• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଉଗାଣ୍ଡା ରାଜଧାନୀ କାମ୍ପାଲାରେ ବଡ଼ଧରଣର ବିସ୍ଫୋରଣ । କାମ୍ପାଲା ଷ୍ଟାଡିୟମ୍ ନିକଟରେ ଲଗାତାର ଦୁଇଟି ବିସ୍ଫୋରଣ ଘଟିଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣ ପଛରେ କେଉଁ ସଂଗଠନର ହାତ ରହିଛି, ସେ ସମ୍ପର୍କରେ ସ୍ପଷ୍ଟ ହୋଇନି । ତେବେ କାମ୍ପାଲାରେ ଥିବା ଭାରତୀୟ ପାରା ବ୍ୟାଡମିଣ୍ଟନ୍ ଟିମ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି । ଏହି ଟିମ୍‌ରେ ଅଲମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ଓଡ଼ିଆ ଖେଳାଳି ପ୍ରମୋଦ ଭଗତଙ୍କ ସହ ଦୀପ୍ତିରଞ୍ଜନ ବିଶୋଇ ଓ ଦିଲେଶ୍ୱର ରାଓ ବି ଅଛନ୍ତି । ବିସ୍ଫୋରଣ ପରେ ପୁରା ଭାରତୀୟ ଟିମ୍‌କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଛି । ଏହାସହ ଖେଳାଳି ମାନେ ରହୁଥିବା ହୋଟେଲରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି ।

ଭାରତୀୟ ପାରା ବ୍ୟାଡମିଣ୍ଟନ୍ ଟିମ୍, ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାଶନାଲ୍-୨୦୨୧ରେ ଭାଗ ନେବା ପାଇଁ ଦୁଇଦିନ ତଳେ ଉଗାଣ୍ଡାରେ ପହଞ୍ଚିଥିଲା । ଏହି ଟିମରେ ଟୋକିଓ ପାରାଲିମ୍ପିକ୍ସରେ ପଦକ ଜିତିଥିବା ଖେଳାଳି ପ୍ରମୋଦ ଭଗତ, ମନୋଜ ସରକାର ଓ ବାକି ଖେଳାଳି ସାମିଲ ଅଛନ୍ତି । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେGଥିବା ଓଡ଼ିଶାର ତିନି ଖେଳାଳି ସୁରକ୍ଷିତ ଥିବା ଜଣାପଡ଼ିଛି । ଏହାଛଡ଼ା ସମସ୍ତ ଭାରତୀୟ ଖେଳାଳିମାନେ ମଧ୍ୟ ସୁରକ୍ଷିତ ଅଛନ୍ତି ।

ନିକଟରେ ‘ଖେଳ ରତ୍ନ’ ପୁରସ୍କାର ପାଇଥିବା ପାରାଲିମ୍ପିଆନ୍ ପ୍ରମୋଦଙ୍କ ସମେତ ଦୁଇ ଓଡ଼ିଆ ଖେଳାଳି ଭାବେ ଦୀପରଞ୍ଜନ ବିଶୋଇ ଓ ଜି ଦିଲେଶ୍ୱର୍ ରାଓ ଭାଗ ନେଇଛନ୍ତି । ଏମାନେ ସମସ୍ତେ ସୁରକ୍ଷିତ ଅଛନ୍ତି ଏବଂ ଟୁର୍ଣ୍ଣାମେଣ୍ଟ ମଧ୍ୟ ନିର୍ଦ୍ଧାରିତ ସମୟାନୁସାରେ ଜାରି ରହିଛି । ଭାରତୀୟ ପାରା ବ୍ୟାଡମିଣ୍ଟନ ଦଳ Holiday Express Hotelରେ ରହୁଛନ୍ତି । କିଛି ଖେଳାଳି ଷ୍ଟାଡିୟମରେ ମ୍ୟାଚ୍ ଖେଳିବାକୁ ଯାଇଥିଲା ବେଳେ ଉଗାଣ୍ଡାରେ ସକାଳ ପ୍ରାୟ ୧୦.୩୦ରେ ହୋଟେଲ ଠାରୁ ୨୦୦ ମିଟର ଦୂରରେ ସିରିଏଲ୍ ବୋମା ମାଡ଼ ହୋଇଥିଲା ।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଏଥିମଧ୍ୟରୁ ଗୋଟିଏ ବିସ୍ଫୋରଣ ଥାନା ନିକଟରେ ଘଟିଥିବା ବେଳେ ଅନ୍ୟଟି ସଂସଦ ଭବନ ପାଖରେ ଥିବା ରାସ୍ତାରେ ହୋଇଥିଲା । ସଂସଦ ଭବନ ପାଖରେ ହୋଇଥିବା ବିସ୍ଫୋରଣ ସମ୍ଭବତଃ ଏକ ବିଲ୍ଡିଂକୁ ଟାର୍ଗେଟ୍ କରି କରାଯାଇଛି, ଯେଉଁଥିରେ ଏକ ବୀମା କମ୍ପାନୀର ଅଫିସ୍ ରହିଛି । ବିସ୍ଫୋରଣ ଘଟିବା ଦ୍ୱାରା ପାଖରେ ଥିବା ଯାନରେ ନିଆଁ ଲାଗିଯାଇଥିଲା । ଏହି ବିସ୍ଫୋରଣର କିଛି ଭିଡିଓ ଓ ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି ।