ଯୁଦ୍ଧତ୍ରସ୍ତ ପୃଥିବୀ । ଭୁଶୁଡି ପଡୁଛି ବଡ ବଡ ଅଟ୍ଟାଳିକା । ଟଳି ପଡୁଛି ଜୀବନ । ସବୁଆଡେ ହାହାକାର । ତଥାପି ଏ ଧ୍ୱଂସସ୍ତୁପ ଉପରେ ଚାଲିଛି ବ୍ୟବସାୟ । ଲକ୍ଷ ଲକ୍ଷ କୋଟି ଟଙ୍କାର ବେପାର । ଏହି ଯୁଦ୍ଧ ପାଇଁ କିଏ ହେଉଛି କଲବଲ ଆଉ କିଏ ହେଉଛି ମାଲାମାଲ ।
ଉପସାଗରୀୟ ଦେଶରୁ ନେଇ ଋଷ ପର୍ଯ୍ୟନ୍ତ ପୂରା ଦୁନିଆ ଯୁଦ୍ଧରେ ଲହୁଲୁହାଣ ହୋଇଗଲେଣି । ସାରା ବିଶ୍ୱ ପାଇଁ ଯୁଦ୍ଧ ଏକ ପ୍ରକାର ବିପତ୍ତି ନେଇ ଆସିଛି । ହେଲେ ଯୁଦ୍ଧ ଏ ଦେଶ ପାଇଁ ସମ୍ପତ୍ତିର ଭଣ୍ଡାର ଖୋଲି ଦେଇଛି । ଏ ଦେଶ ହେଉଛି ଆମେରିକା । ଏହି ଯୁଦ୍ଧମନସ୍କ ପୃଥିବୀରୁ ଆମେରିକା ବେଶ ଭଲ ଅସ୍ତ୍ରଶସ୍ତ୍ର ବ୍ୟବସାୟ କରି ମୁନାଫା ଉଠାଉଛି । ଏହି ବ୍ୟାବସାୟିକ ଲାଭ ବାଇଡେନ ପ୍ରଶାସନର ଶେଷ ବର୍ଷରେ ହୋଇଥିଲା । ଆମେରିକା ଷ୍ଟେଟ ଡିପାର୍ଟମେଣ୍ଟ ପକ୍ଷରୁ ଜାରି କରାଯାଇଥିବା ବିଶ୍ୱ ପ୍ରତିରକ୍ଷା ଚୁକ୍ତିର ସଦ୍ୟତମ ରିପୋର୍ଟ ଅନୁଯାୟୀ, ୨୦୨୪ରେ ଆମେରିକା ୨୭.୫୭ ଲକ୍ଷ କୋଟି ଟଙ୍କା ମୂଲ୍ୟର ଅସ୍ତ୍ରଶସ୍ତ୍ର ଏବଂ ପ୍ରତିରକ୍ଷା ବୁଝାମଣା କରିଛି । ଯାହା ୨୦୨୩ ତୁଳନାରେ ୨୯ ପ୍ରତିଶତ ଅଧିକ ।
Also Read
୨୦୨୩ରେ ଆମେରିକା ୧୩.୬୩ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ବିକିଥିଲା । ହେଲେ ୨୦୨୪ରେ ହୋଇଥିବା ପ୍ରତିରକ୍ଷା ଚୁକ୍ତି ଅନୁସାରେ ୧୭.୩୭ ଲକ୍ଷ ଟଙ୍କାର ଅସ୍ତ୍ରଶସ୍ତ୍ର ବିକିଛି । ସେହିପରି ୨୦୨୪ରେ ଆମେରିକା ଓ ଅନ୍ୟ ଦେଶର ସରକାର ମଧ୍ୟରେ ହୋଇଥିବା ଚୁକ୍ତିର ମୂଲ୍ୟ ୧୦.୨୦ ଲକ୍ଷ କୋଟି ଥିଲାବେଳେ ୨୦୨୩ରେ ଏହାର ମୂଲ୍ୟ ଥିଲା ୭ ଲକ୍ଷ କୋଟି ଯାହା ୪୫.୭% ଅଧିକ ଥିଲା ।
ଅଧିକ ପଢ଼ନ୍ତୁ : ୯୦ ପ୍ରତିଶତ ଏୟାର ଟ୍ରାଫିକ କଣ୍ଟ୍ରୋଲରରେ ନାହାନ୍ତି ଆବଶ୍ୟକୀୟ କର୍ମଚାରୀ
