• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଥଳ ସାଗରରେ ହୁତୁ ହୁତୁ ହୋଇ ଜଳିଗଲା ବିଶାଳ ମାଲବାହୀ ଜାହାଜ । ପାଣି ଭିତରେ ଥାଇ ବି ପୋଡ଼ି ପାଉଁଶ ହୋଇଗଲା ହଜାର ହଜାର ସଂଖ୍ୟାରେ ଅଧିକ ଦାମୀ କାର । ଜର୍ମାନୀରୁ ଆମେରିକା ଅଭିମୁଖେ ଯାଉଥିବା ଏକ ଜାପାନୀ କାର୍ଗୋ ସିପ୍‌ରେ ଗତ ବୁଧବାର ସକାଳେ ହଠାତ ନିଆଁ ଲାଗିଯାଇଥିଲା ଆଟଲାଣ୍ଟିକ୍ ମହାସାଗରରେ । ଏହି ଦୁର୍ଘଟଣାରେ ହଜାର କୋଟି ଡଲାରର କାର ଜଳି ଯାଇଥିଲେ ବି ଅକ୍ଷତ ଉଦ୍ଧାର ହୋଇଛନ୍ତି ଏଥିରେ ଥିବା ୨୨ ଜଣ କ୍ରିଉ ମେମ୍ବର । ଏ ଘଟଣା ଦୁଇ ଦିନ ତଳର ହୋଇଥିଲେ ବି ପର୍ତ୍ତୁଗାଲ ସେନା ପକ୍ଷରୁ କ୍ରିଉ ମେମ୍ବରଙ୍କୁ ଉଦ୍ଧାର ବେଳର ଭିଡିଓ ରିଲିଜ ପରେ ପୁରା ଘଟଣା ସାମ୍ନାକୁ ଆସିଛି ।

ଆଟଲାଣ୍ଟିକ ମହାସାଗରରେ ଗତ ବୁଧବାର ସକାଳେ ଏଜୋରେସ ଆଇଲ୍ୟାଣ୍ଡ ନିକଟରେ ଏକ ମାଲବାହୀ ଜାହାଜରେ ହଠାତ ନିଆଁ ଲାଗିଯାଇଥିଲା । ଫେଲିସିଟି ଏସ୍ ନାମକ ଏହି ଜାହାଜଟି ପର୍ତ୍ତୁଗିଜ ସହର ଆଜୋର୍ସଠାରୁ ୩୨୧ କିଲୋମିଟର ଦୂରରେ ଥିବା ବେଳେ ଏ ଦୁର୍ଘଟଣା ଘଟିଥିଲା । ଜାହାଜରେ ନିଆଁ ଲାଗିବା ମାତ୍ରେ ବାଜି ଉଠିଥିଲା ଏହାର ସାଇରନ୍ । ପରେ ତୁରନ୍ତ ଘଟଣାସ୍ଥଳରେ ଆସି ପହଞ୍ଚିିଥିଲା, ପର୍ତ୍ତୁଗିଜ୍ ନୌସେନା ଓ ବାୟୁସେନାର ଉଦ୍ଧାରକାରୀ ଦଳ ।

ତେବେ ଜାହଜରେ ନିଆଁ ଲାଗିବା ପରେ ପ୍ରବଳ ଧୂଆଁ ବାହାରୁଥିବାରୁ ବଡ଼ ଚ୍ୟାଲେଞ୍ଜିଂ ଥିଲା ଉଦ୍ଧାର କାର୍ଯ୍ୟ । ହେଲେ ସେ ଚ୍ୟାଲେଞ୍ଜକୁ ଅତି ସହଜରେ ଗ୍ରହଣ କରିଥିଲା ପର୍ତ୍ତୁଗିଜ୍ ସେନା । ପର୍ତ୍ତୁଗାଲ ବାୟୁସେନା ପକ୍ଷରୁ ସେହି ଉଦ୍ଧାର ବେଳର ଭିଡିଓ ଜାରି କରାଯାଇଛି । ଗୁରୁବାର ସକାଳ ସୁଦ୍ଧା ଜାହାଜରେ ଥିବା ସମସ୍ତ ୨୨ ଜଣ କ୍ରିଉ ମେମ୍ବରଙ୍କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଛି ।

ଏପଟେ ଜାହଜରେ ଥିବା ସମସ୍ତ କର୍ମଚାରୀଙ୍କୁ ସିନା ଉଦ୍ଧାର କରାଯାଇଥିଲା, ହେଲେ ଏଥିରେ ବୋଝେଇ ହୋଇ ଯାଉଥିବା ହଜାର ହଜାର କୋଟି ଟଙ୍କାର ଦାମୀ କାରଗୁଡ଼ିକୁ କିନ୍ତୁ ନିଆଁ କବଳରୁ ରକ୍ଷା କରାଯାଇପାରିନଥିଲା । ଜର୍ମାନୀରୁ ଆମେରିକା ଅଭିମୁଖେ ଯାଉଥିବା ଏହି ଜାପାନୀ ଜାହାଜରେ ୧୧ ଶହରୁ ଅଧିକ ପଓ୍ୱସ୍ କାର ଥିବା ସୂଚନା ମିଳିଛି । ଏହା ବ୍ୟତିତ ଫକ୍ସଓ୍ୱାଗନ, ଲମ୍ବ୍ରୋଗିନି, ବେଣ୍ଟଲେ ଓ ଅଡି ଭଳି ଦାମୀ କମ୍ପାନୀର ଶହ ଶହ କାର ଜାହାଜରେ ବୋଝେଇ ହୋଇଥିଲା । ତେବେ ପ୍ରକୃତରେ କେତେ ସଂଖ୍ୟାରେ କାର ଥିଲା ଓ ଜାହାଜରେ କେମିତି ନିଆଁ ଲାଗିଲା ? ତାହା ଏଯାଏଁ ସ୍ପଷ୍ଟ ହୋଇନି । ଏହାପୂର୍ବରୁ ୨୦୧୯ରେ ବି ଆମେରିକାର ଏକ କାର ବୋଝେଇ କାର୍ଗୋ ଜାହାଜ ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା ୨ ହଜାର ବିଳାସପୂର୍ଣ୍ଣ କାର ନଷ୍ଟ ହୋଇଥିଲା ।