• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଫଗାନିସ୍ତାନରେ ଅସରଫ ଘନିଙ୍କ ସରକାରର ପତନ ପରେ ଆରମ୍ଭ ହୋଇଥିବା ତାଲିବାନ ଶାସନକୁ ବର୍ଷେ ପୂରିବାକୁ ଯାଉଛି । ବର୍ଷେ ଭିତରେ ଆଫଗାନିସ୍ତାନରେ ଅନେକ କିଛି ପରିବର୍ତ୍ତନ ଦେଖାଦେଇଛି । ପୂର୍ବ ଶାସନ ଭଳି ନ ହୋଇ ଆଫଗାନିସ୍ତାନରେ ଶାନ୍ତିର ସହ ଶାସନ ଚାଲିବ ବୋଲି ତାଲିବାନ ନେତା ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ, ଅନେକ କ୍ଷେତ୍ରରେ ସରିଆ ଆଇନ ଲାଗୁ କରାଯାଇଛି । କୁହାଯାଇପାରେ ଯେ, ତାଲିବାନ ଶାସନକୁ ବର୍ଷେ ପୂରିବ, ହେଲେ ବିକାଶ ଶୂନ ।

ଆଫଗାନିସ୍ତାନରେ ଇସଲାମିକ ଷ୍ଟେଟ୍ ଆତଙ୍କବାଦୀ ସଂଗଠନର ବର୍ବରତା ଲାଗି ରହିଛି । ଯିଏ ବି ବିରୋଧ କଲା, ତାକୁ ହତ୍ୟା କରୁଛନ୍ତି ଆଇଏସ୍‌ଆଇଏସ୍ ଆତଙ୍କୀ । ଏପରିକି ଆତଙ୍କୀ ବିଚାରଧାରାକୁ ସମର୍ଥନ କରୁନଥିବା ସାଧାରଣ ନାଗରିକ ହୁଅନ୍ତୁ ବା ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ସମସ୍ତଙ୍କୁ ମାରି ଚାଲିଛନ୍ତି । ଗତକାଲି ପ୍ରଖ୍ୟାତ ତାଲିବାନ୍ ଧର୍ମଗୁରୁ ରହିମୁଲ୍ଲା ହକାନିଙ୍କୁ ହତ୍ୟା କରିଛନ୍ତି । ପୂର୍ବରୁ ଦୁଇ ଥର ଆତ୍ମଘାତୀ ଆକ୍ରମଣରୁ ବର୍ତ୍ତି ଯାଇଥିବା ହକାନି, ଗତକାଲି ପ୍ରାଣ ହରାଇଛନ୍ତି ।

ISIS ବିରୋଧୀ ଚିନ୍ତାଧାରାରେ ବିଶ୍ୱାସ ରଖୁଥିବା ଓ ନାରୀଶିକ୍ଷାକୁ ଗୁରୁତ୍ୱ ଦେଉଥିବା ତାଲିବାନୀ ଧର୍ମଗୁରୁ ରହିମୁଲ୍ଲା ହକାନୀଙ୍କୁ ଆଫଗାନିସ୍ତାନର କାବୁଲରେ ହତ୍ୟା କରାଯାଇଛି । ଗତ ଗୁରୁବାର ହକାନୀ କାବୁଲ ସ୍ଥିତ ନିଜ ମଦ୍ରାସାରେ ଥିବାବେଳେ ତାଙ୍କୁ ଟାର୍ଗେଟ୍ କରିଥିଲେ ISIS ଜିହାଦୀ ଆତଙ୍କୀ । ବିସ୍ଫୋରକ ଭର୍ତ୍ତି ଗଞ୍ଜି ପିନ୍ଧି ଆତଙ୍କୀ ଜଣକ ମଦ୍ରାସାରେ ଥିବା ହକାନୀଙ୍କ ଅଫିସ ଭିତରକୁ ଯାଇ ନିଜକୁ ଉଡ଼ାଇ ଦେଇଥିଲା । ଏଥିରେ ରହିମୁଲ୍ଲା ଓ ତାଙ୍କ ଭାଇଙ୍କର ମୃତ୍ୟୁ ହେବା ସହ, ଆଉ ୩ ଜଣ ଗୁରୁତର ହୋଇଥିବା କାବୁଲ ପୋଲିସର ମୁଖପାତ୍ର ଖାଲିଦ ଜର୍ଦାନ ସୂଚନା ଦେଇଛନ୍ତି ।

ହକାନୀଙ୍କ ମୃତ୍ୟୁକୁ ତାଲିବାନ ସରକାର ସ୍ପଷ୍ଟ କରିଛି । କୁହାଯାଇଛି ଯେ, ଯଦିଓ ହକାନୀ ତାଲିବାନ ସରକାରରେ କୌଣସି ପଦପଦବୀରେ ନଥିଲେ, ତଥାପି ଜଣେ ଧର୍ମଗୁରୁ ଓ ଶିକ୍ଷାବିତ୍ ଭାବେ ଖ୍ୟାତ ଥିଲେ । ପୂର୍ବରୁ ତାଲିବାନୀ ସଦସ୍ୟଙ୍କୁ ଶିକ୍ଷା ଦେଉଥିଲେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ସେପଟେ ହକାନିଙ୍କ ମୃତ୍ୟୁକୁ ନେଇ ସରକାର ଓ ବିଭିନ୍ନ ସଂଗଠନ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । 

ଜଣେ ଧର୍ମଗୁରୁ ଭାବେ ଖ୍ୟାତି ଅର୍ଜନ କରିଥିବା ରହିମୁଲ୍ଲା ହକାନି ନାରୀ ଶିକ୍ଷାକୁ ସମର୍ଥନ କରୁଥିଲେ । ଝିଅମାନେ ସ୍କୁଲ ଯିବା ସପକ୍ଷରେ ସେ ଥିଲେ । ହେଲେ ISIS ସଂଗଠନ ନାରୀ ଶିକ୍ଷାର ତୀବ୍ର ବିରୋଧୀ । ୨୦୨୦ ଅକ୍ଟୋବରରେ ପାକିସ୍ତାନ ସମେତ ଦୁଇ ଦୁଇ ଥର ଆତ୍ମଘାତୀ ଆକ୍ରମଣରେ ଟାର୍ଗେଟ କରାଯାଇଥିଲେ ବି ସେ ବର୍ତ୍ତି ଯାଇଥିଲେ । ଏହାସହ ଆଇଏସ୍‌ଆଇଏସ୍ ବିରୋଧରେ କଡ଼ା ମନ୍ତବ୍ୟ ଦେବା ଓ ଲୋକଙ୍କୁ ସଚେତନ କରିବା ପାଇଁ ସେ ଖୁବ୍ ଜଣାଶୁଣା ଥିଲେ ।

ଏପରିକି ଗତ ମେ’ ମାସରେ ଏକ ଟିଭି ଚ୍ୟାନେଲର ଡିବେଟ୍‌ରେ ଭାଗ ନେଇ ନାରୀ ଶିକ୍ଷା ସପକ୍ଷରେ ଦୃଢ଼ ମତ ରଖିଥିଲେ । ନାରୀଙ୍କୁ ପଢ଼ିବାକୁ ଦିଆଯିବ ନାହିଁ, ଏ କଥା କୌଣସି ସରିଆ ଆଇନରେ ନାହିଁ ବୋଲି ସେ କହିଥିଲେ । ବାରମ୍ବାର ଆଇଏସ୍‌ଆଇଏସ୍ ବିରୋଧରେ ମନ୍ତବ୍ୟ ପରେ ଟାର୍ଗେଟକୁ ଆସି ଯାଇଥିଲେ ରହିମୁଲ୍ଲା ହକାନି । ତେବେ ତାଲିବାନ ଶାସନ ପୂର୍ବରୁ ଆଫଗାନିସ୍ତାନରେ ବର୍ବରତା ଓ ସ୍ମଗ୍‌ଲିଂ କାରବାର ଚଳାଇଥିବା ହକ୍କାନୀ ନେଟଓ୍ୱର୍କ ସହ ୟାଙ୍କର କୌଣସି ସଂପର୍କ ନାହିଁ ।

