• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଅନିଶ୍ଚିତ ଭବିଷ୍ୟତ ଆଡ଼କୁ ଯାତ୍ରା । କେଉଁଠି ରହିବେ, କଣ ଖାଇବେ, କେମିତି ବଞ୍ଚିବେ । ଅସୁମାରୀ ପ୍ରଶ୍ନର ବୋଝ ବୋହି ସୀମା ମୁହାଁ ହେଉଛନ୍ତି ହଜାର ହଜାର ଆଫଗାନ ଶରଣାର୍ଥୀ । ନଭେମ୍ବର ୧ ସୁଦ୍ଧା ପାକିସ୍ତାନ ଛାଡି ଚାଲିଯିବାକୁ ଡେଡଲାଇନ ଦେଇଥିଲେ ପାକିସ୍ତାନ ସରକାର ।

ଗତ ୨ ମାସରେ ପ୍ରାୟ ୨ ଲକ୍ଷ ଶରଣାର୍ଥୀ ଆଫଗାନିସ୍ତାନ ଫେରି ଯାଇଛନ୍ତି । ତେବେ ତାଲିବାନର କ୍ରୁର ଆଖିରେ ସେମାନେ କେମିତି ବଞ୍ଚିବେ ତାହା ଏବେ ସେମାନଙ୍କ ଲାଗି ବଡ଼ ପ୍ରଶ୍ନ ଭାବେ ଛିଡ଼ା ହୋଇଛି । ଟ୍ରକରେ ଲଦିଛନ୍ତି ଘରର ଯାବତୀୟ ସାମଗ୍ରୀ । ଘର ଉପକରଣ ସହ ଅନ୍ଧାରୀ ଭବିଷ୍ୟତ ମୁହାଁ ହେଉଛନ୍ତି କିଛି ଅସହାୟ ମଣିଷ ।

ବିନା କାଗଜପତ୍ରରେ ରହୁଥିବା ଲୋକଙ୍କୁ ନଭେମ୍ବର ୧ ତାରିଖ ସୁଦ୍ଧା ଆଫଗାନିସ୍ତାନ ଚାଲିଯିବା ଲାଗି ନିର୍ଦ୍ଦେଶ ଦେଇଥିଲେ ପାକିସ୍ତାନ ସରକାର । ନଚେତ ବଳପୂର୍ବକ ପଠାଇ ଦିଆଯିବ ବୋଲି ସରକାରଙ୍କ ତରଫରୁ ଚେତାବନୀ ଦିଆଯାଇଥିଲା । ସମୟ କଣ୍ଟ ପୁରି ଯାଇଥିବା ବେଳେ ପାକିସ୍ତାନର ସବୁ ପ୍ରଦେଶରେ ତତ୍ପର ହୋଇଛି ପୋଲିସ ଓ ପ୍ରଶାସନ ।

ଆଫଗାନ ନାଗରିକଙ୍କୁ ଖୋଜି ଖୋଜି ବାହାର କରାଯିବା ସହ ଗିରଫ କରାଯାଉଛି । ଗିରଫଦାରୀ ଭୟରେ ନିଜର ସର୍ବସ୍ୱ ଧରି ପାକିସ୍ତାନ-ଆଫଗାନିସ୍ତାନ ସୀମା ମୁହାଁ ହୋଇଛନ୍ତି ଲକ୍ଷ ଲକ୍ଷ ଲୋକ ।

ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ, ଆଫଗାନିସ୍ତାନ ଗଲେ ରହିବେ କେଉଁଠି, କରିବେ କଣ, ଖାଇବେ କଣ, କଣ ହେବ ସେମାନଙ୍କ ଭବିଷ୍ୟତ । କାରଣ ୨୦୨୧ରେ ତାଲିବାନ କ୍ଷମତା ଅକ୍ତିଆର କରିବା ପରେ ଭୁଶୁଡି ପଡିଛି ଆଫଗାନିସ୍ତାନ ଅର୍ଥନୀତି । ଆଗରୁ ମିଳୁଥିବା ସବୁ ବୈଦେଶିକ ସହାୟତା ଆଉ ନାହିଁ ।

ଦେଶର ୫୦ ପ୍ରତିଶତରୁ ଅଧିକ ଲୋକ ବେକାର ବସିଥିବା ବେଳେ ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ପଦାର୍ଥର ଘୋର ଅଭାବ ସୃଷ୍ଟି ହୋଇଛି । ଅନ୍ୟପଟେ ନିକଟରେ ଆସିଥିବା ପ୍ରଳୟଙ୍କରୀ ଭୂମିକମ୍ପ, ସ୍ଥିତିକୁ ଆହୁରି ବିଗାଡି ଦେଇଛି । ଦେଶର ଦୁଇ ତୃତୀୟାଂଶ ଲୋକ ଏବେ ବିଦେଶୀ ସହାୟତା ଉପରେ ନିର୍ଭର କରୁଛନ୍ତି ।

ଏଭଳି ସ୍ଥଳେ ଲକ୍ଷ ଲକ୍ଷ ଲୋକ ଆସିଲେ ସେମାନଙ୍କ ଭବିଷ୍ୟତ କଣ ହେବ ତାକୁ ନେଇ ଉଠିଛି ପ୍ରଶ୍ନ । ତାଲିବାନ ସରକାର ପାକିସ୍ତାନର ଏଭଳି ନିଷ୍ପତ୍ତିକୁ ନିନ୍ଦା କରିଛି । ତେବେ ସ୍ୱଦେଶ ଫେରୁଥିବା ଲୋକଙ୍କୁ ପ୍ରଥମେ ଅସ୍ଥାୟୀ ଶିବିରରେ ରଖାଯିବ, ପରେ ସେମାନଙ୍କ ଲାଗି ରହିବା ବ୍ୟବସ୍ଥା ସାଙ୍ଗକୁ କାମ ଯୋଗାଇ ଦିଆଯିବ ବୋଲି କହିଛି ତାଲିବାନ । ମାତ୍ର ବାସ୍ତବ କ୍ଷେତ୍ରରେ ଏହା କେତେ କାର୍ଯ୍ୟକାରୀ ହୋଇପାରିବ ତାହା କହିବା ମୁସ୍କିଲ ।