• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚିଲିରେ ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ । ଏଯାଏଁ ଗଲାଣି ୧୧୨ ଜଣଙ୍କ ଜୀବନ । ଚିଲିରେ ଧୀରେ ଧୀରେ ଆହୁରି ଭୟଙ୍କର ରୂପ ନେବାରେ ଲାଗିଛି ଜଙ୍ଗଲ ନିଆଁ । ବର୍ତ୍ତମାନ ସୁଦ୍ଧା ୧୧୨ ଜଣ ମୃତ ବୋଲି ସ୍ପଷ୍ଟ ହୋଇଥିବାବେଳେ ହଜାର ହଜାର ଲୋକ ନିଖୋଜ ରହିଛନ୍ତି । ଆଉ ନିଆଁ ଲାଗି ୧୪୦୦ ଘର ପୋଡ଼ି ନଷ୍ଟ ହୋଇଯାଇଛି ।

ଗତ ଶୁକ୍ରବାର ଦିନ ଚିଲିର ଜଙ୍ଗଲରେ ନିଆଁ ଲାଗିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ହେଲେ ନିଆଁ ଆୟତ୍ତ ନହେବାରୁ ଭୟଙ୍କର ରୂପ ଧାରଣ କରିଥିଲା ଅଗ୍ନିକାଣ୍ଡ । ନିଆଁର ଆଁରେ ସବୁକିଛି ଜଳିପୋଡ଼ି ପାଉଁଶ ହୋଇଥିଲା । ଆଉ ବର୍ତ୍ତମାନ ମଧ୍ୟ ନିଆଁ ଲିଭିବାର ନାଁ ଧରୁନାହିଁ ।

ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ସହରଗୁଡ଼ିକରେ କର୍ଫ୍ୟୁ ଲଗାଇଛନ୍ତି ସରକାର । ଭିନା ଡେଲ ମାର ସହରର ଚତୁର୍ଦ୍ଦିଗରେ ଜଳୁଛି ନିଆଁ । ଅତି କମ୍‌ରେ ୧୬ଶହ ଘରର ଲୋକେ ଘର ଛାଡ଼ି ଚାଲିଯାଇଛନ୍ତି । ନିଆଁ ଓ ପ୍ରବଳ ଧୂଆଁରେ ଅଣନିଃଶ୍ୱାସୀ ହୋଇପଡ଼ିଛି ସହର । ଅଧିକାରୀ କହିଛନ୍ତି ଯେ, ଭିନା ଡେଲ ମାର ଏବଂ ଏହାର ଆଖପାଖ ଅଞ୍ଚଳରେ ୨୦୦ ଜଣ ନିଖୋଜ ଅଛନ୍ତି ।

ବର୍ତ୍ତମାନ ସୁନ୍ଧା ଅଗ୍ନିକାଣ୍ଡ କିପରି ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । ଏଥିପାଇଁ କିଏ ଦାୟୀ ସେନେଇ ତଦନ୍ତ କରାଯାଉଛି । ସୂଚନା ଅନୁସାରେ ସହରର ଚାରିପଟେ ଥିବା ଜଙ୍ଗଲରେ ପ୍ରଥମେ ନିଆଁ ଲାଗିଯାଇଥିଲା । ପରେ ପରେ ଏହା ସହର ଭିତରକୁ ପ୍ରବେଶ କରିଥିଲା । ନିଆଁକୁ ଆୟତ୍ତ କରିବାକୁ ଅଧିକାରୀମାନେ ଯେତେ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଆୟତ୍ତ ହୋଇନଥିଲା ।

ଅଗ୍ନିକାଣ୍ଡକୁ ନେଇ ଜଣେ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏହି ନିଆଁ ଅସ୍ୱାଭାବିକ ଭାବେ ଲାଗିଛି । ପବନ କାରଣରୁ ଖୁବ୍‌ ଜୋର୍‌ରେ ଜଳୁଛି ଜଙ୍ଗଲ । ଚିଲିର ୮ ହଜାର ହେକ୍ଟର ଜଙ୍ଗଲ ଜଳିଯାଇଥିବାବେଳେ ସହର ଭିତରରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଉଛି ।