• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

 ତାଲିବାନ୍‌ ଶାସନରେ ମହିଳାଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଲାଣି । ଶିକ୍ଷା,ସ୍ୱାସ୍ଥ୍ୟ ପରି ମୌଳିକ ସୁବିଧାରୁ ସେମାନଙ୍କୁ ବଞ୍ଚିତ ହେବାକୁ ପଡ଼ୁଛି । ବଦଳି ଯାଇଥିବାର ବାହାନା କରି ତଥା ମାନବୀୟ ଢ଼ଙ୍ଗରେ ଶାସନ କରିବାର କଥା ଦେଇ ଆଫଗାନିସ୍ତାନ ଶାସନ କଳ ହାତକୁ ନେଇ ତାଲିବାନ(Taliban) ଦିନକୁ ଦିନ ଅଧିକ ବର୍ବର ହେବାରେ ଲାଗିଛି । ମହିଳାଙ୍କ ଅଧିକାର ସୁରକ୍ଷିତ କରିବ ବୋଲି କହିଥିଲା ସଂଗଠନ । ହେଲେ ଶାସନକୁ ଆସିବା ପର ଠାରୁ ମହିଳା(Afghan Women)ଙ୍କ ପାଇଁ କଠୋରରୁ କଠୋର ନିୟମ ପ୍ରଣୟନ କରାଯାଉଛି ।

କିଛି ଦିନ ପୂର୍ବରୁ ଝିଅମାନଙ୍କ ବିଶ୍ୱବିଦ୍ୟାଳୟ ଶିକ୍ଷା ଉପରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଷେଧାଦେଶ ଜାରି କରିବା ପରେ ଏବେ ପୁଣି ଆସିଛି ନୂଆ ନିୟମ । ରୋଗରେ ପଡ଼ି ଛଟପଟ୍‌ ହେଲେ ସୁଦ୍ଧା ପୁରୁଷ ଡାକ୍ତରଙ୍କ ଠାରେ ମହିଳମାନେ ଚିକିତ୍ସିତ ହେବେନାହିଁ ବୋଲି ନିଷ୍ପତ୍ତି ଶୁଣାଇଛି ତାଲିବାନ୍ ସରକାର । କେବଳ ଏତିକି ନୁହେଁ ମହିଳା ଆଥ୍‌ଲେଟ୍‌ ମାନେ ମଧ୍ୟ ନିଜ ସ୍ୱପ୍ନକୁ ମାରି କେବଳ ଘର କୋଣରେ ହିଁ ବସିରହିବେ । କାରଣ ତାଙ୍କ ପାଖରେ ଆଉ ଖେଳିବାର ଅଧିକାର ନାହିଁ ।

ଅଧିକ ପଢ଼ନ୍ତୁ: ତାଲିବାନ ସରକାରକୁ ବର୍ଷେ ପୂରିବ, ହେଲେ ବିକାଶ ଶୂନ ! ନାରୀ ସ୍ୱାଧୀନତା ଉପରେ ଲାଗିଛି ରୋକ

ଗୋଟିଏ ପଟେ ପାଠପଢ଼ାରେ ଅଙ୍କୁଶ, ଅନ୍ୟପଟେ ପୁରୁଷ ଡାକ୍ତରଙ୍କ ଠାରେ ଚିକିତ୍ସା କରାଇବା ମନା । ତାଲିବାନ ଶାସନରେ ମହିଳାଙ୍କ ପାଠରେ ଡୋରୀ ବନ୍ଧା ହୋଇ ସାରିଥିବା ବେଳେ ମହିଳା ଡାକ୍ତର କେଉଁଠୁ ଆସିବେ ବୋଲି ପ୍ରଶ୍ନ ଉଠୁଛି । ଏପରିସ୍ଥଳେ ତାଲିବାନ୍‌ଙ୍କ ଏପରି ଆଦେଶ ସିଧାସଳଖ ଭାବରେ ମହିଳା ତଥା ଯୁବତୀଙ୍କୁ ମରଣମୁହଁକୁ ଠେଲି ଦେଇଛି ।

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ମହିଳାଙ୍କ ବିଶ୍ୱବିଦ୍ୟାଳୟ ଶିକ୍ଷାକୁ ନେଇ ନୂଆ ନିୟମ ଆଣିଥିଲା ତାଲିବାନ୍ ସରକାର । ଉଚ୍ଚଶିକ୍ଷା ମନ୍ତ୍ରୀ ନେଡ଼ା ମହମ୍ମଦ ନଦୀମ୍‌ଙ୍କ ଦ୍ୱାରା ସ୍ୱାକ୍ଷରିତ ନୋଟିସ୍‌ ସମସ୍ତ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟରେ ଲଗେଇ ଦିଆଯାଇଥିଲା । ପରବର୍ତ୍ତୀ ନୋଟିସ୍‌ ଜାରି ହେବାଯାଏଁ ମହିଳାମାନଙ୍କ ଶିକ୍ଷା ବାତିଲ ପାଇଁ ଜାରି କରାଯାଇଥିବା ଆଦେଶ ତୁରନ୍ତ ଲାଗୁ କରିବା ଲାଗି ଅବଗତ କରାଯାଇଥିଲା ।