ହୋଇଥିବାରୁ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ ଟେସଲା ସିଇଓ ଏଲନ ମସ୍କ । କେବଳ ଏକ ଦଳ ଗଢ଼ିଦେଲେ ହେବନାହିଁ । ପ୍ରଥମେ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପାଇଁ ଜଣେ ପ୍ରଭାବଶାଳୀ ଓ କ୍ଷମତାଶାଳୀ ବ୍ୟକ୍ତିର ଚୟନ କରିବାକୁ ପଡ଼ିବ । ତା’ପରେ ପାଣ୍ଠି ଦେଇ ପ୍ରଚାର ପ୍ରସାର କରାଯିବ । 

ମସ୍କଙ୍କ ଏହି ନୂଆ ରାଜନୈତିକ ଦଳ ଆମେରିକାର ରାଜନୀତିରେ କେତେ ପ୍ରଭାବ ପକାଇବ, ତାହା ସମୟ ଆସିଲେ ଜଣାପଡ଼ିବ । ନବଗଠିତ ଆମେରିକା ପାର୍ଟି ନିଶ୍ଚିତ ଆମେରିକୀୟ ରାଜନୀତିରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିବ ବୋଲି ଆଶା କରାଯାଉଛି  । 

ଅଧିକ ପଢ଼ନ୍ତୁ: ଏଲନ ମସ୍କଙ୍କ ପ୍ରକଳ୍ପରୁ ଓହରିଲା ବାୟୁସେନା, ଯେ କୌଣସି ଦେଶକୁ ପଠାଇଥାଆନ୍ତା ୯୦ ମିନିଟରେ ୧୦୦ ଟନର କାର୍ଗୋ 

Advertisment
Advertisment