• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପଦାରେ ପଡ଼ିଲା ତାଲିବାନର ଅସଲ ଚେହେରା ।

  • ସାଧାରଣ ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କଲେ ତାଲିବାନୀ ଆତଙ୍କବାଦୀ ।

ନୂଆଦିଲ୍ଲୀ: ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନର ଅସଲ ଚେହେରା ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି । ଆଜି ତାଲିବାନ ସଂଗଠନର ସଦସ୍ୟମାନେ ସରକାରୀ ଅଫିସରେ ଦେଶର ଜାତୀୟ ପତାକା ଲଗାଇବା ଦାବିରେ ବିକ୍ଷୋଭ କରୁଥିବା ଲୋକଙ୍କ ଉପରେ ଆଖି ବୁଜା ଗୁଳିମାଡ଼ କରିଛନ୍ତି ।

ଜଲାଲବାଦ ସହରରେ ଅନେକ ଲୋକ ତାଲିବାନ ବିରୋଧରେ ରାସ୍ତାକୁ ଓହ୍ଲାଇଥିଲେ । ସେମାନେ ଜାତୀୟ ପତାକା ସରକାରୀ ଅଫିସଗୁଡ଼ିକରେ ଲଗାଇବା ପାଇଁ ଦାବି କରିଥିଲେ । ତେବେ ତାଲିବାନୀମାନେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ଼ କରିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ସାମ୍ନାକୁ ଆସିଥିବା ଭିଡିଓରେ ଶତାଧିକ ଲୋକ ଆଫଗାନ ପତାକା ଧରି ରାସ୍ତାରେ ବିକ୍ଷୋଭ କରୁଥିବା ଦେଖିବାକୁ ମିଳୁଛି । ଏହି ସମୟରେ ହଠାତ୍‌ ଭିଡ଼ ଉପରକୁ ଗୁଳିମାଡ଼ କରାଯାଇଥିଲା ।ତେବେ ଗୁଳିମାଡ଼ରେ କେହି ମୃତାହତ ହୋଇଛନ୍ତି କି ନାହିଁ ସେନେଇ ସୂଚନା ମିଳିପାରି ନାହିଁ ।

ସେହିପରି ଶିହା ନେତା ଅବଦୁଲ ଅଲୀ ମଜାରୀଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି ତାଲିବାନୀ । ମଜାରୀ ୧୯୯୦ରୁ ତାଲିବାନ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିଲେ । କିନ୍ତୁ ୧୯୯୬ରେ ତାଲିବାନୀମାନେ ଆଫଗାନରେ କ୍ଷମତା ଦଖଲ କରିବା ପରେ ତାଙ୍କୁ ଅପହରଣ କରି ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରିଥିଲେ । ଏବେ ଉକ୍ତ ଅଞ୍ଚଳକୁ ତାଲିବାନ ଦଖଲ କରି ନେଇଛି । ଏହି କାରଣରୁ ସେଠାରେ ଥିବା ମଜାରୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି ।

ଅନ୍ୟପଟେ ଆଜି କାବୁଲ ରାଜରାସ୍ତାରେ ଆଫ୍‌ଗାନ୍‌ ମହିଳାମାନେ ନିଜ ହକ୍‌ ପାଇଁ ପ୍ରତିବାଦ କରିଛନ୍ତି । ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ମହିଳା ଅଧିକାର ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଏହି ମହିଳାମାନେ । ବୁର୍ଖା ପିନ୍ଧି ମହିଳାଙ୍କ ଅଧିକାର ପାଇଁ ହାତରେ ପ୍ଲାକାର୍ଡ ଧରି ଏମାନେ ଦାବି କରିଛନ୍ତି । ଗତ ୨୦ ବର୍ଷ ଧରି ମହିଳାମାନେ ଦେଶରେ ଯେଉଁ ଅଧିକାର ପାଇଥିଲେ, ସେହି ଅଧିକାର ମିଳୁ ବୋଲି ଦାବି ଉଠାଇଛନ୍ତି । ଶିକ୍ଷା ଅଧିକାର, କାମ କରିବାକୁ ଅଧିକାର, ରାଜନୈତିକ କ୍ଷେତ୍ରରେ ଭାଗିଦାରୀ, ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଅନୁମତି ଦେବାକୁ ଦାବି କରିଛନ୍ତି । ବର୍ତ୍ତମାନ ଦେଶରେ ପ୍ରଚଳିତ ସମ୍ବିଧାନ ଅନୁଯାୟୀ ଏହି ସମସ୍ତ ସୁବିଧା ପ୍ରଦାନ ପାଇଁ ମହିଳାମାନେ ସ୍ୱର ଉଠାଇଛନ୍ତି ।

ଏବେ ଆଫଗାନିସ୍ତାନରେ କେବଳ ଭୟ, ଦୁଃଖ, ନିରାଶା ଆଉ ଅନିଶ୍ଚିତ ମୃତ୍ୟୁ ଆଶଙ୍କା । ମିଛ ପ୍ରତିଶ୍ରୁତି ଦେଇ ବିଶ୍ୱକୁ ଠକୁଛନ୍ତି ତାଲିବାନୀ ଆତଙ୍କବାଦୀ । ଏଠାରେ ଆରମ୍ଭ ହୋଇଯାଇଛି ତାଲିବାନୀ ଶାସନ । ଆଫଗାନିସ୍ତାନରେ ତାଲିବାନୀ ଶାସନ ଫେରିବା ପରେ ଦେଶବାସୀ ଆତଙ୍କରେ ଥରୁଛନ୍ତି । ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ତାଲିବାନ ବିଶ୍ୱ ସାମ୍ନାରେ ମହିଳାଙ୍କ ସୁରକ୍ଷା ନେଇ ପ୍ରତିଶୃତି ଦେଇଛି ସତ । ହେଲେ ମାତ୍ର ୨୪ ଘଣ୍ଟା ମଧ୍ୟରେ ତାଲିବାନର ଅସଲ ରୂପ ପଦାକୁ ଆସିଛି । ବୁଧବାର କାବୁଲ ବିମାନବନ୍ଦରରେ ମହିଳା ଓ ଶିଶୁଙ୍କ ଉପରେ ଆକ୍ରମଣ କରିଛନ୍ତି ତାଲିବାନୀ ।