• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଗାଜା ସିଟିର ଅଲ ଆହାଲି ହସ୍ପିଟାଲ ଉପରେ ଆକ୍ରମଣକୁ ନେଇ ଦୋଷ ଲଦାଲଦି । ଇସ୍ରାଏଲ ସେନା ହସପିଟାଲକୁ ଟାର୍ଗେଟ କରିଥିବା ଅଭିଯୋଗ ଆଣିଛି ଆତଙ୍କବାଦୀ ସଂଗଠନ ହମାସ । ତେବେ ଇସ୍ରାଏଲ ଏହାକୁ ଦୃଢ଼ ଭାବେ ଖଣ୍ଡନ କରିଛି । ହମାସ ସହଯୋଗୀ ଇସଲାମିକ ଜିହାଦ ଗୋଷ୍ଠୀର ରକେଟ ଲକ୍ଷ୍ୟଚ୍ୟୁତ ହୋଇ ହସପିଟାଲରେ ପଡିଥିବା ଇସ୍ରାଏଲ କହିଛି । ଦୁଇ ହମାସ ନେତାଙ୍କ ମଧ୍ୟରେ ଏ ସଂପର୍କିତ କଥାବାର୍ତ୍ତାର ଅଡିଓ ରିଲିଜ କରିବା ସହ ହସପିଟାଲ ପଛରେ ଥିବା କବରସ୍ଥାନରୁ ରକେଟ ଫାୟାର ହୋଇଥିବାର ପ୍ରମାଣ ବି ଦେଇଛି । ଗତକାଲି ହସପିଟାଲରେ ହୋଇଥିବା ବିସ୍ଫୋରଣରେ ୫ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ବିଶ୍ୱବ୍ୟାପୀ ଉଦବେଗ ପ୍ରକାଶ ପାଇଛି ।

ଗାଜା ସିଟିରେ ଥିବା ଅଲ ଆହାଲି ହସପିଟାଲ ପଛପଟରେ ଥିବା କବରସ୍ଥାନରୁ ଇସ୍ରାଏଲକୁ ଟାର୍ଗେଟ କରି ରକେଟ ଛାଡିଥିଲା ଇସଲାମିକ ଜିହାଦ ଗୋଷ୍ଠୀ । ତେବେ ଲକ୍ଷ୍ୟଚ୍ୟୁତ ହୋଇ ଏହା ହସପିଟାଲ ଉପରେ ପଡିବାରୁ ଘଟିଛି ବିସ୍ଫୋରଣ । ହସପିଟାଲ ଉପରେ ଆକ୍ରମଣ ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିବା ସହ ଏଥିରେ ଆତଙ୍କୀ ସଂଗଠନ ଇସଲାମିକ ଜିହାଦର ସଂପୃକ୍ତି ନେଇ ପ୍ରମାଣ ଦେଇଛି ଇସ୍ରାଏଲ ସେନା ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରକେଟ ଲକ୍ଷ୍ୟଚ୍ୟୁତ ହେବା ନେଇ ଦୁଇ ହମାସ ନେତାଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ କଥାବାର୍ତ୍ତାର ଅଡିଓ ବି ଛାଡିଛି ଇସ୍ରାଏଲ ସେନା –ଆଇଡିଏଫ । ହସପିଟାଲରେ ହୋଇଥିବା ବିସ୍ଫୋରଣ ଅତି ଛୋଟ ଧରଣର, ଅତି କମ ଦୂରତାରୁ ଏବଂ ସ୍ୱଳ୍ପ କ୍ଷମତା ବିଶିଷ୍ଟ ରକେଟ ଦ୍ୱାରା ହୋଇଛି, ଇସ୍ରାଏଲ ଅସ୍ତ୍ର ବ୍ୟବହାର ହୋଇଥିଲେ ପ୍ରଚଣ୍ଡ ବିସ୍ଫୋରଣ ସାଙ୍ଗକୁ ପୁରା ଅଞ୍ଚଳ ଧ୍ୱଂସ୍ତବିଧ୍ୱଂସ୍ତ ହୋଇଯାଇଥାଆନ୍ତା ବୋଲି କହିଛି ଆଇଡିଏଫ୍ । ସେହିପରି ରକେଟ କେଉଁଠୁ ଫାୟାର ହୋଇଛି, ଏହାର ଗତିପଥ କିଭଳି ଥିଲା ଓ ଏହା କେମିତି ହସପିଟାଲ ଉପରେ ପଡିଲା ତାର ବିଡିଓ ବି ଜାରି କରିଛି ଇସ୍ରାଏଲ ସେନା ।

କେବଳ ଗତକାଲିର ରକେଟ ନୁହେଁ ୭ ତାରିଖରୁ ଯୁଦ୍ଧ ଆରମ୍ଭ ହେବା ପରେ ଇସ୍ରାଏଲକୁ ଟାର୍ଗେଟ କରି ଗାଜାରୁ ଫାୟାର କରାଯାଉଥିବା ଅନେକ ରକେଟ ଲକ୍ଷ୍ୟଭ୍ରଷ୍ଟ ହୋଇ ସେଇ ଗାଜାରେ ପଡୁଥିବା ଇସ୍ରାଏଲ ସେନା ଦାବି କରିବା ସହ ଏସଂପର୍କିତ ଭିଡିଓ ବି ଜାରି କରିଛି ।

ଗାଜା ଏକ ଜନବହୁଳ ଅଞ୍ଚଳ ହୋଇଥିବାରୁ ରକେଟ ଲକ୍ଷ୍ୟଭ୍ରଷ୍ଟ ହେବା ଦ୍ୱାରା ବହୁ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଥିବା କହିଛି ଆଇଡିଏଫ୍ । ସେପଟେ ପାଲେଷ୍ଟାଇନ ପକ୍ଷରୁ କୁହାଯାଇଛି ଯେ, ହମାସକୁ ଟାର୍ଗେଟ କରିବାକୁ ଯାଇ ଇସ୍ରାଏଲ ଏହି ମେଡିକାଲ ଉପରେ ରକେଟମାଡ଼ କରିଛି ।

ଗତକାଲି ରାତିରେ ଇସ୍ରାଏଲ -ହମାସ ଲଢେଇରେ ଆହତ ହୋଇ ଚିକିତ୍ସିତ ହେଉଥିବା ଅଲ ଆହାଲି ହସ୍ପିଟାଲରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଏଥିରେ ୫ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ହମାସ ଆତଙ୍କବାଦୀ, ହସପିଟାଲ ପରିସରରେ ଆଡ୍ଡା ଜମାଇଥିବା ସନ୍ଦେହ କରି ଇସ୍ରାଏଲ ସେନା ଏହାକୁ ଟାର୍ଗେଟ କରିଥିବା ପାଲେଷ୍ଟାଇନ ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ଇସ୍ରାଏଲ ସେନା ହସପିଟାଲ ଉପରେ କେବେବି ଆକ୍ରମଣ କରେ ନାହିଁ ବୋଲି ଆଇଡିଏଫ୍ କହିଛି।