ଆମେରିକା ଏବଂ ଅନ୍ୟ ସରକାର ମଧ୍ୟରେ ହୋଇଥିବା ୧୦.୨୦ ଲକ୍ଷ କୋଟି ଟଙ୍କାର ଚୁକ୍ତିରେ ୮.୩୮ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ବିକ୍ରି କାରବାର ରହିଛି । ଏହା ବ୍ୟତୀତ ମିତ୍ର ଦେଶକୁ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ୧.୦୨ ଲକ୍ଷ କୋଟିର ଆର୍ଥିକ ସହାୟତା ଦିଆଯାଇଛି । ସହଭାଗୀ ଦେଶର କ୍ଷମତା ବୃଦ୍ଧି ପାଇଁ ୭୯ ହଜାର କୋଟି ଟଙ୍କାର ସାହାଯ୍ୟ ଦିଆଯାଇଛି ।
ଆମେରିକାର ଫରେନ ମିଲିଟାରୀ ସେଲ୍ସ ଅନୁସାରେ, ୨୦୨୧ରୁ ୨୩ ମଧ୍ୟରେ ସରକାର ପ୍ରାୟ ୪.୮୩ ଲକ୍ଷ କୋଟି ଟଙ୍କାର କାରବାର କରିଥିଲେ। ଏହା ମଧ୍ୟରେ ପ୍ରତିରକ୍ଷା ଉପକରଣ, ଅସ୍ତ୍ରଶସ୍ତ୍ର ବିକ୍ରି କରିବା ସହ ମିଲିଟାରୀ ତାଲିମ ରହିଛି । ହେଲେ ୨୦୨୨ରୁ ୨୪ ମଧ୍ୟରେ ଏହାର ପରିମାଣ ବୃଦ୍ଧି ପାଇ ୭.୨୩ ଲକ୍ଷ କୋଟିରେ ପହଞ୍ଚିଛି । ଯାହା ୪୯.୬% ଅଧିକ ।
-୨୦୨୪ରେ କେଉଁ କେଉଁ ଦେଶକୁ ଅସ୍ତ୍ର ବିକିଛି ଆମେରିକା
ଆସନ୍ତୁ ଜାଣିବା, ଆମେରିକା କେଉଁ ପ୍ରମୁଖ ଦେଶ ଗୁଡିକ ସହିତ ପ୍ରତିରକ୍ଷା ବ୍ୟବସାୟ କରିଛି ଓ କେତେ ଟଙ୍କାର ସାମଗ୍ରୀ ବିକିଛି ।
*ତୁର୍କୀ:୧.୯୯ ଲକ୍ଷ କୋଟିର ଏଫ-୧୬ ଫାଇଟର ଜେଟ
*ଇସ୍ରାଏଲ:୧.୬୨ଲକ୍ଷ କୋଟିର ଏଫ-୧୬ ଫାଇଟର ଜେଟ
*ରୋମାନିଆ:୬୨ ହଜାର କୋଟିର ଏଫ-୩୫ ଫାଇଟର ଜେଟ ଏବଂ ୨୧ ହଜାର କୋଟିର ଏମଆଇଏ୨ ଆବ୍ରାହାମ ଟ୍ୟାଙ୍କ
*ଜର୍ମାନୀ:୪୩ ହଜାର କୋଟିର ଆଧୁନିକ ପେଟ୍ରିୟଟ ଏୟାର ଡିଫେନ୍ସ ମିସାଇଲ
*ଜାପାନ:୩୪ ହଜାର କୋଟିର KC-46A ବାୟୁରେ ଇନ୍ଧନ ଭରୁଥିବା ବିମାନ ଏବଂ ୨୦ ହଜାର କୋଟିର ଟାମହାକ ୱିପନ ସିଷ୍ଟମ
*ଭାରତ:୩୪ ହଜାର କୋଟିର MQ-9B ସ୍କାଏ ଗାର୍ଡିଆନ ଡ୍ରୋନ
*ଦକ୍ଷିଣ କୋରିଆ:୩୦ ହଜାର କୋଟିର ଅପାଚେ ଲଢୁଆ ହେଲିକପ୍ଟର
*ସ୍ପେନ:୨୪ ହଜାର କୋଟିର ଆଧୁନିକ ପେଟ୍ରିୟଟ ଏୟାର ଡିଫେନ୍ସ ସିଷ୍ଟମ
*ସାଉଦିଆରବ:୨୧ ହଜାର କୋଟିର ସିଷ୍ଟମ ଲଜିଷ୍ଟିକ ସପୋର୍ଟ
*ବାହରିନ:୧୯,୦୪୦କୋଟିର M1A2 ଆବ୍ରାହମ ଟ୍ୟାଙ୍କ
*ଗ୍ରୀସ:୧୬,୮୭୬ କୋଟିର UH-60M ବ୍ଲାକ ହକ ହେଲିକପ୍ଟର
*ନରୱେ:୧୬,୭୯୨ କୋଟିର AIM-120C-8 ମଧ୍ୟମ ଦୂରବର୍ତ୍ତୀ ଆକାଶ ମାର୍ଗରୁ ଆକାଶରେ ମାରି ପାରୁଥିବା ମିସାଇଲ
ଆମେରିକା ଷ୍ଟେଟ ଡିପାର୍ଟମେଣ୍ଟ ପକ୍ଷରୁ କୁହାଯାଇଛି, ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରିବା ସମୟରେ ଆମେରିକା ବିଭିନ୍ନ ଦୃଷ୍ଟିକୋଣରୁ ବିଚାରକୁ ନେଇଥାଏ । ଅସ୍ତ୍ରଶସ୍ତ୍ର ରପ୍ତାନୀ ଏବଂ ପ୍ରତିରକ୍ଷା ବେପାର ଦେଶର ବୈଦେଶିକ ନୀତର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ଯାହା ଆଞ୍ଚଳିକ ଏବଂ ବିଶ୍ୱ ସୁରକ୍ଷାକୁ ବି ପ୍ରଭାବିତ କରିଥାଏ । ସେଥିପାଇଁ ଆମେରିକା ନିଜ ନୀତି ସହିତ ରାଜନୈତିକ, ସାମାଜିକ, ମାନବାଧିକାର, ନାଗରିକ ସୁରକ୍ଷା, ଆର୍ଥିକ, ସୈନ୍ୟ, ପ୍ରଯୁକ୍ତି କୌଶଳର ସୁରକ୍ଷା ଏବଂ ଶେଷରେ ଏହାର ବ୍ୟବହାର ଆଦି ଦିଗ ଉପରେ ଧ୍ୟାନ ଦେଇଥାଏ । ଏହିସବୁ ଆଧାରକୁ ବିଚାର କରି ଆମେରିକା ନିଜ ସହଯୋଗୀ ଦେଶକୁ ସାମରିକ ଉପକରଣ ଏବଂ ପ୍ରତିରକ୍ଷା ସାମଗ୍ରୀ ସିଧାସଳଖ ବିକ୍ରି ପାଇଁ ଅନୁମତି ଦେଇଥାଏ ।
ଅସ୍ତ୍ରଶସ୍ତ୍ର ବିକ୍ରି କରୁଥିବା ବିଶ୍ୱର ପ୍ରମୁଖ ଦେଶ
ଆମେରିକା ବିଶ୍ୱର ସବୁଠାରୁ ବଡ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଅଟେ । ୨୦୧୪ରୁ ୧୮ ମଧ୍ୟରେ ଏବଂ ୨୦୧୯ରୁ ୨୩ ମଧ୍ୟରେ ଆମେରିକାର ଅସ୍ତ୍ରଶସ୍ତ୍ର ରପ୍ତାନୀ ୧୭ ପ୍ରତିଶତ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଋଷର ଅସ୍ତ୍ରଶସ୍ତ୍ର ରପ୍ତାନୀ ୫୩ ପ୍ରତିଶତ ହ୍ରାସ ପାଇଛି । ଏହି ସମୟ ମଧ୍ୟରେ ଫ୍ରାନ୍ସର ଅସ୍ତ୍ରଶସ୍ତ୍ର ରପ୍ତାନୀରେ ୪୭ ପ୍ରତିଶତ ବୃଦ୍ଧି ଘଟିଛି । ଋଷକୁ ପଛରେ ପକାଇ ଫ୍ରାନ୍ସ ଏବେ ବିଶ୍ୱର ଦ୍ୱିତୀୟ ବୃହତ ଅସ୍ତ୍ରଶସ୍ତ୍ର ବିକ୍ରି କରୁଥିବା ଦେଶ ପାଲଟି ଯାଇଛି ।
ଆସନ୍ତୁ ଜାଣିବା, SIPRI(Stockholm International Peace Research Institute) ରୁ ମିଳିଥିବା ତଥ୍ୟ ଅନୁସାରେ, କେଉଁ ଦେଶ କେତେ ଅସ୍ତ୍ରଶସ୍ତ୍ର ବିକୁଛି ।
-ଆମେରିକା: ୪୧ ପ୍ରତିଶତ
-ଫ୍ରାନ୍ସ: ୧୦.୯ ପ୍ରତିଶତ
-ଋଷ:୧୦.୫ ପ୍ରତିଶତ
-ଚୀନ: ୫.୮ ପ୍ରତିଶତ
-ଜର୍ମାନୀ: ୫.୬ ପ୍ରତିଶତ
-ଇଟାଲି: ୪.୩ ପ୍ରତିଶତ
-ୟୁକେ: ୩.୭ ପ୍ରତିଶତ
-ସ୍ପେନ: ୨.୭ ପ୍ରତିଶତ