ଆଫଗାନିସ୍ତାନରେ ଅସରଫ ଘନିଙ୍କ ସରକାରର ପତ୍ତନ ପରେ ଆରମ୍ଭ ହୋଇଥିବା ତାଲିବାନ ଶାସନକୁ ବର୍ଷେ ପୂରିବାକୁ ଯାଉଛି । ବର୍ଷେ ଭିତରେ ଆଫଗାନିସ୍ତାନରେ ଅନେକ କିଛି ପରିବର୍ତ୍ତନ ଦେଖାଦେଇଛି । ପୂର୍ବ ଶାସନ ଭଳି ନ ହୋଇ ଆଫଗାନିସ୍ତାନରେ ଶାନ୍ତିର ସହ ଶାସନ ଚାଲିବ ବୋଲି ତାଲିବାନ ନେତା ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅନେକ କ୍ଷେତ୍ରରେ ନିଜର ସରିଆ ଆଇନ ଭଳି ଲାଗୁ କରାଯାଇଛି ।

ଆଫଗାନିସ୍ତାନରେ ଦ୍ୱିତୀୟ ଥର ତାଲିବାନ ସରକାର ଗଠନକୁ ବର୍ଷେ ପୂରିବାକୁ ଯାଉଛି । ହେଲେ ନା ଦେଶ ଆର୍ଥିକ ସଂକଟରୁ ମୁକୁଳି ପାରିଛି, ନା ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ଭିତ୍ତିଭୂମିରେ କିଛି ସୁଧାର ଆସିଛି । ମହିଳାଙ୍କ ସ୍ୱାଧୀନତା ଏକପ୍ରକାର ନିଶ୍ଚିହ୍ନ ହୋଇସାରିଥିବା ବେଳେ, ମାନବୀୟ ସଂକଟ ଏବେ ବି ଜାରି ରହିଛି । ତାଲିବାନୀ ନେତା ସରକାରରେ ରହି ନିଜେ କ୍ଷମତା ଉପଭୋଗ କରୁଥିବା ବେଳେ, ତେଣେ ଦୋହଲିବାରେ ଲାଗିଛି ଦେଶର ସ୍ଥିତି ।

ହସ୍ପିଟାଲ ବନ୍ଦ ହେବାରେ ଲାଗିଛି । କେଉଁଠି ଡାକ୍ତର ନାହାନ୍ତି, ତ କେଉଁଠି ନାହାନ୍ତି କର୍ମଚାରୀ । ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଆଯାଉନଥିବାରୁ ହେମ୍ଲାଣ୍ଡ ପ୍ରୋଭିନ୍ସର ମୁସା କାଲାରେ ହଇଜା ବ୍ୟାପିଛି । ହେଲେ ବନ୍ଦ ରହିଛି ଡିଷ୍ଟ୍ରିକ୍ଟ ହସ୍ପିଟାଲ । ଦେଶରେ ଖାଦ୍ୟ ସଂକଟ ବି ଅତି ଉଦ୍‌ବେଗଜନକ । ତାଲିବାନୀ ଶାସନରେ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ତ ଦୂରର କଥା, ଦୁଇ ଓଳି ଖାଇବାକୁ ମିଳିବା ବି ସ୍ୱପ୍ନ ହଇଯାଇଛି । ହେମଲାଣ୍ଡ ପ୍ରୋଭିନ୍ସର ଜଣେ ମହିଳାଙ୍କ କହିବା ଅନୁସାରେ, ଗତବର୍ଷ ତାଲିବାନୀ ଶାସନ ଆରମ୍ଭ ହେବା ଦିନରୁ ସେମାନେ ଖାଇବା ତେଲ ପାଇନାହାନ୍ତି । ରୋଷେଇ କରିବାକୁ ପୁଷ୍ଟିକର ଖାଦ୍ୟ ମିଳୁନଥିବାରୁ ପିଲାମାନେ ବାରମ୍ବାର ରୋଗାକ୍ରାନ୍ତ ହେଉଛନ୍ତି ।

