• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କ୍ଷମତା ଭାଗ ବାଣ୍ଟିବାକୁ ଆଫଗାନିସ୍ତାନ ସରକାରଙ୍କ ପ୍ରସ୍ତାବ ।

  • ଅସମ୍ଭାଳ ହେଲାଣି ସ୍ଥିତି ।

ନୂଆଦିଲ୍ଲୀ: ଆଫ୍‌ଗାନିସ୍ତାନରେ ପରିସ୍ଥିତି ଅସମ୍ଭାଳ । ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ହିଂସାକାଣ୍ଡ ଥମିବାର ନାଁ ଧରୁନି । ଏହାରି ଭିତରେ ଆଫ୍‌ଗାନିସ୍ତାନ ସରକାର ଖେଳିଛନ୍ତି କ୍ଷମତା ଭାଗବଣ୍ଟା କାର୍ଡ । ଆତଙ୍କି ସଂଗଠନ ତାଲିବାନ ସହ କରିବାକୁ ଚାହୁଛନ୍ତି ଡିଲ୍‌ । ଯଦି ତାଲିବାନ ପକ୍ଷରୁ ହିସାଂକାଣ୍ଡକୁ ରୋକାଯିବ ତେବେ ଆଫଗାନିସ୍ତାନ ସରକାର କ୍ଷମତାରୁ ଭାଗ ଦେବେ ବୋଲି କାତାର୍ ଜରିଆରେ ତାଲିବାନ ଆଗରେ ପ୍ରସ୍ତାବ ରଖିଛନ୍ତି । ଏଭଳି ଖବର ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଅନ୍ୟପଟେ ଆଫ୍‌ଗାନିସ୍ତାନର ସୁରକ୍ଷାରେ ଥିବା ଆମେରିକା ସୈନ୍ୟମାନଙ୍କୁ ଫେରାଇ ନିଆଯାଇଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଚଳିତ ମାସ ଶେଷ ସୁଦ୍ଧା ଆଫଗାନିସ୍ତାନରେ ମିଶନ ଶେଷ କରିବାକୁ ଆମେରିକା ସୈନିକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଫଗାନିସ୍ତାନରୁ ଅଧିକାଂଶ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର କରାଯାଇଛି । ଆଉ ଏହାପରେ ହିଁ ତାଲିବାନୀ ସଂଗଠନ ଦେଶରେ ସକ୍ରିୟ ହୋଇଉଠିଛି ।

ଆମେରିକୀୟ ଓ ନାଟୋ ସୈନ୍ୟ ଆଫଗାନିସ୍ତାନ ଛାଡ଼ିବା ପରେ ତାଲିବାନ ଗୋଟିଏ ପରେ ଗୋଟିଏ ରାଜ୍ୟ ଦଖଲ ସହ ନିଜ ସ୍ଥିତି ମଜବୁତ କରିଚାଲିଛି । ଆଫଗାନିସ୍ତାନ ସରକାରୀ ସେନା ବହୁ ସ୍ଥାନରେ କଡ଼ା ପ୍ରତିରୋଧ କରୁଥିଲେ ବି, ବିଫଳ ହେଉଛନ୍ତି । ଆଉ କିଛି ସ୍ଥାନରେ ଆଫଗାନୀ ସେନା ଯୁଦ୍ଧ ପୂର୍ବରୁ ହାତ ଟେକି ଦେଉଥିବା ନଜରକୁ ଆସିଛି । ତାଲିବାନୀ ଆତଙ୍କୀ ଅନେକ ସାମରିକ କାର୍ଯ୍ୟାଳୟ, ପୋଲିସ କାର୍ଯ୍ୟାଳୟ, ବିମାନବନ୍ଦର ଓ ଅସ୍ତ୍ରଶସ୍ତ୍ର କବ୍‌ଜା କରିନେଉଛନ୍ତି ।

ବର୍ତ୍ତମାନ ଆଫ୍‌ଗାନିସ୍ତାନର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ । ଆଉ ମାତ୍ର ୯୦ ଦିନରେ ଆଫଗାନିସ୍ତାନର ରାଜଧାନୀକୁ ଦଖଲ କରିପାରେ ତାଲିବାନ । ଏବେ ସୁଦ୍ଧା ଆଫଗାନିସ୍ତାନର ୩ ଭାଗରୁ ୨ ଭାଗ ଅର୍ଥାତ୍ ପ୍ରାୟ ୬୫ ପ୍ରତିଶତ ଅଞ୍ଚଳକୁ ତାଲିବାନୀ ଆତଙ୍କୀ କବ୍‌ଜା କରିସାରିଛନ୍ତି । ଯାହା ମଧ୍ୟରେ ବହୁ ପ୍ରମୁଖ ସହର, ବାଣିଜ୍ୟ କେନ୍ଦ୍ର ଓ ପ୍ରାନ୍ତୀୟ ରାଜଧାନୀ ଥିବା ଆମେରିକୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି ।

ତାଲିବାନ ୩୦ ଦିନ ଭିତରେ କ୍ୟାପିଟାଲ୍ ସିଟି କାବୁଲକୁ ବାହ୍ୟ ଜଗତରୁ ବିଚ୍ଛିନ୍ନ କରିପାରେ ଏବଂ ୯୦ ଦିନରେ ଅକ୍ତିଆର କରିପାରେ ବୋଲି କୁହାଯାଇଛି । କାବୁଲ୍‌ଠାରୁ ମାତ୍ର ୧୫୦ କିଲୋମିଟର ଦୂରରେ ଥିବା ଗଜ୍‌ନୀ ସହରକୁ କବ୍‌ଜାକୁ ନେଇସାରିଛି ତାଲିବାନ । ଅଫଗାନିସ୍ତାନର ୩୪ଟି ପ୍ରାନ୍ତୀୟ ରାଜଧାନୀରୁ ୧୦ଟିକୁ ମାତ୍ର ସପ୍ତାହକ ଭିତରେ ତାଲିବାନ ନିଜ ଦଖଲକୁ ନେଇଛି । ରାଜଧାନୀକୁ ଯୋଡ଼ୁଥିବା ପ୍ରମୁଖ ସଡ଼କପଥ କାବୁଲ-କାନ୍ଦାହାର୍ ହାଇେୱେ ବି ତାଲିବାନ ହାତକୁ ଯାଇଛି ।