• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pragyan Paramita Behera

ଆଲୋ ସଖୀ ଆପଣା ମହତ ଆପେ ରଖି । ନିଜ ଦେଶରେ ଖାଦ୍ୟ ମୁଠାଏ ପାଇଁ ଜନତା ହନ୍ତସନ୍ତ ହେଉଥିବା ବେଳେ ପଡ଼ୋଶୀ ଦେଶ ପାକିସ୍ତାନ ବାହାରିଛି ଭଲଲୋକି ଦେଖାଇବାକୁ । ଧୀରେ ଧୀରେ ରସାତଳକୁ ଯାଉଥିବା ଅର୍ଥନୀତି ପାଇଁ କେବେ ଚୀନ ତ କେବେ ସାଉଦି ଆରବର ଶରଣ ପଶୁଛି ପାକ୍ । ଚାରିଆଡ଼ୁ ସଙ୍କଟ ମାଡ଼ି ଆସୁଥିବା ବେଳେ ପ୍ରାଣମୂର୍ଚ୍ଚା ଉଦ୍ୟମ ଚଳାଇଥିବା ଶାହାବାଜ ସରକାର ଏବେ ବାଂଲାଦେଶକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । କୌଣସି ପରୋପକାର ମନୋଭାବ ନେଇ ନୁହେଁ ବରଂ ଭାରତକୁ ଟାର୍ଗେଟ କରି ଷଡ଼ଯନ୍ତ୍ରର ମଞ୍ଜି ବୁଣୁଛି ପାକିସ୍ତାନ । ଦୀର୍ଘ ଦିନ ଧରି ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କକୁ ନେଇ ତିକ୍ତତା ଲାଗି ରହିଛି, ଏହାର ଫାଇଦା ଉଠାଇବାକୁ ସେଠାରେ ପହଞ୍ଚିଯାଇଛି ଚିରଶତ୍ରୁ ପାକ୍ ।

ସେପଟେ ଶେଖ ହସିନା ଗାଦିଚ୍ୟୁତ ହେବାପରେ ବାଂଲାଦେଶର ଅବସ୍ଥା ସୁଧୁରିବା ପରିବର୍ତ୍ତେ ଆହୁରି ଖରାପ ହେବାରେ ଲାଗିଛି । ଏବେ ସେ ଦେଶର ବେକାରୀ ସମସ୍ୟା ଉତ୍କଟ ସ୍ଥିତିରେ ପହଞ୍ଚିଛି। ପ୍ରାୟ ଚାରିକୋଟି ଶିକ୍ଷିତ ଯୁବକ ଯୁବତୀ ବେକାର ଥିବା ବେଳେ କପଡ଼ା, କୃଷି, ପୋଷାକ, ଝୋଟ ଶିଳ୍ପ ଗୁରୁତର ମାନ୍ଦାବସ୍ଥା ଦେଇ ଗତି କରୁଛି। ଦେଶର ବୈଦେଶିକ ମୁଦ୍ରାଭଣ୍ଡାର ହ୍ରାସ ପାଇ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି । ଏପରି ସ୍ଥିତିରେ ମରଣକାଳେ ବିପରୀତ ବୁଦ୍ଧି ଭଳି ପାକିସ୍ତାନର ସହଯୋଗ ଲୋଡ଼ିଛନ୍ତି ୟୁନୁସ ସରକାର । ଯେଉଁ ପାକିସ୍ତାନୀ ସେନାର ଅତ୍ୟାଚାରର କାହାଣୀ ଆଜି ବି ବାଂଲାଦେଶ ଭୁଲିନି, ତାହାକୁ ୟୁନୁସ ସରକାର ସସମ୍ମାନେ ନିମନ୍ତ୍ରଣ କରିଛନ୍ତି । ୧୯୭୧ରେ ଭାରତୀୟ ସେନା ସହାୟତାରେ ଯେଉଁ ପାକିସ୍ତାନୀ ସେନାକୁ ବାଂଲାଦେଶରୁ ବାହାର କରି ଦିଆଯାଇଥିଲା, ୫୩ ବର୍ଷ ପରେ ପୁଣି ଥରେ ବାଂଲାଦେଶ ଫେରିବା ଆରମ୍ଭ କରିଛି ସେହି ପାକିସ୍ତାନୀ ସେନା ।

ଏଇଠି ପ୍ରଶ୍ନ ଉଠୁଛି ବାଂଲାଦେଶ ପୁଣି ଥରେ ପାକିସ୍ତାନର ଗୁଲାମୀ କରିବାକୁ ରାଜି ହୋଇଗଲା କି ? ପାକିସ୍ତାନ ସେନା ଏବେ ବାଂଲାଦେଶୀ ସେନାକୁ ତାଲିମ ପ୍ରଦାନ କରିବ, ଏହା ଭାରତ ପାଇଁ ନୂଆ ଚିନ୍ତାର କାରଣ ହୋଇପାରେ । ଖୁବଶୀଘ୍ର ପାକିସ୍ତାନ ସେନାର ଜେନେରାଲ  ନିଜର ପୂରା ଟିମ୍ ସହ ବାଂଲାଦେଶ ଗସ୍ତରେ ଯିବେ। ଗୁଇନ୍ଦା ଏଜେନ୍ସିର ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଯୁଗ୍ମ ଚିଫ୍ ଅଫ୍ ଷ୍ଟାଫ୍ କମିଟିର ମୁଖ୍ୟ ଜେନେରାଲ ସାହିର ଶମଶାଦ ମିର୍ଜା ବାଂଲାଦେଶକୁ ଏକ ପ୍ରସ୍ତାବ ପଠାଇଥିଲେ। ଏହି ପ୍ରସ୍ତାବରେ ସେ ନିଜେ ବାଂଲାଦେଶ ଆର୍ମି ଟ୍ରେନିଂ ଇନଷ୍ଟିଚ୍ୟୁଟ, ଇନଫେଣ୍ଟରି ଆଣ୍ଡ ଷ୍ଟ୍ରାଟେଜିକ ସ୍କୁଲ, ଡିଫେନ୍ସ ସର୍ଭିସ କମାଣ୍ଡ ପରିଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଜେନେରାଲ ମିର୍ଜା ବାଂଲାଦେଶ ସେନାର ଷ୍ଟାଫ୍ କଲେଜରେ ଅତିଥି ବକ୍ତା ଭାବେ ଯୁବ ଅଧିକାରୀମାନଙ୍କୁ ସମ୍ବୋଧିତ କରିବାକୁ ଚାହୁଁଛନ୍ତି। ଅନ୍ୟପଟେ ବାଂଲାଦେଶ ଏହି ପ୍ରସ୍ତାବକୁ ଗ୍ରହଣ କରିଥିବା ସୂଚନା ମିଳିଛି । ଏହି ଗସ୍ତକୁ ନେଇ ଏକ ପର୍ଯ୍ୟାୟ ଆଲୋଚନା ମଧ୍ୟ ହୋଇଛି । ତେବେ ଏପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇନାହିଁ।


୧୯୭୧ରେ ପାକିସ୍ତାନ ସେନାକୁ ଘଉଡ଼ାଇବା ପାଇଁ ହୋଇଥିଲା ଯୁଦ୍ଧ

୧୯୭୧ ମସିହା ଭାରତ, ପାକିସ୍ଥାନ ଏବଂ ବାଂଲାଦେଶ ଇତିହାସ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ବର୍ଷ ଭାରତ ପାକିସ୍ତାନକୁ ଯେଉଁ ଝଟକା ଦେଇଥିଲା ତାହା ଆଜି ବି ଭୁଲିନି ଇସଲାମାବାଦ। ପାକିସ୍ତାନର ବର୍ବରତାକୁ ଦମନ କରିବାକୁ ଭାରତ ନେଇଥିଲା କଡ଼ା ପଦକ୍ଷେପ । ଅତ୍ୟାଚାରୀ ଶାସନରୁ ବାଂଲାଦେଶକୁ ମୁକ୍ତ କରିବାକୁ ଭାରତୀୟ ସେନା ଆରମ୍ଭ କରିଥିଲା ଅଭିଯାନ । ବାଂଲାଦେଶ ମୁକ୍ତିବାହିନୀକୁ ସାହାଯ୍ୟ କରିବାକୁ ଯୁଦ୍ଧ ଘୋଷଣା କଲେ ଭାରତ ସରକାର । ଭାରତୀୟ ସେନାର ସୌର୍ଯ୍ୟ ଆଗରେ ହାର ମାନିଲା ପାକିସ୍ତାନ । ପୂର୍ବ ପାକିସ୍ତାନ ସ୍ବାଧୀନ ହୋଇ ଜନ୍ମ ନେଲା ବାଂଲାଦେଶ । ହେଲେ ଭାରତର ଏତେ ସଂଘର୍ଷ ପରେ ଯେଉଁ ବାଂଲାଦେଶକୁ ସ୍ୱାଧୀନତା ମିଳିଥିଲା ସେ ଏବେ ପାକିସ୍ତାନକୁ ସେନାକୁ ନିଜ ଆଡ଼ୁ ନିମନ୍ତ୍ରଣ କରିଛି ।

ହସିନା ସରକାରଙ୍କ ପତନ ପରଠାରୁ ସକ୍ରିୟ ରହିଛି ପାକିସ୍ତାନ

ଶେଖ ହସିନା ସରକାରଙ୍କ ପତନ ପରଠାରୁ ବାଂଲାଦେଶରେ ପାକିସ୍ତାନ ସକ୍ରିୟ ରହିଛି । ବାଂଲାଦେଶ ସହିତ ଆର୍ଥିକ ଏବଂ ସାଂସ୍କୃତିକ ସମ୍ପର୍କ ପୁନଃସ୍ଥାପିତ କରିବାକୁ ଚେଷ୍ଟା ଚଳାଇଛି । କିଛି ଦିନ ପୂର୍ବରୁ ଶାହାବାଜ ସରିଫ ଏବଂ ୟୁନୁସ ମିଶରର ରାଜଧାନୀରେ ସାକ୍ଷାତ କରିଥିଲେ, ସେତେବେଳେ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଆଲୋଚନା ହୋଇଥିଲା। ୧୯୭୧ ଯୁଦ୍ଧକୁ ଭୁଲିଯାଇ ପାକିସ୍ତାନ ସହିତ ଚାଲିବା ପାଇଁ ୟୁନୁସ୍ ପ୍ରସ୍ତୁତ ଥିବା ମନେ ହେଉଥିଲେ, ଶାହାବାଜ ସରିଫ ମଧ୍ୟ ବାଂଲାଦେଶକୁ ଭାଇ ବୋଲି କହିଥିଲେ। ବନ୍ଧୁତ୍ୱର ଏହି ଧାରା ବର୍ତ୍ତମାନ ସେନାରେ ପହଞ୍ଚିଛି ।

ପାକିସ୍ତାନରୁ ଗୋଳାବାରୁଦ ମଗେଇଛି ବାଂଲାଦେଶ

ଅଳ୍ପ ସମୟ ଭିତରେ ହିଁ ପାକିସ୍ତାନ ଓ ବାଂଲାଦେଶ ଖୁବ ଭଲ ବନ୍ଧୁ ପାଲଟି ଯାଇଛନ୍ତି । ପାକିସ୍ତାନ ଠାରୁ ଗୋଳାବାରୁତ ଓ ଅସ୍ତ୍ରଶସ୍ତ୍ର ମଗେଇଛି ବାଂଲାଦେଶ । ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ବାଂଲାଦେଶ ୪୦ ହଜାର ରାଉଣ୍ଡ ଗୁଳି ଆମଦାନୀ ପାଇଁ ଅର୍ଡର ଦେଇଛି, ଯାହା ଗତ ବର୍ଷ ତୁଳନାରେ ତିନି ଗୁଣ ଅଧିକ। ଏହା ବ୍ୟତୀତ ୨ ହଜାର ରାଉଣ୍ଡ ଟ୍ୟାଙ୍କ ଗୁଳି ଏବଂ ୪୦ ଟନ୍ ଆରଡିଏକ୍ସ ମଧ୍ୟ ଅର୍ଡର କରାଯାଇଛି।

ଭାରତ ବିରୋଧୀ ୟୁନୁସ ସରକାର

ଦିନକୁ ଦିନ ବାଂଲାଦେଶ- ଭାରତ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଶେଖ ହସିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଗାଦିଚ୍ୟୁତ କରିବା ପରଠାରୁ ବାଂଲାଦେଶ-ଭାରତ ସୀମାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେଉଛି । ଗୋଟିଏ ପଟେ ବାଂଲାଦେଶ ଭାରତ ବିରୋଧରେ ପ୍ରତ୍ୟେକ ପଦକ୍ଷେପ ନେଉଥିବା ବେଳେ ଅନ୍ୟ ପଟେ ପଡୋଶୀ ଦେଶ ପାକିସ୍ତାନ ସହ ସମ୍ପର୍କ ସୁଦୃଢ କରୁଛି। ଏହାର ମୁଖ୍ୟ କାରଣ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ‘ ମୌଳିକବାଦୀ’ ଏଜେଣ୍ଡା ବୋଲି ମନେହୁଏ, ଯାହା ପାକିସ୍ତାନକୁ ଆକର୍ଷିତ କରିଥାଏ। ଏହା ବ୍ୟତୀତ ବାଣିଜ୍ୟ, ସାଂସ୍କୃତିକ ପ୍ରତିନିଧୀଙ୍କ ଆଦାନପ୍ରଦାନ ଏବଂ କ୍ରୀଡା ସମ୍ବନ୍ଧୀୟ କାର୍ଯ୍ୟକଳାପ ମାଧ୍ୟମରେ ଭାରତର ପଡୋଶୀ ଦେଶର ନେତାମାନେ ସହଯୋଗ ବୃଦ୍ଧି କରିବାର ଆବଶ୍ୟକତା ଉପରେ ସହମତ ହୋଇଥିଲେ। ଚିନି ଶିଳ୍ପ ଏବଂ ଡେଙ୍ଗୁ ପରିଚାଳନା ଭଳି କ୍ଷେତ୍ରରେ ସହଯୋଗର ସମ୍ଭାବନା ଉପରେ ମଧ୍ୟ ସେମାନେ ଆଲୋଚନା କରିଥିଲେ। ତେବେ ବାଂଲାଦେଶର ଭାରତ ବିରୋଧୀ ଆଭିମୁଖ୍ୟ ପଛରେ ପାକିସ୍ତାନ ସହିତ ମୌଳବାଦୀ ସଂଗଠନଗୁଡ଼ିକର ହାତ ଥିବା କୁହାଯାଉଛି ।

ସିଲିଗୁଡ଼ି କରିଡୋରରେ ବଢ଼ିପାରେ ସଙ୍କଟ

ବାଂଲାଦେଶ-ପାକିସ୍ତାନ ମଧ୍ୟରେ ନୂତନ ଭାବରେ କୁରୁଳି ଉଠୁଥିବା ପ୍ରେମ ପାଇଁ ଭାରତର ୮୦ କିମି ଚଉଡ଼ା ସିଲିଗୁଡ଼ି କରିଡରରେ ସଙ୍କଟ ସୃଷ୍ଟି ହୋଇଗରେ । ଏହି କରିଡରକୁ ଚିକେନ ନେକ୍ କୁହାଯାଏ, ଯାହା ଭାରତର ପୂର୍ବ ରାଜ୍ୟକୁ ଦେଶ ସହ ଯୋଡ଼ି ରଖେ । ଏହା ଫଳରେ
ଉତ୍ତର ପୂର୍ବର ଉଗ୍ରବାଦୀ ସଂଗଠନ ପ୍ରାଧ୍ୟାନ୍ୟ ବିସ୍ତାର କରିପାରନ୍ତି। ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେଲେ ଉତ୍ତର ପୂର୍ବ ରାଜ୍ୟରେ ପୁଣି ଥରେ ଉଗ୍ରବାଦୀ ସଂଗଠନ ଗୁଡ଼ିକ ସକ୍ରିୟ ହେବାର ଆଶଙ୍କା ରହିଛି । ପାକିସ୍ତାନ ସେଠାରେ ଦେଶ ବିରୋଧୀ ଶକ୍ତିକୁ ସାହାଯ୍ୟ କରିବାକୁ ଷଡ଼ଯନ୍ତ୍ର ରଚୁଥିବା କୁହାଯାଉଛି । କେବଳ ନର୍ଥ ଇଷ୍ଟ ନୁହେଁ ଭାରତ ପାଇଁ ଚୀନ୍ ପଟୁ ମଧ୍ୟ ଚିନ୍ତା ବଢ଼ିପାରେ । ଚିକେନ୍ ନେକ୍ କରିଡର ନିକଟରେ ଭୁଟାନର ଡୋକଲାମ ମଧ୍ୟ ଅଛି । ଚୀନ୍ ଏହାକୁ କାବୁ କରିବାକୁ ଚାହୁଁଛି। ବାଂଲାଦେଶରେ ୟୁନୁସ ସରକାର ଏବଂ ବର୍ତ୍ତମାନ ପାକ୍ ଆର୍ମି ପ୍ରବେଶ ପରେ ଚୀନ୍ ପାଇଁ ସ୍ଥିତି ଅନୁକୂଳ ହୋଇଯିବ, ଅର୍ଥାତ୍ ଭାରତକୁ ମଧ୍ୟ ଏହି ଦିଗରେ ଚିନ୍ତା କରି ପ୍ରସ୍ତୁତ ରହିବାକୁ ପଡିବ ।

ପୂର୍ବ ସୀମାରେ ସକ୍ରିୟ ହୋଇପାରେ ଆଇଏସଆଇ ପାକିସ୍ତାନ

ବାଂଲାଦେଶ ହିଂସା ପଛରେ ପାକିସ୍ତାନର ହାତ ଥିବା କୁହାଯାଇଥିଲା । ଭାରତ-ବାଂଲାଦେଶ ସମ୍ପର୍କ ବିଗାଡ଼ିବାକୁ ଷଡ଼ଯନ୍ତ୍ର ହୋଇଥିଲା, ଯାହା ଅନେକାଂଶରେ ସଫଳ ହେଉଥିବା ଦେଖିବାକୁ ମିଳିଛି । ହିଂସା ପଛରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ଷଡ଼ଯନ୍ତ୍ର ରଚିଥିଲା । ପାକିସ୍ତାନକୁ ସହଯୋଗ କରୁଥିବା ଶକ୍ତି ସବୁବେଳେ ବାଂଲାଦେଶରେ ମହଜୁଦ ଥିଲେ । କିନ୍ତୁ ଶେଖ ହସିନାଙ୍କ କାର୍ୟ୍ୟକାଳରେ ସେମାନଙ୍କୁ ନିୟନ୍ତ୍ରଣ କରାଯାଇଥିଲା । ହେଲେ ବର୍ତ୍ତମାନ ବାଂଲାଦେଶ ସେନାର ସହଯୋଗରେ ମୌଳବାଦୀ ଶକ୍ତି ଅଧିକ ଶକ୍ତିଶାଳୀ ହୋଇଛି। ଏଭଳି ପରିସ୍ଥିତିରେ ପାକିସ୍ତାନର ସହଯୋଗରେ ଭାରତ ବିରୋଧରେ ଷଡଯନ୍ତ୍ରର ନୂଆ ସାମ୍ମୁଖ୍ୟ ଖୋଲିପାରେ ବୋଲି ଆଶଙ୍କା ରହିଛି। ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ମଧ୍ୟ ପୂର୍ବ ସୀମାରେ ସକ୍ରିୟ ହୋଇପାରେ।

ଭାରତ ସୁରକ୍ଷା ପ୍ରତି ବଡ଼ ଚ୍ୟାଲେଞ୍ଜ

ଭାରତ-ବାଂଲାଦେଶ ସୁସମ୍ପର୍କ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଭାରତ ସହିତ ବାଂଲାଦେଶ ସୀମାନ୍ତ ସବୁଠାରୁ ଦୀର୍ଘ ୪୦୯୬ କିମି, ଯାହା ଉନ୍ମୁକ୍ତ। ଏଣୁ ସେଠାରେ ଯେକୌଣସି ଅଶାନ୍ତି, ଅସ୍ଥିରତା, ଅରାଜକତା ସୃଷ୍ଟି ହେଲେ ଅନୁପ୍ରବେଶକାରୀଙ୍କ ସମେତ ବିଭିନ୍ନ ସଶସ୍ତ୍ର ଉଗ୍ରବାଦୀ ସଂଗଠନର କାର୍ଯ୍ୟକଳାପ ଭାରତରେ ବୃଦ୍ଧି ପାଇବା ନିଶ୍ଚିତ। ଏପଟେ ପାକିସ୍ତାନ ଇସାରେ ନାଚିବା ଆରମ୍ଭ କରିଛି ବାଂଲାଦେଶ । ଢାକାରୁ ଇସଲାମାବାଦକୁ ଫ୍ଲାଇଟ ସର୍ଭିସ ପୁଣି ଥରେ ଆରମ୍ଭ କରିବାକୁ ଘୋଷଣା ହୋଇସାରିଛି । ପାକ୍ ନାଗରିକଙ୍କ ପାଇଁ ଭିସା ନିୟମରେ ମଧ୍ୟ କୋହଳ କରିଛି ବାଂଲାଦେଶ । ପାକିସ୍ତାନୀ କାର୍ଗୋ ସିପକୁ ବିନା ଯାଂଚରେ ଚିଟଗୋଙ୍ଗ ବନ୍ଦରରେ ପ୍ରବେଶ ପାଇଁ ଅନୁମତି ମିଳିସାରିଛି । ଏହି ପରିବର୍ତ୍ତନ ପଛରେ ଲୁଚି ରହିଛି ପାକିସ୍ତାନର ରଣନୀତି । ଏହି କ୍ରମରେ ଭାରତର ସୁରକ୍ଷା ପାଇଁ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି ।

 

OTV is now on Whatsapp

Join and get latest news update delivered to you via whatsapp

Join Now