ବୁଷ୍ଟ ହସ୍ପିଟାଲର ଅପପୁଷ୍ଟି ରୋଗ ଓ୍ୱାର୍ଡରେ ଏତେ ପିଲା ଚିକିତ୍ସା ପାଇଁ ଆସୁଛନ୍ତି ଯେ, ଗୋଟିଏ ଗୋଟିଏ ବେଡ୍‌ରେ ୨ ଜଣ ଶିଶୁଙ୍କୁ ରଖାଯାଉଛି । କର୍ମଚାରୀ ଅଭାବରୁ ଡାକ୍ତରଖାନାର କର୍ମଚାରୀମାନେ ଅନିଦ୍ରା ହୋଇ ଚାରିଦିନ ପାଞ୍ଚଦିନ ଯାଏ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି । ଗ୍ରାମାଞ୍ଚଳରେ ଥିବା ହସ୍ପିଟାଲରେ କେତେ ଯେ ରୋଗୀ ପ୍ରାଣ ହରାଉଛନ୍ତି, ତାହାର ହିସାବ ନାହିଁ ।

ଗତବର୍ଷ ଅଗଷ୍ଟ ୧୫ରେ ତାଲିବାନୀ ନେତା କାବୁଲ ଦଖଲ କରିଥିଲେ । ଆଉ ତା ପରଠୁ ଦେଶରେ ଦୁର୍ଦ୍ଦିନ ଆରମ୍ଭ ହୋଇଛି । ତାଲିବାନ ଶାସନ ଭାର ନେବାକ୍ଷଣି କେନ୍ଦ୍ରୀୟ ବ୍ୟାଙ୍କରେ ଗଚ୍ଛିତ ଥିବା ୭୦୦ କୋଟି ଡଲାରକୁ ଆମେରିକା ଫ୍ରିଜ୍ କରିଦେଇଥିଲା । ଆଉ ରାତାରାତି ବିଦେଶୀ ସହାୟତା ବି ବନ୍ଦ ହୋଇଗଲା । ଦେଶରେ ଯେତିକି ଅର୍ଥ ଗଚ୍ଛିତ ଅଛି, ସେସବୁକୁ ସ୍ୱାସ୍ଥ୍ୟସେବାରେ ଖର୍ଚ୍ଚ କରାଯାଉଛି । ଯାହାକି ଦେଶର ଅର୍ଥନୀତିକୁ ଆହୁରି ଜଟିଳ ଅବସ୍ଥାକୁ ଠେଲି ଦେଉଛି । ଗତ ଜୁନ୍ ମାସରେ ଭୂମିକଂପ ଯୋଗୁଁ ଆଫଗାନିସ୍ତାନର ପୂର୍ବାଞ୍ଚଳରେ ନାହିଁ ନଥିବା କ୍ଷତି ହୋଇଛି । ଏଥିରେ ପ୍ରାୟ ହଜାରେ ଲୋକ ପ୍ରାଣ ହରାଇଥିଲେ । ଏଣୁ ଆର୍ଥିକ ସଂକଟରେ ଥିବା ଆଫଗାନିସ୍ତାନର ତାଲିବାନ ସରକାର ପାଇଁ ପୁନରୁଦ୍ଧାର କାର୍ଯ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତାଲିବାନ ଶାସନ ଆସିବା ପରେ ଦେଶରେ ମହିଳାଙ୍କ ପ୍ରତି ଅବିଚାର ବଢ଼ିଛି । ୨୦୦୧ ପୂର୍ବର ସରକାର ଭଳି ନକରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ ବି, ତାଲିବାନ ପୁଣି ନିଜ ପୂର୍ବ କଟକଣା ଲାଗୁ କରିବାରେ ଲାଗିଛି ।

ସରକାରୀ ଦପ୍ତରରୁ ମହିଳା କର୍ମଚାରୀଙ୍କୁ ଛଟେଇ କରାଯାଉଛି । ମହିଳାଙ୍କ ଦୂରସ୍ଥାନକୁ ଯାତ୍ରା ଉପରେ ବି କଟକଣା ଲାଗିଛି । ଝିଅଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ଉପରେ ରୋକ୍ ଲାଗିଛି । ସରକାରୀ ପୁରୁଷ କର୍ମଚାରୀମାନେ ଲମ୍ବା ଦାଢ଼ି ରଖିବାକୁ ବାଧ୍ୟ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ତାଲିବାନ ଶାସନକୁ ଦେଶର କିଛି ପ୍ରାନ୍ତରେ ଲୋକ ସମର୍ଥନ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି ।